ମନୋରଞ୍ଜନ
ଏମ୍ଏମ୍ଡିଆର୍ ସଂଶୋଧନ ଆଇନ୍ ପ୍ରସଙ୍ଗ: 'ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଅଧିକାରକୁ ଅପହରଣ କରିଛି'
ଭୁବନେଶ୍ୱର: ସଂଶୋଧିତ ଏମଏମଡିଆର ଭଳି ଏକ କଳା ଆଇନକୁ ବିନା ଆଲୋଚନାରେ ସଂସଦରେ ପାରିତ କରାଯାଇଛି। ଏହିଦ୍ୱାରା ଓଡ଼ିଶା ଅନେକ କ୍ଷତି ସହିବ। ତେଣୁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିଜେଡି ପକ୍ଷରୁ ପୁଣି ଦାବି ହୋଇଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା ଓ ମୁଖପାତ୍ର ତୁମ୍ୱନାଥ ପଣ୍ଡା ଏହି ଆଇନ୍କୁ ଆଧାର କରି ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ, ଏମଏମଡିଆର ଆଇନ୍ ଦ୍ୱାରା ଓଡିଶାବାସୀଙ୍କ ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଡବଲ ଇଞ୍ଜିନ ସରକାର ବିନା ଆଲୋଚନାରେ ଏହାକୁ ପାରିତ କରାଇଛନ୍ତି। ଏହାକୁ ନେଇ ଓଡ଼ିଶା ବିଧାନସଭାରେ ଆଲୋଚନା ଆବଶ୍ୟକ ରହିଛି। ତେଣୁକରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୂଖ୍ୟମନ୍ତ୍ରୀଙ୍କୁ ପତ୍ର ଯୋଗେ ଜଣାଇଥିଲେ। କିନ୍ତୁ ଉକ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରତିକ୍ରିୟା ଶୂନ୍ୟ ରହିଛନ୍ତି। ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି। ଏଥିପାଇଁ ଏହି କଳା ଆଇନ ଲାଗୁ ହୋଇଛି। ଏହି ଆଇନ୍ ଦ୍ୱାରା ପ୍ରତି ବର୍ଷ ରାଜ୍ୟର ୧୧ ହଜାରରୁ ୧୫ ହଜାର କୋଟି ଟଙ୍କାର ଖଣିଜ ସମ୍ପଦର ରାଜସ୍ୱ ହାନି ଘଟିବ। ରାଜ୍ୟ ସରକାର ଓଡ଼ିଶାର ସମସ୍ତ ଖଣିଜ ସମ୍ପଦର ଅଧିକାର କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ଜୁଲାଇ ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ ବୋଲି କହିଥିଲେ। କିନ୍ତୁ ତାହାକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ହକକୁ ଛଡ଼ାଇ ନେଇଛନ୍ତି। ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କ ନିକଟରେ ସମର୍ପିତ କରିଛନ୍ତି। ଓଡ଼ିଶାର ଅନେକ କ୍ଷତି ହେଉଥିବା ବେଳେ ବିଜେପିର ୨୦ଜଣ ସାଂସଦ ଓ ରାଜ୍ୟସଭା ସାଂସଦ ମାନେ ପାର୍ଲ୍ୟାମେଣ୍ଟରେ ଚୁପ ବସି ରହିଲେ। ଯାହାକି ବିଜେପିର ଦୋମୁହାଁ ନିତି ବୋଲି ବିଜେଡି କହିଛି।
ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ ହେବା ବଦଳରେ ଡବଲ କ୍ଷତି ହେବାରେ ଲାଗିଛି। ପୂର୍ବରୁ କେନ୍ଦ୍ରୀୟ ଅନୁଦାନକୁ କେନ୍ଦ୍ର ସରକାର ପ୍ରତି ବର୍ଷ କାଟିବାରେ ଲାଗିଥିଲେ। ବର୍ତ୍ତମାନ ସମୟରେ ରାଜ୍ୟର ରାଜସ୍ୱକୁ କେନ୍ଦ୍ର ସରକାର ହଡ଼ପ କରିବାକୁ ଯୋଜନା କରୁଛନ୍ତି। ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ସବୁଠୁ କମ ଋଣ କରିଥିବା ରାଜ୍ୟ ଭାବେ ସାରା ଦେଶରେ ପରିଚିତ ଥିଲା। ସୁନ୍ଦର ଭାବରେ ଆର୍ଥିକ ପରିଚାଳନ କରି ରାଜସ୍ୱ ବଳକା ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେଉଥିଲା। କିନ୍ତୁ ବର୍ତ୍ତମାନ ତାହା ଧୂଳିସାତ୍ ହୋଇଯାଇଛି। ଓଡ଼ିଶାର ସ୍ୱାର୍ଥକୁ ଡବଲ ଇଞ୍ଜିନ ସରକାର ଭୁଲି ଯାଇ ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ନିଜର ଖଣିଜ ସମ୍ପଦର ରାଜସ୍ୱକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ। ଏହାପରେ କେନ୍ଦ୍ର ସରକାରଙ୍କ ଅନୁଦାନକୁ ରାଜ୍ୟ ସରକାର ହାତ ଟେକି ଅପେକ୍ଷା କରି ରହିଥିବେ। ଓଡ଼ିଆ ଅସ୍ମିତାର ନାରା ଦେଉଥିବା ବିଜେପି ସରକାର ଓଡ଼ିଶାକୁ ରସା ତଳକୁ ନେଇଗଲେଣି। ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନେଉଛନ୍ତି। ଏନେଇ ବିଜେଡି ପକ୍ଷରୁ ଲଢେଇ ଜାରି ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।






