ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି
ଭୁବନେଶ୍ୱର: ରାଜ୍ୟର ସ୍ୱାର୍ଥ କ୍ଷୁଣ୍ଣ କରୁଥିବା ଏମଏମଡିଆର ଆଇନ ସଂଶୋଧନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଅତ୍ୟନ୍ତ ରହସ୍ୟମୟ। ଖଣିମାଲିକମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସ୍ୱାର୍ଥକୁ କେନ୍ଦ୍ର ସରକାର ବଳି ଦେଇଛନ୍ତି । ଆଙ୍ଗୁଳିଗଣତି କେଇଜଣ ଖଣି ପଟ୍ଟାଦାରଙ୍କ ପାଇଁ ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଇଛି। ତେଣୁ ଏହି ଆଇନ ପ୍ରତ୍ୟାହାର ନ ହେଲେ ଅର୍ଥନୈତିକ ଅବରୋଧ କରିବାକୁ ଧମକ ଦେଇଛି ବିଜେଡି ।
ଶଙ୍ଖ ଭବନରେ ଦଳର ବିଧାୟକ ଡଃ ଅରୁଣ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏମଏମଡିଆର ଆଇନ ସଂଶୋଧନ ରାଜ୍ୟର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। ବିଧାନସଭାର ବିଶେଷ ଅଧିବେଶନ ଓ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଚିଠିରେ ଉଲ୍ଲେଖ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏଯାବତ ଏହି ଚିଠିର ଉତ୍ତର ରଖିବାକୁ ଉଚିତ ମଣିଲେ ନାହିଁ। ଏମଏମଡିଆର ଆଇନ ସଂଶୋଧନ ମାଧ୍ୟମରେ ଖଣିର ମାଲିକାନା ରାଜ୍ୟ ହାତରୁ ଛଡେଇ ନିଆଯାଇଛି। ଖଣି ହାତରେ ନ ଥିବା ବେଳେ, କେନ୍ଦ୍ର ସରକାରଙ୍କ ହାତ ଟେକା ଦାନକୁ ଅପେକ୍ଷା କରି ରହିଥିବା ରାଜ୍ୟ ସରକାର କେଉଁ ଅଧିକାର ନେଇ ୟୁଏଇ ଗସ୍ତ କରି ପୁଞ୍ଜିନିବେଶ ପାଇଁ ଆହ୍ୱାନ କରୁଛନ୍ତି? ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଖଣି କ୍ଷେତ୍ରରୁ ଆଦାୟ ହେବାକୁ ଥିବା ବକେୟା ଟିକସ ବାବଦକୁ ଓଡ଼ିଶା ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ କ୍ଷତି ସହିଲା। ଏଥି ସହିତ ଖଣିରୁ ରାଜସ୍ୱ ବାବଦକୁ ରାଜ୍ୟ ବାର୍ଷିକ ୧୨,୦୦୦ କୋଟି ଟଙ୍କା କ୍ଷତି ସହିବ। କିନ୍ତୁ ଓଡ଼ିଶାର ଏତେବଡ଼ ଆର୍ଥିକ କ୍ଷତିକୁ ରାଜ୍ୟ ବିଜେପି ସରକାର ନିରବରେ ସମର୍ଥନ ଦେଇଛନ୍ତି। କାହା ସ୍ୱାର୍ଥରେ ଏମଏମଡିଆର ଆଇନର ସଂଶୋଧନ କରାଯାଇଛି ଓ କେଉଁ ଅଦୃଶ୍ୟ କାରଣରୁ କେନ୍ଦ୍ର ସରକାର ପୁଞ୍ଜିପତି, ଖଣି ମାଲିକଙ୍କୁ ବକେୟା ଅର୍ଥରାଶି ଛାଡ଼ିଦେଲେ ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ରହିଛି ବୋଲି ଡ଼. ସାହୁ କହିଛନ୍ତି ।ଦିଆଗଲା ବୋଲି ଡଃ ସାହୁ ଅଭିଯୋଗ କରିଛନ୍ତି।
ଏହି ଆଇନ୍ ସଂଶୋଧନ ଦ୍ୱାରା ଖଣି ମାଲିକ ମାନେ ଲାଭବାନ ହେଲେ। ଖଣି ଓ ଖଣିଜ ସମ୍ପଦ ପରିପୂର୍ଣ୍ଣ ଜମିର ଅଧିକାର ରାଜ୍ୟଠାରୁ କେନ୍ଦ୍ର ସରକାର ଛଡ଼ାଇନେଲେ। ଏହା ପରେ ବି ରାଜ୍ୟ ବିଜେପି ସରକାରଙ୍କ ସ୍ୱାଭିମାନ ଜାଗ୍ରତ ହେଉନାହିଁ। ରାଜ୍ୟ ସ୍ୱାବଲମ୍ୱୀ ହେବା ପାଇଁ ପ୍ରକୃତି ଦେଇଥିବା ସମ୍ୱଳ ଆଉ ଆମ ହାତରେ ରହିବ ନାହିଁ। ତେଣୁ ଏମଏମଡିଆର ଆଇନ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି। ଏହାକୁ ପ୍ରତ୍ୟାହାର ନ କଲେ ବିଜେଡି ରାଜ୍ୟରେ ଅର୍ଥନୈତିକ ଅବରୋଧ କରିବ ବୋଲି ଡ଼.ସାହୁ କହିଛନ୍ତି ।






