ଆୟୁଷ୍ମାନ ଯନ୍ତ୍ରଣା: ସୂଚୀରେ ନାହିଁ ଅନେକ ଜଟିଳ ରୋଗ ଚିକିତ୍ସା ବ୍ୟୟ ….
ଭୁବନେଶ୍ୱର: ଚିକିତ୍ସା କରାଯାଉଛି ୨୦୨୫ ମସିହାରେ, କିନ୍ତୁ ଡାକ୍ତରଖାନାକୁ ପାଉଣା ଦେବା ବେଳକୁ ୨୦୧୫ ମସିହାରେ ଧାର୍ଯ୍ୟ ଦରରେ ହିସାବ କରାଯାଉଛି। ଫଳରେ ଯେଉଁ ଚିକିତ୍ସା ପାଇଁ ବିଏସ୍କେୱାଇରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରାବଧାନ ଥିଲା, ଆୟୁଷ୍ମାନରେ ତାହା ୩୦ ହଜାରରୁ ୩୫ ହଜାର ମଧ୍ୟରେ ରହିଛି । ଯାହାକୁ ନେଇ ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଦ୍ୱନ୍ଦ୍ୱରେ ରହୁଛନ୍ତି। ଆୟୁଷ୍ମାନ ଲାଗୁ ହେବା ପୂର୍ବରୁ ଏଥିରେ ବିଏସ୍କେୱାଇ ଭଳି ସୁବିଧା […]
ଭୁବନେଶ୍ୱର: ଚିକିତ୍ସା କରାଯାଉଛି ୨୦୨୫ ମସିହାରେ, କିନ୍ତୁ ଡାକ୍ତରଖାନାକୁ ପାଉଣା ଦେବା ବେଳକୁ ୨୦୧୫ ମସିହାରେ ଧାର୍ଯ୍ୟ ଦରରେ ହିସାବ କରାଯାଉଛି। ଫଳରେ ଯେଉଁ ଚିକିତ୍ସା ପାଇଁ ବିଏସ୍କେୱାଇରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ପ୍ରାବଧାନ ଥିଲା, ଆୟୁଷ୍ମାନରେ ତାହା ୩୦ ହଜାରରୁ ୩୫ ହଜାର ମଧ୍ୟରେ ରହିଛି । ଯାହାକୁ ନେଇ ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ଦ୍ୱନ୍ଦ୍ୱରେ ରହୁଛନ୍ତି। ଆୟୁଷ୍ମାନ ଲାଗୁ ହେବା ପୂର୍ବରୁ ଏଥିରେ ବିଏସ୍କେୱାଇ ଭଳି ସୁବିଧା ଥିବା କୁହାଗଲା, ମାତ୍ର ଯୋଜନା ଲାଗୁ ହେବା ପରେ ଜଣାଗଲା ଯେ ଏଥିରେ ଚିକିତ୍ସା ପ୍ୟାକେଜ୍ (ଖର୍ଚ୍ଚ) ପୂର୍ବାପେକ୍ଷା ଢେ଼ର କମ୍। ତେଣୁ ଏତିକି ଟଙ୍କାରେ ହିତାଧିକାରୀଙ୍କ ଚିକିତ୍ସା ସମ୍ଭବ ନୁହେଁ ବୋଲି ବିଭିନ୍ନ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଖୋଲାଖୋଲି କହୁଛନ୍ତି। ଘରୋଇ ଡାକ୍ତରଖାନା ସଂଘ ଆୟୁଷ୍ମାନ ଭାରତ ଚିକିତ୍ସା ପ୍ୟାକେଜ୍କୁ ନେଇ ପ୍ରତିବାଦ ଜଣାଇଥିବା ବେଳେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା)ରେ ବଜାର ଦରକୁ ଦୃଷ୍ଟିରେ ରଖି ଚିକିତ୍ସା ପ୍ୟାକେଜ୍ ନିର୍ଦ୍ଧାରଣ କରଯାଇଥିଲା। ଫଳରେ ରୋଗୀ କେବଳ ବିଏସ୍କେୱାଇ କାର୍ଡ ଖଣ୍ଡେ ଧରି ବଡ଼ ବଡ଼ ଘରୋଇ ଡାକ୍ତରଖାନାରେ ସୁବିଧାରେ ଚିକିତ୍ସା ପାଉଥିଲେ। ହେଲେ ଏବେ ଆଉ ସେ ପରିସ୍ଥିତି ନାହିଁ। ବିଏସ୍କେୱାଇରେ କେବଳ ନାମ ପରିବର୍ତ୍ତନ ହୋଇଛି ସବୁ ନିୟମ ସମାନ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଦାବି କରୁଥିଲେ ସୁଦ୍ଧା ବାସ୍ତବ ଚିତ୍ର ଭିନ୍ନ। ଅନେକ ରୋଗୀଙ୍କ କ୍ଷେତ୍ରରେ ଆୟୁଷ୍ମାନ ପ୍ୟାକେଜ ଲାଗୁ କରାଯାଉଛି। ଏପରିସ୍ଥଳେ ଘରୋଇ ଡାକ୍ତରଖାନା ହିତାଧିକାରୀଙ୍କୁ ପ୍ରଥମେ ଟଙ୍କା ଦାଖଲ ପାଇଁ କହୁଥିବା ଅଭିଯୋଗ ଆସିଛି।
ବିଏସ୍କେୱାଇ ତୁଳନାରେ ଆୟୁଷ୍ମାନ ଭାରତ ଚିକିତ୍ସା ପ୍ୟାକେଜ ୩୦%ରୁ ୬୦% କମ୍ ରଖାଯାଇଛି। ଏଥିସହ ସିଟି ସ୍କାନ, ଏମ୍ଆରଆଇ, ପିଏଫ୍ଟି, ଏନ୍ସିଭି, ଇଏମ୍ଜି ଭଳି ବ୍ୟୟବହୁଳ ନିଦାନ ବ୍ୟବସ୍ଥା ଚିକିତ୍ସା ପ୍ୟାକେଜରେ ନାହିଁ। ହୃଦରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରତିରୋପଣ ହେଉଥିବା ପେସ୍ ମେକର୍ ଦାମ୍ ଦେଢ଼ ଲକ୍ଷ ଟଙ୍କା। କିନ୍ତୁ ଆୟୁଷ୍ମାନ ଯୋଜନାରେ ରହିଛି ୭୫ ହଜାର ଟଙ୍କାର ବ୍ୟବସ୍ଥା। ସେହିପରି କାର୍ଡିଓଟୋକୋଗ୍ରାଫୀ (ସିଟିଜି), ମେରୁଦଣ୍ଡ ଚିକିତ୍ସା,ମସ୍ତିଷ୍କ ରୋଗ, କିଡ୍ନୀ ରୋଗ, ସ୍ନାୟୁ ରୋଗ, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଭଳି ଗୁରୁତର ମାମଲାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍ ରହିଛି। ଅନେକ ଜଟିଳ ରୋଗକୁ ଚିକିତ୍ସା ପ୍ୟାକେଜରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି।
ଅଲ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଫୋରମ୍ ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, ବିଏସ୍କେୱାଇରେ ଚିକିତ୍ସା ପ୍ୟାକେଜ ବହୁତ ଭଲ ଥିବା ସତ୍ତେ୍ୱ ବର୍ଦ୍ଧିତ ଖର୍ଚ୍ଚ ହେତୁ ସେଥିରେ ଅନ୍ୟୁନ ୩୦% ବୃଦ୍ଧି କରିବା ପାଇଁ ଆମେ ସରକାରଙ୍କ ନିକଟରେ ଦାବି କରୁଥିଲୁ। କିନ୍ତୁ ଆୟୁଷ୍ମାନ ଲାଗୁ ହେବା ଫଳରେ ବଢ଼ିବା ବଦଳରେ ପ୍ୟାକେଜ ଖର୍ଚ୍ଚ ୧୦ ବର୍ଷ ତଳକୁ ଚାଲି ଯାଇଛି। ଅନେକ ବ୍ୟୟବହୁଳ ଚିକିତ୍ସାକୁ ଏଥିରୁ ବାଦ୍ ଦିଆଯାଇଛି। କୌଣସି ରୋଗର ଚିକିତ୍ସା ଖର୍ଚ୍ଚ ବଢ଼ି ନାହିଁ ବରଂ କମାଇ ଦିଆଯାଇଛି। ଏତେ କମ୍ ଖର୍ଚ୍ଚରେ ରୋଗୀ ଚିକିତ୍ସା କରିବା ସମ୍ଭବ ନୁହେଁ। ଏ ସମ୍ପର୍କରେ ଆମେ ସରକାରଙ୍କୁ ଅବଗତ କରି ପ୍ୟାକେଜ ସଂଶୋଧନ ପାଇଁ ଦାବି ଜଣାଇଛୁ। ପ୍ରଚଳିତ ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ଡ଼ା ଜେନା କହିଛନ୍ତି।
ତାଲିକାରୁ ହଟିଲା ୫ ଜଟିଳ ଅସ୍ତ୍ରୋପଚାର
ଆରମ୍ଭରୁ ଆୟୁଷ୍ମାନ ଯୋଜନାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥିବା ବେଳେ ଆଜି ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ‘ଆୟୁଷ୍ମାନ ଭାରତ’ ୱେବ୍ସାଇଟ୍ରେ ଚିକିତ୍ସା ତାଲିକାରୁ ୫ ପ୍ରକାର ଜଟିଳ ଅସ୍ତ୍ରୋପଚାର ହଟାଇ ଦିଆଯାଇଛି। ଏ ସମ୍ପର୍କରେ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଆଗୁଆ ସୂଚନା ଦିଆଯାଇ ନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଦୋହରା ମାନଦଣ୍ଡକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ ଯେଉଁ ହସ୍ପିଟାଲ କିମ୍ବା ନର୍ସିଂହୋମ୍ର ଆଇସିୟୁ ନ ଥିବ ସେଠି ଜଟିଳ ରୋଗର ଅସ୍ତ୍ରୋପଚାର କରାଯାଇ ପାରିବ ନାହିଁ। ୟୁରୋଲୋଜି, ଶିଶୁ ରୋଗ, କର୍କଟ ରୋଗ, ସ୍ନାୟୁରୋଗ, ଗ୍ୟାଷ୍ଟ୍ରିକ୍ ଭଳି ରୋଗର ଅସ୍ତ୍ରୋପଚାର ଅନେକ ପଞ୍ଜିକୃତ ଡାକ୍ତରଖାନାଗୁଡିକର ତାଲିକାରୁ କାଢ଼ି ନିଆଯାଇଛି। ଏହା ଦେଖିବା ପରେ କିଛି ନର୍ସିଂହୋମ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରାଯିବା ପରେ ଆଇସିୟୁ ସର୍ତ୍ତ ସମ୍ପର୍କରେ ଜଣାପଡିଥିଲା। ଏ ନେଇ ଅଲ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଫୋରମ୍ ପକ୍ଷରୁ କୁହାଯାଇଛି ଯେ ଆଇସିୟୁ ନଥିବା ସତ୍ତେ୍ୱ ଏପରି ଅସ୍ତ୍ରୋପଚାର କରିବା ପାଇଁ ସରକାର ଆମକୁ ଅନୁମତି ଦେଇଥିଲେ। ବର୍ଷ ବର୍ଷ ଧରି ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି; କିନ୍ତୁ ଆଜି ହଠାତ୍ ଜାଣିବାକୁ ପାଇଲୁ ଯେ ଆଇସିୟୁ ନଥିଲେ ଏପରି ଅସ୍ତ୍ରୋପଚାର ହୋଇପାରିବ ନାହିଁ। ଫଳରେ ଆଜି ବହୁତ ଆୟୁଷ୍ମାନ ହିତାଧିକାରୀ ଚିକିତ୍ସା ନ ପାଇ ଫେରିଥିଲେ। ବହୁ ଦୂରରୁ ରୋଗୀ ଆସି ନିରାଶ ହୋଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଏସବୁ ଅସ୍ତ୍ରୋପଚାର ପାଇଁ ଆଇସିୟୁ ଥିବା ଜରୁରୀ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗର ନିୟମ କହୁଥିବା ବେଳେ ଆୟୁଷ୍ମାନ ଭାରତରେ ସମାନ ଅସ୍ତ୍ରୋପଚାର ପାଇଁ ଅଲଗା ନିୟମ ଲାଗୁ କରିବା ପଛରେ ଯଥାର୍ଥତା କ’ଣ ବୋଲି ପ୍ରଶ୍ନ କରାଯାଇଛି।






