ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ବିଜେପି ବିଧାୟକ ଓ ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦେଶରେ ଗଣତନ୍ତ୍ରକୁ ବିଜେପି ହତ୍ୟା କରୁଥିବା ବେଳେ ଏବେ କ୍ୟାମ୍ପସ ରାଜନୀତିରେ ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି କହି ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ କ୍ୟାମ୍ପସ ରାଜନୀତିରେ ସରକାରୀ ହସ୍ତକ୍ଷେପକୁ ବିରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଏସିଆନ୍ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ସାରା ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ନିଜର ପ୍ରସ୍ତୁତି ପର୍ବ ସାରିଲା ପରେ ସରକାର ନିର୍ବାଚନ ଘୋଷଣା କଲେ। ଆଜି ଓଡ଼ିଶାରେ ପ୍ରାୟ ୬୦୦ କଲେଜ ଓ ପାଖାପାଖି ୧୨ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ୩ଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟ କଲେଜ ମାନଙ୍କରେ ଏବିଭିପି ପ୍ରାର୍ଥୀ ମାନେ ନିର୍ବାଚନ ଜିତିପାରିବେ ନାହିଁ ବୋଲି ସେଠାରେ ସରକାର ନିର୍ବାଚନ କରାଉ ନାହାନ୍ତି। ଛାତ୍ର ସଂସଦ ନିର୍ବାଚନରେ ନଗର ଉନ୍ନୟନ ମନ୍ତ୍ରୀ କଲେଜ ଅଧ୍ୟକ୍ଷ ଓ ଭିସି ମାନଙ୍କୁ ଡାକି ରିଭ୍ୟୁ ନାଁରେ ଏବିଭିପି ଛାତ୍ର ସଂଗଠନ କିଭଳି ଜିତିବ ସେଥିପାଇଁ ତାଙ୍କୁ ତାଗିଦ କରୁଥିବାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେହିଭଳି ଚିକିଟି ବିଧାୟକ ପାତ୍ରପୁର ବ୍ଲକ ଅଫିସରେ ସନ୍ଧ୍ୟା ୫ଟାରେ ସବୁ କଲେଜର କର୍ମଚାରୀ ମାନଙ୍କୁ ବୈଠକ କରାଇବା ପାଇଁ ଚିଠି କରାଯାଉଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଭାରତୀୟ ଜନତା ପାର୍ଟି ଦେଶରେ ଗଣତନ୍ତ୍ରକୁ ହତ୍ୟା କରୁଥିବା ବେଳେ ଏବେ କଲେଜ ରାଜନୀତିରେ ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଢ଼ାଇ ନେବାକୁ ଚକ୍ରାନ୍ତ କରୁଛି। କିଛିଦିନ ତଳେ ପୁଲିସ ଡିଜି ଏକ ବୈଠକରେ କଲେଜ ମାନଙ୍କରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମାନଙ୍କୁ ନିର୍ଦ୍ଦେର୍ଶ ଦେଇଥିଲେ। ଯେଉଁ କଲେଜ ମାନଙ୍କରେ ଏବିଭିପି ପ୍ରାର୍ଥୀ ଜିତିପାରିବେ ନାହିଁ ବୋଲି ଅନୁଭବ କରୁଛନ୍ତି, ସେହି ସ୍ଥାନ ମାନଙ୍କରେ ପୁଲିସ୍‌ ସହଯୋଗରେ ଏବିଭିପିର ସମର୍ଥିତ ଅଣଛାତ୍ର ମାନେ କଲେଜ ଭିତରେ ପ୍ରବେଶ କରି ବୋମା ପକାଇ ହିଂସାକାଣ୍ଡ ସୃଷ୍ଟି କରି କଲେଜ ନିର୍ବାଚନକୁ ବନ୍ଦ କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ୨୦୨୬: କ୍ୟାମ୍ପସରେ ହିଂସା ଓ ବାହାର ଲୋକଙ୍କ ପ୍ରବେଶକୁ ନେଇ ଡିଜିପିଙ୍କ କଡ଼ା ଚେତାବନୀ

ସେହିପରି ଚିନ୍ମୟ ସାହୁ କହିଥିଲେ ଯେ ସରକାର ଯଦି ଛାତ୍ର ସଂସଦ ନିର୍ବାଚନ କରାଇବାର ଥିଲା, କାହିଁକି ଏକାଡେମିକ କ୍ୟାଲେଣ୍ଡରରେ ଆଗୁଆ ସୂଚନା ଦେଲେ ନାହିଁ। ଆଡ୍‌ମିଶନ ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ସରକାର ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲେ। ସରକାରୀ ଦଳର ମନ୍ତ୍ରୀ ମାନେ ଯେଉଁଭଳି ସିଧାସଳଖ ଛାତ୍ର ସଂସଦ ନିର୍ବାଚନରେ ହସ୍ତକ୍ଷେପ କରି ଚାପ ପକାଉଛନ୍ତି, ତାହାକୁ ବିଜୁ ଜନତା ଦଳ କେବେ ହେଲେ ବରଦାସ୍ତ କରିବ ନାହିଁ। ଆଜି ସମଗ୍ର ଓଡ଼ିଶାରେ ୨୦୬ଟି କଲେଜରେ କ’ଣ ପାଇଁ ନିର୍ବାଚନ ବନ୍ଦ ହୋଇଛି, ଉଚ୍ଚଶିକ୍ଷା ମନ୍ତ୍ରୀ ତାହାର ଜବାବ ଦେବାର ଆବଶ୍ୟକତା ରହିଛି। ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ, ଲିଙ୍ଗଡୋ କମିଶନଙ୍କ ମାର୍ଗଦର୍ଶିକା ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ, କିନ୍ତୁ ସରକାର ନିଜେ ଏହାକୁ ଖୁଲମଖୁଲା ଉଲ୍ଲଂଘନ କରୁଛନ୍ତି। ସରକାର ଏଭଳି ନ କରି ବରଂ କେବଳ ଏବିଭିପିର ଛାତ୍ର ସଂଗଠନ ଯେଉଁଠି ନିର୍ବାଚନ ଜିତିପାରିବ, ସେହି ଜାଗାରେ ନିର୍ବାଚନ କରାଇବାକୁ ବିଜ୍ଞପ୍ତି କରି ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଇପ୍ସିତା ସାହୁ କହିଥିଲେ ଯେ ଯେଉଁ ଛାତ୍ର ସଂସଦ ନିର୍ବାଚନ ଭାଇଚାରା ଓ ବନ୍ଧୁତ୍ୱରେ କ୍ୟାମ୍ପସମାନଙ୍କରେ ଅନୁଷ୍ଠିତ ହେଉଥିଲା, ଆଜି ସେହି କ୍ୟାମ୍ପସକୁ ଭାରତୀୟ ଜନତା ପାର୍ଟିର ସରକାର ଅଶାନ୍ତର ବାତାବରଣରେ ଭରି ଦେଇଛି। ବିଜେପି ଗୋଟିଏ  ‘ଜେନ୍‌ ଜି’ବିରୋଧୀ ଦଳ ଭାବେ ଭାରତବର୍ଷରେ ସୁନାମ ଅର୍ଜନ କରିଥିବା ବେଳେ ଓଡ଼ିଶାରେ ‘ଜେନ୍‌ ଜି’ମାନଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଭରପୂର ପ୍ରୟାସ ଜାରି ରଖିଛି। ନିର୍ବାଚନ ଘୋଷଣା ପରେ କଲେଜମାନଙ୍କରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଲା, ତଦନୁଯାୟୀ ପିଲାମାନେ ନାମାଙ୍କନ ପତ୍ର ଭରିଲେ। ମାତ୍ର ଆଜି ପିଲାମାନେ ନାମାଙ୍କନପତ୍ର ଦାଖଲ କରିସାରିଲା ପରେ ୪.୨୫ ମିନିଟ୍‌ ସମୟରେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତକାଲିର ଏକ ବିଜ୍ଞପ୍ତି ପ୍ରକାଶ କରାଗଲା। ଯେଉଁଥିରେ କିଛି ନୂତନ ନିୟମ ସାମ୍ନାକୁ ଆସିଲା, ଯାହାଦ୍ୱାରା ବହୁ ଛାତ୍ର ନେତାମାନଙ୍କ ପ୍ରାର୍ଥିପତ୍ର ନାକଚ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ଏହିଭଳି ଭାବେ ସାରା ଓଡ଼ିଶାରେ ହୋଇଥିବ, ତା’ହେଲେ କୌଣସି ଜାଗାରେ ଆମେ ଛାତ୍ର ସଂସଦ ନିର୍ବାଚନ କରାଇ ଦେବୁ ନାହୁଁ। ବେଳ ଥାଉଁ ଥାଉଁ ନ ସୁଧୁରିଲେ ସରକାର ରାଜରାସ୍ତାରେ ଲଢ଼େଇ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର