ମନୋରଞ୍ଜନ
ଓଡ଼ିଶା
ତଦନ୍ତ ବେଳେ ଥାନା ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲ୍ରେ ଭର୍ତ୍ତି
ପୁରୀ: ତଦନ୍ତ ବେଳେ ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ଜିଲ୍ଲା ଅନ୍ତର୍ଗତ କାଣସ ଗଡ଼ିଶାଗୋଦା ଥାନା ଆଇଆଇସି ଦିଲୀପ ଧଳ ଏକ ମାମଲାର ତଦନ୍ତ ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ସଂଘାତିକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗଡ଼ିଶାଗୋଦା ଥାନା ଅଧିକାରୀ ଦିଲୀପ ଧଳ ଏକ ମାମଲାର ତଦନ୍ତ କରିବା ପାଇଁ କାଣସ ବ୍ଲକ ଅନ୍ତର୍ଗତ ବଡ଼ଓରା ଗ୍ରାମକୁ ଯାଇଥିଲେ। ସେଠାରେ ତଦନ୍ତ ଚାଲିଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଆଇଆଇସିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ଯାହାଫଳରେ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ଆହତ ଆଇଆଇସିଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କାଣସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ଏହି ଆକ୍ରମଣ ହୋଇଛି, ସେ ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ଦେଇନାହିଁ।
ଘଟଣାସ୍ଥଳରେ ଅଧିକ ପୋଲିସ ଫୋର୍ସ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଉଛି। କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।






