ମନୋରଞ୍ଜନ
ଓଡ଼ିଶା
କେନ୍ଦ୍ରାପଡ଼ାର ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସମୁଦ୍ରରେ ନିଖୋଜ: ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି
କେନ୍ଦ୍ରାପଡ଼ା: ମାଛ ଏବଂ କଙ୍କଡ଼ା ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିବା ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତ ଅଞ୍ଚଳର ଏହି ମତ୍ସ୍ୟଜୀବୀମାନଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତଥା ମତ୍ସ୍ୟଜୀବୀ ପରିବାରଗୁଡ଼ିକ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ମତ୍ସ୍ୟଜୀବୀମାନେ ପ୍ରାୟ ଏକ ସପ୍ତାହ ପୂର୍ବରୁ ସମୁଦ୍ରକୁ ଯାଇଥିଲେ। ତେବେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ପାଣିପାଗ ଖରାପ ହେବାରୁ ସେମାନେ ଲାଙ୍ଗୁଗୋଳା ଦ୍ୱୀପପୁଞ୍ଜ ନିକଟରେ ଫସି ରହିଥିବା ସନ୍ଦେହ କରାଯାଉଛି। ବହୁ ସମୟ ଧରି ସେମାନଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।
ଏହି ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟର କହିଛନ୍ତି ଯେ ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ରାଜନଗର ବନଖଣ୍ଡ ଅଧିକାରୀ (DFO) ଙ୍କ ତତ୍ତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ତଦାରଖ କରାଯାଉଛି। ପ୍ରାଥମିକ ପାଟ୍ରୋଲିଂ ସମୟରେ ଉକ୍ତ ଦ୍ୱୀପରେ କେହି ଠାବ ହୋଇନଥିବା ବେଳେ ଗଭୀର ସମୁଦ୍ରରେ ନିଖୋଜ ମତ୍ସ୍ୟଜୀବୀମାନଙ୍କୁ ଖୋଜି ବାହାର କରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।






