ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଡିଜେ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଉକ୍ତ ଡିଜେ ଗାଡ଼ିଟି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରୁ ମାଲକାନଗିରି ଅଭିମୁଖେ ଆସୁଥିଲା। ସକାଳ ପ୍ରାୟ ୭ଟା ସମୟରେ ମାଥିଲି ଥାନା ଅନ୍ତର୍ଗତ ଅଁଳାଯୋଡ଼ି ନିକଟରେ ଚଳନ୍ତା ଗାଡ଼ିର ଏକ ଟାୟାର ହଠାତ୍ ଫାଟି ଯାଇଥିଲା। ଫଳରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଗାଡ଼ିଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ମାଥିଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଡିଜେ ଗାଡ଼ିକୁ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।






