ମନୋରଞ୍ଜନ
ଓଡ଼ିଶା
SCB ମେଡିକାଲରେ ୧.୪୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା: ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଟକ: ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ (SCB) ରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି। ପ୍ରାୟ ୧.୪୦ କୋଟି ଟଙ୍କାର ହେରଫେର ଅଭିଯୋଗରେ ମଙ୍ଗଳାବାଗ ପୋଲିସ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଡାଟା ଏଣ୍ଟ୍ରି ଅପରେଟର (DEO) ଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଦିନେଶ ରାଉତ ବୋଲି ଜଣାପଡିଛି। ନିକଟରେ ଏସସିବି ମେଡିକାଲରେ ହୋଇଥିବା ଏକ ଏଜି ଅଡିଟ୍ (AG Audit) ସମୟରେ ଏହି ବିପୁଳ ଆର୍ଥିକ ଅନିୟମିତତା ଧରାପଡିଥିଲା। ସରକାରୀ ପାଣ୍ଠି ତୋସରପାତରେ ମୁଖ୍ୟତଃ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।
ଏହି ଘଟଣା ସାମ୍ନାକୁ ଆସିବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଏସସିବି ଅଧୀକ୍ଷକ ମଙ୍ଗଳାବାଗ ଥାନାରେ ଏକ ଲିଖିତ ଏତଲା ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ଡିଇଓଙ୍କୁ ଗିରଫ କରିଛି। ତେବେ ଏହି ଆର୍ଥିକ ଅନିୟମିତତାର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଅନ୍ୟ କୌଣସି ବ୍ୟକ୍ତି ବା ଅଧିକାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ, ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।






