ମନୋରଞ୍ଜନ
ଅଡୁଆରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ: ଆତ୍ମସମର୍ପଣ ନକରିବାରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ପୁଣିଥରେ ବଢ଼ିବାରେ ଲାଗିଛି। ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନହେବା ତଥା ଆତ୍ମସମର୍ପଣ ନକରିବା ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ଯୌନ ନିର୍ଯାତନା ତଥା ପ୍ରତାରଣା ମାମଲାରେ ସୌରିନଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଏବେ ତାଙ୍କ ଗିରଫଦାରୀ ଆଶଙ୍କା ଘନୀଭୂତ ହୋଇଛି।
ମାମଲାର ପୃଷ୍ଠଭୂମି
ସୂଚନାଯୋଗ୍ୟ ଯେ, କଟକରେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ବିରୋଧରେ ଏତଲା ଦେଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କ ସହ ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଯୁବତୀଜଣକ ଅଭିଯୋଗ କରିଥିଲେ। ଏହି ସାଙ୍ଘାତିକ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
କୋର୍ଟଙ୍କ କଡ଼ା ଆଭିମୁଖ୍ୟ
ଏହି ମାମଲାରେ କଣ୍ଠଶିଳ୍ପୀଙ୍କୁ ଗିରଫ କରିବା ପାଇଁ ନିମ୍ନ ଅଦାଲତଙ୍କ ପକ୍ଷରୁ ଏକ ଜାମିନ୍ ବିହୀନ ପରୱାନା (NBW) ଜାରି କରାଯାଇଥିଲା। ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ଏନବିଡବ୍ଲୁ ଉପରେ ରୋକ ଲଗାଇବା ସହ ଅନ୍ତରୀଣ ସୁରକ୍ଷା ହାସଲ କରିଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ଆତ୍ମସମର୍ପଣ ନକରି ବାରମ୍ବାର ସମୟ ଗଡ଼ାଇ ଚାଲିଥିଲେ। ନିମ୍ନ ଅଦାଲତରେ ହାଜର ନହେବାରୁ ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଅନ୍ତରୀଣ ସୁରକ୍ଷା ହଟାଇବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଏବେ କମିଶନରେଟ୍ ପୋଲିସ କୌଣସି ମୁହୂର୍ତ୍ତରେ ସୌରିନଙ୍କୁ ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଛି।






