ବାତ୍ୟା 'ଅର୍ଣ୍ଣବ'ର ଭୟଙ୍କର ରୂପ: ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ୍, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅର୍ଣ୍ଣବ ଏବେ ଅଧିକ ଘନୀଭୂତ ହୋଇ ଭୟଙ୍କର ରୂପ ଧାରଣ କରିଛି। ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (JTWC) ର ସୂଚନା କ୍ରମାଙ୍କ ୦୦୫ ଅନୁଯାୟୀ, ଗତକାଲି ଠାରୁ ଏହାର ତୀବ୍ରତା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ପବନର ବେଗ ଘଣ୍ଟାପ୍ରତି ୧୨୦ କି.ମିରୁ ୧୬୭ କି.ମିକୁ ବୃଦ୍ଧି ପାଇଛି। କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଥିବାବେଳେ, ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକ ମଧ୍ୟ ଏହାର ପ୍ରଭାବ ଅଞ୍ଚଳରେ ରହିଛି।
ଆଜି ସକାଳ ୫:୩୦ ସୁଦ୍ଧା ବାତ୍ୟା 'ଅର୍ଣ୍ଣବ' ବିଶାଖାପାଟଣା ଠାରୁ ୨୫୨ କି.ମି ଦକ୍ଷିଣ-ପୂର୍ବ ଏବଂ କାକିନାଡ଼ା ଠାରୁ ୨୯୪ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଜେଟିଡବ୍ଲ୍ୟୁସି (JTWC) ର ପୂର୍ବାନୁମାନ ଅନୁଯାୟୀ, ବାତ୍ୟାଟି ଏହାର ଗତିପଥ ସାମାନ୍ୟ ପରିବର୍ତ୍ତନ କରି ୨୮ ଅକ୍ଟୋବର (ବୁଧବାର) ଭୋର ସମୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦକ୍ଷିଣରେ ଥିବା କୋନାସୀମା-ୟାନାମ ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୭୬ କି.ମି ରହିବ ଏବଂ ଝଟକା ପବନ ୨୧୩ କି.ମି ଛୁଇଁପାରେ ବୋଲି ଆକଳନ କରାଯାଇଛି। ଲ୍ୟାଣ୍ଡଫଲ୍ ପରେ ଏହା ଉତ୍ତର ଆଡ଼କୁ ଗତି କରି ଆନ୍ଧ୍ରପ୍ରଦେଶ ଦେଇ ଦକ୍ଷିଣ ଛତିଶଗଡ଼ (ଚିନ୍ତୁର ଏବଂ ମାଲକାନଗିରି-ସୁକୁମା ସୀମାନ୍ତ) ମୁହାଁ ହେବ ଏବଂ ୨୯ ଅକ୍ଟୋବର ବେଳକୁ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଯିବ।
ଯଦିଓ ବାତ୍ୟାର କେନ୍ଦ୍ରଭାଗ ସିଧାସଳଖ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ନାହିଁ, ତଥାପି ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେବ:
ଲ୍ୟାଣ୍ଡଫଲ୍ ପୂର୍ବରୁ (ଅକ୍ଟୋବର ୨୭-୨୮): ସମୁଦ୍ରକୂଳରେ ଥିବାରୁ ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଠାରେ ତୀବ୍ର ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ। ସେହିପରି ପୁରୀ, ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ସହ ମେଘୁଆ ପାଗ ଲାଗିରହିବ।
ଲ୍ୟାଣ୍ଡଫଲ୍ ପରେ (ଅକ୍ଟୋବର ୨୮-୨୯): ବାତ୍ୟାଟି ସ୍ଥଳଭାଗ ଦେଇ ଆନ୍ଧ୍ର-ଓଡ଼ିଶା ସୀମା ଅତିକ୍ରମ କରିବା ସମୟରେ ଟ୍ରାକ୍ ନିକଟରେ ଥିବା ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ୬୫ ରୁ ୮୩ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାବ୍ୟତୀତ କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପବନର ପ୍ରଭାବ ଏବଂ ଭାରି ବର୍ଷା ଦେଖିବାକୁ ମିଳିବ। ରାୟଗଡ଼ା ଏବଂ ନୂଆପଡ଼ାରେ ମଧ୍ୟମ ଧରଣର ପବନ ଏବଂ ବର୍ଷା ହେବାର ସମ୍ଭାବନା ରହିଛି।
ବର୍ତ୍ତମାନର ଆକଳନ ଅନୁଯାୟୀ ଓଡ଼ିଶାରେ ସିଧାସଳଖ ଲ୍ୟାଣ୍ଡଫଲ୍ର ଆଶଙ୍କା ନଥିଲେ ମଧ୍ୟ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଗଞ୍ଜାମ, ମାଲକାନଗିରି ଓ କୋରାପୁଟ ପରି ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।






