ରାଜନୀତିର ଭିନ୍ନ ସ୍ୱର ନବୀନ

ପ୍ରଜାମାନଙ୍କର ଶୃଙ୍ଖଳିତ ଜୀବନଯାପନ ପାଇଁ ଶାସନ ଗାଦିରେ ବସିଥିବା ବ୍ୟକ୍ତିବିଶେଷ ଦ୍ୱାରା ପ୍ରଣିତ ଅନୁଶାସନ ଧାରାକୁ ରାଜନୀତି କୁହାଯାଇଥାଏ। ପୁରାଣ ବର୍ଣ୍ଣିତ ରାଜା ହେଉ କି ଅବତାରୀ ପୁରୁଷ ଅବା ଇତିହାସର କେଉଁ ସମ୍ରାଟ - ସମସ୍ତେ ନିଜ ନିଜର ସ୍ୱତନ୍ତ୍ର ନୀତିରେ ଶାସନ କରିଆସିଛନ୍ତି। ଏହି ନୀତିରେ କିଏ ପ୍ରଜାନୁରଞ୍ଜନର ଆଖ୍ୟା ପାଇଛି ତ କିଏ ବ୍ୟଭିଚାରୀ ବା ସ୍ୱେଚ୍ଛାଚାରୀ ଶାସକର ଟୀକା ପିନ୍ଧି ଜନମାସନରେ ରେଖାଙ୍କିତ ହୋଇ ରହିଯାଇଛି। ଆଜିର ଗାଣତନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ସମାନ ନୀତି ଅନୁସରଣରେ ଶାସନ ଚାଲିଛି। ଫରକ୍ ଏତିକି ହୋଇଛି ଯେ, ଶାସନ ଗାଦିରେ ବସୁଥିବା ବ୍ୟକ୍ତିବିଶେଷ ବା ଦଳକୁ ସାଧାରଣଜନତା ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରି ଦେଶ ବା ରାଜ୍ୟ ଶାସନର ଅଧିକାର ବା କ୍ଷମତା ଦେଉଛନ୍ତି, ଯାହା ସମୟାନ୍ତରରେ ପରିବର୍ତ୍ତନଶୀଳ।
ରାଜ୍ୟ ବା ପ୍ରଜା ଶାସନର ଧାରା ବା ନୀତିକୁ ରାଜନୀତି କୁହାଯାଉଥିଲେ ହେଁ, ସାଧାରଣ ଭାବେ କପଟତାର ଦାଓପେଞ୍ଚ ହିଁ ରାଜନୀତିର ପ୍ରକୃତ ପରିଭାଷାକୁ ବୁଝାଇଥାଏ। ଶାସନ ଗାଦି ଅକ୍ତିଆର କରିବା ପାଇଁ କଳ-ବଳ-କୌଶଳର ନୀତି ହିଁ ରାଜନୀତିର ଏକ ବିପକ୍ଷ ବା ବିପରୀତ ପରିଚୟ ସୃଷ୍ଟି କରିଛି। ଆଜିର ଗଣତନ୍ତ୍ରରେ ଖୁବ୍ କମ୍ ନେତା ଦେଖାଯା’ନ୍ତି, ଯେଉଁମାନେ କି ଏହି ଭିନ୍ନ ରାଜନୀତିର ସ୍ୱର ଓ ସ୍ୱାକ୍ଷରଠୁ ବହୁ ଦୂରରେ। ସେମାନେ ଶାସନ କ୍ଷମତାରେ ଥା’ନ୍ତୁ କି ନ ଥାଆନ୍ତୁ, ପ୍ରଜାନୁରଞ୍ଜନର ମାଳା ପିନ୍ଧି ଜନତାଙ୍କ ମାନସପଟରେ ସର୍ବଦା ଝଟକୁଥା’ନ୍ତି। ସେମାନେ ନିଜ ଦଳ, ନିଜ ପରିବାର, ନିଜ ସଂପର୍କୀୟ କିମ୍ବା ନିଜ ଅନୁଗତ - କାହାକୁ ବି ଖୁସି କରିବା ବଦଳରେ ଜନକଲ୍ୟାଣର ମନ୍ତ୍ରରେ ଦୀକ୍ଷିତ ହୋଇ ନିନ୍ଦା-ପ୍ରଶଂସାର ଊର୍ଦ୍ଧ୍ବରେ ରହି ଜୀବନ ବିତାଉଥା’ନ୍ତି। ଏମିତି ଅନେକଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୨୪ ବର୍ଷର ନିରଂକୁଶ ଶାସନ ଗାଦିରେ ଥିବା ବିଜୁ ଜନତା ଦଳର ସର୍ବମାନ୍ୟ ସଭାପତି ନବୀନ ଏବେ ବିରୋଧୀ ଦଳ ନେତା। ଭୋଟ ରାଜନୀତିରେ ନବୀନ ଆଜି ମୁଖ୍ୟମନ୍ତ୍ରୀ ଆସନରୁ ଅପସରି ଯାଇଛନ୍ତି ସତ; ଓଡ଼ିଶାର କୋଟି କୋଟି ଜନତା ଆଜି ବି ତାଙ୍କୁ ମୁଖିଆ ଭାବେ ଗଣୁଛନ୍ତି।
ଦୁର୍ଭିକ୍ଷ, ଅନାହାର, ନିରକ୍ଷରତା, ବେକାରୀ, ପ୍ରାକୃତିକ ବିପର୍ଯ୍ୟୟର ତାଡ଼ନାରେ ଜର୍ଜରିତ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ପଣ ନେଇ ନବୀନ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୁଙ୍କ ପ୍ରତି ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲ ପାଇବାକୁ ଆଧାର କରି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିବା ବିଜୁ ଜନତା ଦଳର ମଙ୍ଗ ଧରିଥିଲେ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ। ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖରେ ନବୀନ ଓଡ଼ିଶାର ୧୪ତମ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ପୂର୍ବରୁ ୧୯୯୮ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାରୁ ସାଂସଦ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ସରକାରରେ ଖଣି ମନ୍ତ୍ରୀ ଭାବେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିଲେ। ଏହାପରେ ୨୦୦୦ ମସିହାର ସାଧାରଣ ନିର୍ବାଚନ ଜିତି ନବୀନ ବିଜେଡି-ବିଜେପି ମେଣ୍ଟର ନେତା ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ୨୦୦୪ ମସିହା ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଏନ୍ଡିଏର ନିର୍ବାଚନ ପରାଜୟ ସତ୍ତେ୍ୱ ଓଡ଼ିଶାରେ ନବୀନଙ୍କ ଦୂରଦର୍ଶୀ ଶାସନ ନୀତି ପାଇଁ ରାଜ୍ୟବାସୀ ପୁଣି ଥରେ ବିଜେଡି-ବିଜେପି ମେଣ୍ଟକୁ ଜିତାଇଲେ ଏବଂ ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ରାଜ୍ୟରେ ଧର୍ମୀୟ ବିଭେଦ କାରଣକୁ ନେଇ ବିଜେପିଠାରୁ ଦୂରେଇ ଯାଇ ୨୦୦୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଏକାକୀ ଲଢ଼ିଲା ଏବଂ ଓଡ଼ିଶାବାସୀ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ।
ସୁତରାଂ ୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏଭଳି ଏକ ପରିବେଶ ସୃଷ୍ଟି କରିଛନ୍ତି, ଏବେ ଏବେ ନୂଆକରି ସାବାଳକ ହୋଇ ଭୋଟ ଦେଇଥିବା ଯୁବକଯୁବତୀମାନେ ତାଙ୍କ ଜୀବନକାଳ ଭିତରେ କେବଳ ଗୋଟିଏ ଚେହେରାକୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦେଖି ଆସିଛନ୍ତି। ଆଜି ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ହେଁ, ଏବେବି ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ପଚାରିଲେ କିଛି ଲୋକଙ୍କ ପାଟିରୁ ଅଜାଣତରେ ବା ଅଭ୍ୟାସଗତରେ ନବୀନ ପଟ୍ଟନାୟକ ବୋଲି ବାହାରି ଆସୁଛି। ଏହା କେବଳ ନବୀନଙ୍କ ଦୀର୍ଘବର୍ଷର ଶାସନ ଅବଧି ପାଇଁ ନୁହେଁ; ଚିରାଚରିତ ରାଜନୀତିକି ଦାଓପେଞ୍ଚ ବା କପଟତାରୁ ଦୂରେଇ ନବୀନ ଓଡ଼ିଶା ରାଜନୀତିରେ ଛାଡ଼ିଯାଇଥିବା ଅଲିଭା ଛାପ ଯୋଗୁଁ। କହିବାକୁ ଗଲେ, ନବୀନ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ; ତାଙ୍କ ନିର୍ବିବାଦୀୟ ନେତୃତ୍ୱ, ସ୍ୱଳ୍ପଭାଷୀ, ସୁବିଚାର ଓ ଜନକଲ୍ୟାଣକାରୀ ଦୂରଦର୍ଶୀ ଶାସନ ପାଇଁ ସେ ଆଜି ଓଡ଼ିଶାର ଘରେ ଘରେ ଜଣେ ପରିଚିତ ଓ ପୂଜନୀୟ ବ୍ୟକ୍ତିତ୍ୱ। ଦଳୀୟ ଭାବନା ନେଇ କୁତ୍ସାରଟନା କରୁଥିବା ଅନ୍ୟଦଳର ଲୋକଟିଏ ନବୀନଙ୍କୁ ସମ୍ମୁଖରେ ଦେଖିଲେ ଲଜ୍ଜାବୋଧର କରେ, ଆଉ ତାଙ୍କୁ ଯଥୋଚିତ ସମ୍ମାନ ଜଣାଇବାକୁ କୁଣ୍ଠାବୋଧ କରେ ନାହିଁ। କେବଳ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ନୁହେଁ; କେନ୍ଦ୍ରରେ ମଧ୍ୟ ସର୍ବଦଳୀୟ ଗ୍ରହଣୀୟତା ନବୀନଙ୍କୁ ଜଣେ ସର୍ବମାନ୍ୟ ଲୋକପ୍ରିୟ ରାଜନେତାର ମାନ୍ୟତା ଦେଇଛି। ଏସବୁ ସତ୍ତେ୍ୱ ବିବାଦୀୟ ପ୍ରସଙ୍ଗରେ ସମଦୂରତା ବଜାୟ ରଖି ନବୀନ ରାଜ୍ୟସ୍ୱାର୍ଥକୁ ସର୍ବାଦୌ ଗୁରୁତ୍ୱ ଦେଇ ଆସିଛନ୍ତି। ତାଙ୍କ ଶାସନକାଳରେ ଅନୁସୃତ ନୀତି ଯୋଜନାକୁ ଆଜି ଅନେକ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନୁସରଣ କରୁଛନ୍ତି। ଦୀର୍ଘ ୨୪ ବର୍ଷର ଶାସନ ଭିତରେ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ନବୀନ ଏମିତି କିଛି ପ୍ରସଙ୍ଗ ଅଛୁଆଁ ରଖିଯାଇ ନାହାନ୍ତି, ଯାହାକୁ ନେଇ ଏବର ନୂଆ ସରକାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।
ସବୁ ପ୍ରକାର ପ୍ରତିକୂଳ ସ୍ଥିତିରୁ ସୁଧୁରି ଓଡ଼ିଶା ବିକାଶ ଦିଗରେ ଆଗେଇ ଯାଉଥିବାବେଳେ ଆଉ କିଛି ନୂଆ ସମ୍ଭାବନାର ସ୍ୱପ୍ନ ଅବା ଭେଳିକିରେ ରାଜ୍ୟବାସୀ ଭାରତୀୟ ଜନତା ପାର୍ଟି- ବିଜେପି ହାତରେ ରାଜ୍ୟ ଶାସନକୁ ଟେକି ଦେଇଛନ୍ତି। ହେଲେ ନୂଆ ସରକାରଙ୍କ ସତର ମାସ ଶାସନର ସ୍ଥିତି ଓ ଗତିରୁ ରାଜ୍ୟବାସୀ ସେଭଳି କିଛି ଆଭାସ କି ଆଶା-ଆଶ୍ୱାସନା ପାଇପାରୁ ନାହାନ୍ତି, ଯାହା ନବୀନଙ୍କଠାରୁ ମିଳିଥିଲା। ଅଳ୍ପରେ ସନ୍ତୁଷ୍ଟ ଓଡ଼ିଶାବାସୀ ଶାନ୍ତିପ୍ରିୟ। କିନ୍ତୁ ଆଜି ଓଡ଼ିଶାର କୋଣଅନୁକୋଣରେ ଅଶାନ୍ତିର କଳରବ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ପୁଲିସକୁ ଅପରାଧୀଙ୍କ ଭୟ ନାହିଁ। କାଳରାତ୍ରିର ଭୟଠାରୁ ଦିନର ସାଧାରଣ ଜୀବନଯାତ୍ରା ଅଧିକ ବିପନ୍ନ ହୋଇପଡ଼ିଛି। ପାରସ୍ପାରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଆଜି ଅବିଶ୍ୱାସର ଅଳନ୍ଧୁରେ କବଳିତ।
ଏଭଳି ସ୍ଥିତିରେ ରାଜନୈତିକ ଫାଇଦା ଉଠାଇବା ବଦଳରେ ନବୀନ କିନ୍ତୁ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହ ରାଜ୍ୟସ୍ୱାର୍ଥ ଓ ଜନସ୍ୱାର୍ଥକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସଜାଗ କରୁଛନ୍ତି। ରାଜ୍ୟର ଗରିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ଅପରାଧୀକ ତତ୍ତ୍ୱମାନଙ୍କ ପ୍ରତି ସତର୍କ ରହିବା ସହ କଠୋର ନୀତି ଆପଣାଇବାକୁ ଶାସନମୁଖ୍ୟଙ୍କୁ ଚେତାଇ ଦେଉଛନ୍ତି।
ଆଜିର ସମୟରେ ରାଜନୈତିକ ବିରାଦରୀ ବା ରାଜନୈତିକ ପୃଷ୍ଠପୋଷକତାରୁ କ୍ଷମତାକେନ୍ଦ୍ରର ଅଂଶୀଦାର ହୋଇପାରିଥିବା ଅନେକ ରାଜନେତା ବିବାଦୀୟ ଓ ବିତର୍କିତ। କ୍ଷମତା ହାସଲ ପରେ ଜନକଲ୍ୟାଣ ପାଇଁ ଚିନ୍ତା କରିବା ବଦଳରେ ସ୍ୱ-ସ୍ୱାଚ୍ଛନ୍ଦ୍ୟକୁ ଗୁରୁତ୍ୱ ଦେଇ ଲୋକପ୍ରିୟତା ହରାଇ ବସୁଛନ୍ତି। ତେଣୁ ଏବର ରାଜନୈତିକ ଚିତ୍ରପଟରେ ନବୀନଙ୍କ ଭଳି ଜଣେ ସର୍ବାଜନାଦୃତ ନେତା ନିଶ୍ଚିତ ଭାବେ ବିରଳ। ଆଜି ତାଙ୍କର ୭୯ତମ ଜନ୍ମଦିନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶତାୟୁ କାମନା ସହ ପ୍ରତିପାତ।
ମହେଶ୍ୱର ସାହୁ
-ସହକାରୀ ବାର୍ତ୍ତା ସମ୍ପାଦକ, ‘ସକାଳ’