ବଢୁଛି ଲିଚୁର ଆଦର, ଚାହିଦା ମେଣ୍ଟାଉଛି ପଡ଼ୋଶୀ ରାଜ୍ୟ
ଭୁବନେଶ୍ୱର: ଲିଚୁ, ଦେଖିବାକୁ ଯେମିତି ସୁନ୍ଦର, ସ୍ୱାଦରେ ବି ସେମିତି ମଧୁର। ଏହି ସୁଆଦିଆ ଫଳର ଆଦର ଏବେ ବଢ଼଼ିବାରେ ଲାଗିଥିବାବେଳେ ଆମ ରାଜ୍ୟରେ ଏହାର ଚାହିଦା ମେଣ୍ଟାଇବା ଭଳି ଉତ୍ପାଦନ କରାଯାଇପାରୁନାହିଁ। ଯଦିଓ ରାଜ୍ୟର କେତେକ ଅଞ୍ଚଳରେ ଚାଷର ସୁଯୋଗ ରହିଛି, ତାହାର ସଠିକ୍ ରୂପାୟନ ହୋଇପାରୁନାହିଁ। ଫଳରେ ଲିଚୁର ଚାହିଦା ମେଣ୍ଟାଇବାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ବିଶେଷକରି ପଡ଼ୋଶୀ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗ ଓଡ଼ିଶାର ବଜାରର ଚାହିଦା ମେଣ୍ଟାଉଥିବା ଜଣାପଡ଼ିଛି। […]
ଭୁବନେଶ୍ୱର: ଲିଚୁ, ଦେଖିବାକୁ ଯେମିତି ସୁନ୍ଦର, ସ୍ୱାଦରେ ବି ସେମିତି ମଧୁର। ଏହି ସୁଆଦିଆ ଫଳର ଆଦର ଏବେ ବଢ଼଼ିବାରେ ଲାଗିଥିବାବେଳେ ଆମ ରାଜ୍ୟରେ ଏହାର ଚାହିଦା ମେଣ୍ଟାଇବା ଭଳି ଉତ୍ପାଦନ କରାଯାଇପାରୁନାହିଁ। ଯଦିଓ ରାଜ୍ୟର କେତେକ ଅଞ୍ଚଳରେ ଚାଷର ସୁଯୋଗ ରହିଛି, ତାହାର ସଠିକ୍ ରୂପାୟନ ହୋଇପାରୁନାହିଁ। ଫଳରେ ଲିଚୁର ଚାହିଦା ମେଣ୍ଟାଇବାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ବିଶେଷକରି ପଡ଼ୋଶୀ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗ ଓଡ଼ିଶାର ବଜାରର ଚାହିଦା ମେଣ୍ଟାଉଥିବା ଜଣାପଡ଼ିଛି।
ଏହା ଖରାଦିନିଆ ଫଳ ହୋଇଥିବାବେଳେ ମେ’ ଓ ଜୁନ୍ ମାସରେ ପ୍ରାୟତଃ ବଜାରକୁ ଆସିଥାଏ। ଏବେଠୁ ବିହାର ଓ କୋଲକାତା ଲିଚୁର ସମ୍ଭାର ଦେଖିବାକୁ ମିଳିଲାଣି ରାଜଧାନୀ ଫଳ ବଜାରରେ। କେବଳ ଫଳ ଦୋକାନରେ ନୁହେଁ ବରଂ ରାସ୍ତା କଡରେ ମଧ୍ୟ ବ୍ୟବସାୟୀମାନେ ଲିଚୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏହା ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ ସମୟରେ ମିଳେନାହିଁ। ବିଶେଷକରି ସାବିତ୍ରୀ, ରଜରେ ଏହି ଫଳର ଚାହିଦା ସବୁଠୁ ଅଧିକ ରହିଥାଏ। ୟୁନିଟ୍ ୧ ହାଟ, ରାଜମହଲରୁ କଳ୍ପନା ଛକ ମଧ୍ୟରେ ଥିବା ଫଳ ଦୋକାନ, ନୟାପଲ୍ଲୀ, ସିଆରପିଏଫ୍, ଜାଗମରା ଆଦି ଅଞ୍ଚଳରେ ଥିବା ଫଳ ବଜାରରେ ଏବେ ଲିଚୁ ଦେଖିବାକୁ ମିଳୁଛି। ଜୁଲାଇ ମାସ ପର୍ଯ୍ୟନ୍ତ ଲିଚୁ ଫଳ ବଜାରରେ ଉପଲବ୍ଧ ହୋଇଥାଏ। ଏବେ ବଜାରରେ କିଲୋ ପ୍ରତି ଦର ୨ଶହରୁ ୨୫୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି। ଏ ନେଇ କଳ୍ପନା ଛକରେ ଫଳ ଦୋକାନ କରିଥିବା ବ୍ୟବସାୟୀ ରାଜ କିଶୋର ସାହୁ କୁହନ୍ତି ଆଗରୁ ମୁମ୍ବାଇ ଲିଚୁ ଆସୁଥିଲା, ହେଲେ କଲିକତାରୁ ଲିଚୁ ରାତିରେ ବାହାରିଲେ ସକାଳେ ଆସି ପହଞ୍ଚିଯାଉଥିବାରୁ ଏହା ଉପରେ ବ୍ୟବସାୟୀମାନେ ଅଧିକ ନିର୍ଭର କରୁଛନ୍ତି। ତା’ ତୁଳନାରେ ମୁମ୍ବାଇ ଲିଚୁ ଆସିବାକୁ ତିନିଦିନ ସମୟ ଲାଗୁଛି। ଯାହା ଫଳରେ ଲିଚୁ ସବୁ ଖରାପ ହୋଇଯାଉଛି ବୋଲି ବ୍ୟବସାୟୀମାନେ ଆଣିବାକୁ ଡରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାର ଅନୁଗୋଳ, ସୁନ୍ଦରଗଡ଼଼, ଢେଙ୍କାନାଳ, ସମ୍ବଲପୁର ଆଦି ସ୍ଥାନରୁ ଦେଶୀ ଲିଚୁ ରାଜଧାନୀକୁ ଆସେ। ହେଲେ ଏବେ ଏତେମାତ୍ରାରେ ଆଉ ଆସୁନି। ଯାହା ଫଳରେ ଅନ୍ୟ ରାଜ୍ୟ ଉପରେ ଭରସା କରିବାକୁ ପଡ଼ୁଛି। ବାହାରୁ ଆସୁଥିବା ଲିଚୁ ଫଳ ଗୋଦାମରେ ସହଜରେ ମିଳୁଛି। ତା’ର ରଙ୍ଗ ମଧ୍ୟ ଗାଢ଼ ଓ ଅଧିକ ମିଠା ହୋଇଥିବାରୁ ଲୋକେ ବେଶି ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।
ବିହାର ରାଜ୍ୟର ମୁଜାଫରପୁରରେ ସବୁଠାରୁ ଅଧିକ ଲିଚୁ ଉତ୍ପାଦନ ହୁଏ। କିନ୍ତୁ ନିର୍ଦ୍ଦିଷ୍ଟ ଜଳବାୟୁ ଆବଶ୍ୟକତା, ମାଟି ପରିସ୍ଥିତି ଏବଂ ସୀମିତ ଭିତ୍ତିଭୂମି ଭଳି କାରଣ ଯୋଗୁଁଁ ଓଡ଼ିଶାରେ ଲିଚୁ ଉତ୍ପାଦନ ଭାରତର ଅନ୍ୟ ଅଞ୍ଚଳ ତୁଳନାରେ ତୁଳନାତ୍ମକ ଭାବରେ କମ୍। ଅମଳ ପରବର୍ତ୍ତୀ ପରିଚାଳନା, ଗୁଣାତ୍ମକ ରୋପଣ ସାମଗ୍ରୀର ଅଭାବ ଏ ଦିଗରେ ପ୍ରତିବନ୍ଧକ ସାଜିଛି। ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଆନୁଯାୟୀ ୨୦୨୪-୨୫ ରେ ୨୬.୪ ଲକ୍ଷ ମେଟ୍ରିକ୍ ଟନ୍ ଫଳ ଉତ୍ପାଦନ ହୋଇଥିବା ବେଳେ ଏଥିରେ ଲିଚୁର ଭାଗିଦାରୀ ବହୁତ୍ କମ୍। ଘରୋଇ ଏବଂ ବିଶ୍ୱ ବଜାରରେ ଲିଚୁର ପ୍ରଚୁର ସମ୍ଭାବନା ଥିବା ସତ୍ତ୍ବେ ଓଡ଼ିଶାରେ ଚାଷୀମାନଙ୍କ ପାଖରେ ଏହାକୁ ଅଧିକ ଚାଷ କରିବାର ମାନସିକତା ଆସିବା ଓ ସରକାର ପ୍ରୋତ୍ସାହନ ପ୍ରଦାନ କରିବା ଦରକାର। ତେବେ ଓଡ଼ିଶାରେ ଲିଚୁ ଉତ୍ପାଦନ ବୃଦ୍ଧି କରିବା ପାଇଁ ଆଧୁନିକ ଜଳସେଚନ କୌଶଳ ପ୍ରୟୋଗ ଏବଂ ଗୁଣାତ୍ମକ ରୋପଣ ସାମଗ୍ରୀ ବ୍ୟବହାର ଉପରେ ଧ୍ୟାନ ଦେବା ସହ ଉପଯୁକ୍ତ ତାଲିମ ଏବଂ ସଚେତନତା ଦ୍ୱାରା ମଧ୍ୟ ଅମଳ ବୃଦ୍ଧି ପାଇପାରିବ। ଉପଯୁକ୍ତ ଅଞ୍ଚଳ ପାଇଁ ସଠିକ୍ କିସମ ଚିହ୍ନଟ କରି ଉତ୍ପାଦନକୁ ଆହୁରି ଉନ୍ନତ କରାଯାଇପାରିବ ବୋଲି କୃଷି ସ୍ତମ୍ଭକାର ଡି. ଶୁଭମ୍ କହିଛନ୍ତି।






