PM ଫସଲ ବୀମା ଡାଟା ଅପଲୋଡରେ ଅବହେଳା: ୬ ଜିଲ୍ଲାର ADMଙ୍କୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଫସଲ କଟା ପରୀକ୍ଷଣ (CCE) ତଥ୍ୟ ଅନ୍ଲାଇନ୍ରେ ଅପଲୋଡ୍ କରିବାରେ ବିଫଳ ହୋଇଥିବାରୁ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ୬ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ADM) ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଭଦ୍ରକ, ସୁନ୍ଦରଗଡ଼, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ ଏବଂ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ପିଏମଏଫବିୱାଇର ନୋଡାଲ୍ ଅଫିସରମାନଙ୍କୁ ଏହି ନୋଟିସ୍ ଦିଆଯାଇଛି।
ବିଭାଗୀୟ ଚିଠି ଅନୁଯାୟୀ, ଆସନ୍ତା ୭ ଦିନ ମଧ୍ୟରେ ଏହି ବିଫଳତାର କାରଣ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବହେଳା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନେ ଫସଲ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ଚାଷୀଙ୍କ କ୍ଷତି ପାଇଁ ଦାୟୀ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମବାୟ ବିଭାଗ କଡ଼ା ଚେତାବନୀ ଦେଇଛି।






