ଚରମ ଅରାଜକତା; ରାଜ୍ୟରେ ଦିନକୁ ୭ ଦୁଷ୍କର୍ମ, ୨୧ ଅସଦାଚରଣ...

Deviprasad Mohanty Picture
Published On

ଭୁବନେଶ୍ୱର: ଦିନକୁ ଦିନ ବଢ଼ୁଛି ରାଜ୍ୟରେ ମହିଳା ବିରୋଧୀ ହିଂସା। ଅଶାନ୍ତ ହେଉଛି ଓଡ଼ିଶା, ବିପର୍ଯ୍ୟସ୍ତ ହୋଇ ଚାଲିଛି ଆଇନଶୃଙ୍ଖଳା ପରିସ୍ଥିତି। ବିଧାନସଭାରେ ଖୋଦ ସରକାର ଦେଇଛନ୍ତି ଏ ସଂକ୍ରାନ୍ତ ତଥ୍ୟ। ଗତ ୧୫ ମାସ ମଧ୍ୟରେ ରାଜ୍ୟର ୩୨୦୫ ଜଣ ମହିଳା ଦୁଷ୍କର୍ମ ବା ଗଣ ଦୁଷ୍କର୍ମର ଶିକାର ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ଗୋଟିଏ ପଟେ ଝିଅ ପୋଡିକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। ଗୋଟିଏ ପରେ ଗୋଟିଏ ଘଟଣା ରାଜ୍ୟ ପାଇଁ ଅପବାଦ ଡାକି ଆଣୁଛି। ଏପରି ମାମଲା ଥମିବାର ନାଁ ଧରୁ ନ ଥିବାବେଳେ ଦୁଷ୍କର୍ମ ଓ ମହିଳା ହିଂସା ତଥ୍ୟ ସମସ୍ତଙ୍କୁ ଭୟଭୀତ କରିଛି।  

ଆହୁରି ପଢ଼ନ୍ତୁ: ଦୁର୍ବଳ ହେବାରେ ଲାଗିଛି ଭାରତୀୟ ମୁଦ୍ରା ‘ଟଙ୍କା’, ଡଲାର ତୁଳନାରେ ରେକର୍ଡ ସର୍ବନିମ୍ନ ୯୦ ଟଙ୍କା ସ୍ତରକୁ ଖସିଆସିଛି

ରାଜ୍ୟରେ ମହିଳା ହିଂସା ସଂକ୍ରାନ୍ତରେ ବିଧାନସଭାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଗତ ୧୫ ମାସ  ମଧ୍ୟରେ ରାଜ୍ୟରେ ମୋଟ୍‌ ୩୨୦୫ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି।  ସେହିପରି ଏହି ସମୟ ମଧ୍ୟରେ ୨୦୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ମଧ୍ୟ ମାମଲା ରୁଜୁ ହୋଇଛି। 

ଆହୁରି ପଢ଼ନ୍ତୁ: ଆପାର୍ଟମେଣ୍ଟ କିଣାବିକା ପାଇଁ ଫିଟିଲା ବାଟ, ଆସିଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ...

ଅନ୍ୟପକ୍ଷରେ ରାଜ୍ୟରେ ଅସଦାଚରଣ ମାମଲା ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତ ୧୫ ମାସ ମଧ୍ୟରେ ରାଜ୍ୟରେ ୯ ହଜାର ୮୫୧ଜଣ ମହିଳା ଅସଦାଚରଣ ଜନିତ ହିଂସାର ଶିକାର ହୋଇଛନ୍ତି। ସେହିପରି ଗତ ୧୫ ମାସରେ ୧୪୭୬ ଜଣ ମହିଳା ଯୌନ ପ୍ରତାରଣାର ଶିକାର ହୋଇଛନ୍ତି ଏବଂ ୮୮୬୩ ଜଣଙ୍କୁ ଅପହରଣ କରାଯାଇଛି। ସର୍ବସାଧାରଣସ୍ଥଳରେ ୨୩୧୦ ଜଣ ମହିଳାଙ୍କୁ ବିବସ୍ତ୍ର କରାଯାଇଥିବାବେଳେ ୧୨୯ ଜଣଙ୍କୁ ଚାଲାଣ କରାଯାଇଛି। ସେହିପରି ମହିଳାଙ୍କୁ ଖରାପ ନଜରରେ ଦେଖିବା ଯୋଗୁଁ ୫୫୬ଟି ମାମଲା ରୁଜୁ ହୋଇଥିବାବେଳେ ଅଶ୍ଳୀଳ ଆଚରଣ ପାଇଁ ୭୯୬ ମାମଲା ରୁଜୁ କରାଯାଇଥିବା ତଥ୍ୟ ପ୍ରକାଶ ପାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଯୋଗୁଁ ରାଜ୍ୟରେ ଅପରାଧୀ ଉପରମୁହାଁ ହୋଇଯାଇଛନ୍ତି। ମହିଳା ବିରୋଧୀ ହିଂସା ରୋକିବାରେ ପୁଲିସର ନିଷ୍କ୍ରିୟତା ଚିନ୍ତା ବଢ଼ାଇଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।  

ଆହୁରି ପଢ଼ନ୍ତୁ: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି

ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ବେଳେ ବିଧାୟକ ଅରୁଣ ସାହୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ମହିଳା ଅସଦାଚରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଅଛି। ଓଡ଼ିଶା ତଳକୁ ମହାରାଷ୍ଟ୍ର ରହିଥିବା କହି ସେ ସରକାରଙ୍କୁ ସମାଲୋଚନା କରିଛନ୍ତି।

Join Us @ WhatsApp

About The Author

Google News
Join Us @ WhatsApp