ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Madhusudan Das Picture
Published On

ଭୁବନେଶ୍ୱର/ଦାରିଙ୍ଗବାଡ଼ି: ପୁଅ ଡାକ୍ତର ହେବ; ଗରିବଙ୍କ ସେବା କରିବ। ପରିଣତ ବୟସରେ ପହଞ୍ଚିଥିବା ବୃଦ୍ଧ ବାପାମା’ଙ୍କ ଆଖିରେ ଏହି ସ୍ୱପ୍ନ ହିଁ ଭରିଦେଇଛି ବଞ୍ଚିବାର ନୂଆ ଆଶା। ମାତ୍ର ସ୍ୱପ୍ନ ପୂରଣ ପଥରେ ପ୍ରତିବନ୍ଧକ ସାଜିଛି ଅଭାବ ଅନଟନ। ପୁଅର ଡାକ୍ତରୀ ପାଠପଢ଼ା ପାଇଁ ଟଙ୍କା ଯୋଗାଡ଼ କରିବାକୁ ନିଜର ସ୍ୱଳ୍ପ ଜମି ବନ୍ଧା ପକାଇଲେ, ନିଜର ସମ୍ପର୍କୀୟଙ୍କଠାରୁ କରଜ ନେଲେ। ତଥାପି ଆବଶ୍ୟକ ଟଙ୍କା ଯୋଗାଡ଼ ହୋଇ ପାରିଲା ନାହିଁ। ଶେଷରେ ନିଜର ଶେଷ ସମ୍ବଳ କୁହାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ବି ବନ୍ଧା ପକାଇବାକୁ ପଡ଼ିଲା। ଏହି ଦୁଃଖଭରା କାହାଣୀ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଧୂସାରି ଗାଁର ୭୦ ବର୍ଷୀୟ କେପାଙ୍ଗ ସୁନାମାଝୀ ଓ ତାଙ୍କ ପତ୍ନୀ ନାଗତାଲୁଙ୍କର।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ସୁନାମାଝୀଙ୍କ ପରିବାରରେ ଚାରି ପୁଅ ଓ ଚାରି ଝିଅ। ବଡ଼ ତିନି ପୁଅ ବିବାହ ପରେ ଅଲଗା ରହୁଛନ୍ତି।  ଚାରି ଝିଅ ବାହାହୋଇ ଯାଇଛନ୍ତି। କେପାଙ୍ଗ ଶାରୀରିକ ଦିବ୍ୟାଙ୍ଗ, ବୟସାଧିକ୍ୟ ଯୋଗୁଁ ନିୟମିତ ଶାରୀରିକ ପରିଶ୍ରମ କରିବା ତାଙ୍କ ପକ୍ଷରେ କଷ୍ଟଦାୟକ।  ନାଗତାଲୁ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି ସିଲେଇ କରୁଥିବାବେଳେ କେପାଙ୍ଗ ନିଜର ସ୍ୱଳ୍ପ ଜମିରେ ଝୁଡ଼ଙ୍ଗ ଚାଷ କରନ୍ତି। ଗଡ଼ାପୁର ସରକାରୀ ବିଦ୍ୟାଳୟରୁ ଦଶମ ପାସ୍‌ କରିବା ପରେ ପୁଅ ସୁଶାନ୍ତ ବ୍ରହ୍ମପୁରରେ ଏକ କଲେଜରେ ଯୁକ୍ତଦୁଇ ପଢ଼ିଥିଲେ। ପରେ ଗାଁକୁ ଫେରି ଚାଷକାମରେ ବାପାମାଆଙ୍କୁ ସହାୟତା କରିବା ସହ କୌଣସି କୋଚିଂ ନ ନେଇ  ନିଜ ଉଦ୍ୟମରେ ନିଟ୍‌ ପାଇଁ ପ୍ରସ୍ତୁତି କର ସଫଳତା ପାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ବାସ୍ତବ ସଂଘର୍ଷ। ନାମଲେଖା ପାଇଁ ଆବଶ୍ୟକ ଟଙ୍କା ସେମାନଙ୍କ ପାଖରେ ନ ଥିଲା। ସୁନାମାଝୀ ଦମ୍ପତି ନିଜର ସ୍ୱଳ୍ପ ଚାଷ ଜମିକୁ ଜଣେ ବ୍ୟକ୍ତିଙ୍କ ନିକଟରେ ୧୫ ହଜାର ଟଙ୍କାରେ ବନ୍ଧା ପକାଇଥିଲେ ବି ତାହା ସୁଶାନ୍ତଙ୍କ ନାମଲେଖା ପାଇଁ ପର୍ଯ୍ୟାପ୍ତ ନ ଥିଲା। ଶେଷରେ ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରେ ବନ୍ଧା ପକାଇବାକୁ ପଡ଼ିଲା। 

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଏହାପରେ ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ କଲେଜରେ ତାଙ୍କର ନାମଲେଖା ହୋଇଛି। ପୁଅର ଏହି ସଫଳତା ପରିବାର ପାଇଁ ଖୁସି ଆଣିଥିଲେ ମଧ୍ୟ ଆର୍ଥିକ ଦୁରବସ୍ଥା ଯୋଗୁଁ ଆଗକୁ ପାଠପଢ଼ା ଖର୍ଚ୍ଚ କିପରି ତୁଲାଇବେ, ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କରଜ ଟଙ୍କା ନ ଶୁଝିବା ପର୍ଯ୍ୟନ୍ତ କାର୍ଡ ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରେ ରହିବ ବୋଲି ସର୍ତ୍ତ ରହିଛି। ଋଣ ଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅର୍ଫା ମାଝୀ କହିଛନ୍ତି ଯେ  ପୁଅର ଭବିଷ୍ୟତକୁ ନେଇ ବାପାମାଆଙ୍କ ଚିନ୍ତା ଦେଖି ଗୋଷ୍ଠୀ ପକ୍ଷରୁ ସହାୟତା କରାଯାଇଥିଲା। ସେ ନେଇଥିବା ଋଣ ଉପରେ କୌଣସି ସୁଧ ନିଆ ଯିବନାହିଁ ବୋଲି ସେ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଅନ୍ୟପକ୍ଷରେ ପିଲାର ପାଠପଢ଼ା ପାଇଁ ବରିଷ୍ଠ ନାଗରିକଙ୍କ ଭତ୍ତା କାର୍ଡ଼ ବନ୍ଧା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ସେ କହିଛନ୍ତି ଯେ ଏହି ଘଟଣା ରାଜ୍ୟରେ ଡାକ୍ତରୀ ଶିକ୍ଷାର ବ୍ୟୟବହୁଳତା ଏବଂ ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକକୁ ସ୍ପଷ୍ଟ କରିଛି। ସୁଶାନ୍ତଙ୍କ ଭଳି ଜଣେ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ଯେପରି ଅର୍ଥାଭାବରୁ ଅଧାରେ ଅଟକି ନଯାଏ, ସେଥିପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଆର୍ଥିକ ସହାୟତା, ଛାତ୍ରବୃତ୍ତି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇଦେବା ଉଚିତ। ଓଡ଼ିଶାରୁ ସାମ୍ନାକୁ ଆସୁଥିବା ଏଭଳି ଦୁଃଖଦ ଘଟଣା ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ପ୍ରଶାସନର ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ଉଠାଉଛି। ଏହା କେବଳ ଅସହାୟ ପରିବାରର ଦୁର୍ଦ୍ଦଶାକୁ ସାମ୍ନାକୁ ଆଣୁନାହିଁ, ବରଂ ଜାତୀୟ ସ୍ତରରେ ରାଜ୍ୟର ଭାବମୂର୍ତ୍ତିକୁ ମଧ୍ୟ ପ୍ରଭାବିତ କରୁଛି। ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଦାରିଦ୍ର୍ୟ ଯେପରି କୌଣସି ଯୋଗ୍ୟ ଛାତ୍ରଙ୍କୁ ଶିକ୍ଷାରୁ ବଞ୍ଚିତ ନକରେ ଏବଂ ଗୋଟିଏ ପରିବାରକୁ ନିଜର ସମ୍ପତ୍ତି ବନ୍ଧା ପକାଇବାକୁ ବାଧ୍ୟ ନକରେ, ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର