ମନୋରଞ୍ଜନ
ଓଡ଼ିଶା
୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଯୁବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ନାମରେ ୧୪.୨୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମ ଚିନ୍ତାମଣି ମଲ୍ଲିକ ବୋଲି ଜଣାପଡିଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଚିନ୍ତାମଣି ମଲ୍ଲିକ ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରୀ ଏବଂ ସମିତି ପାଣ୍ଠିରୁ ଉଦ୍ଦେଶ୍ୟମୂଳକ ଭାବେ ଆର୍ଥିକ ଠକେଇ କରିଥିଲେ। ସେ ସମୁଦାୟ ୧୪ ଲକ୍ଷ ୨୨ ହଜାର ୪୬ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡିଛି।
ତଦନ୍ତରୁ ଅନେକ ଅନିୟମିତତା ପଦାକୁ ଆସିଛି। ବିହନ ବିକ୍ରିର ଆୟକୁ ସରକାରୀ ହିସାବ ଖାତାରେ ନ ଦର୍ଶାଇବା, ଦୈନନ୍ଦିନ ଖାତା (ଡେ ବୁକ୍)ରେ ଉଦ୍ଦେଶ୍ୟମୂଳକ ଭାବରେ କମ୍ ବଳକା ରାଶି ଦର୍ଶାଇବା, ଟଙ୍କାର ଅଭାବକୁ ଲୁଚାଇବା ପାଇଁ ନକଲି ବ୍ୟାଙ୍କ ଜମା ଦର୍ଶାଇବା ଏବଂ ସଞ୍ଚୟ ଖାତାରୁ ଅତ୍ୟଧିକ ଅର୍ଥ ଉଠାଣ ଭଳି ବେଆଇନ କାର୍ଯ୍ୟ କରାଯାଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ପୋଲିସ ଷ୍ଟେସନରେ ମାମଲା ନଂ ୧୬/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମଲ୍ଲିକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ବଲାଙ୍ଗୀରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟକୁ ଚାଲାଣ କରାଯାଇଛି।






