ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ନିଷ୍ପତ୍ତିକୁ ବିଜେଡିର ଦୃଢ଼ ନିନ୍ଦା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଆଜି ବିଜୁ ଜନତା ଦଳ ତରଫରୁ କୁହାଯାଇଛି। ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ବିଜେଡି ତରଫରୁ ପାଳିତ ହେବ ଓ ମାର୍ଚ୍ଚ ୬ […]

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଆଜି ବିଜୁ ଜନତା ଦଳ ତରଫରୁ କୁହାଯାଇଛି। ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ବିଜେଡି ତରଫରୁ ପାଳିତ ହେବ ଓ ମାର୍ଚ୍ଚ ୬ ତାରିଖ ଦିନ ବିଜେଡି ତରଫରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭା ଆୟୋଜିତ ହେବ ବୋଲି ବିଜେଡି ତରଫରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେଉଳ ମାଛ ଖାଇଦେଲା ବୋଲି ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା କଲେ ପଡୋଶୀ !

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ଭୂମିକା ନିର୍ବାହ କରିଛି। ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଲକ୍ଷ୍ୟରେ ଜିଲ୍ଲାପରିଷଦ, ପଞ୍ଚାୟତିରାଜ ଓ ପଞ୍ଚାୟତ ସମିତି ଗଠନ ପାଇଁ ଓଡିଶା ବିଧାନସଭାରେ ବିଲ୍‌ ପାରିତ ହୋଇଥିଲା। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଗାମୀ ଭୂମିକା ନିର୍ବାହ କରିଥିବା ବେଳେ ଏହାର ପରବର୍ଷ ଅର୍ଥାତ ୧୯୯୨ ମସିହାରେ, ଦେଶର ସମ୍ୱିଧାନର ୭୩ତମ ଓ ୭୪ତମ ସଂଶୋଧନ ଆଣି ଏହି ବ୍ୟବସ୍ଥାକୁ ପ୍ରାବଧାନ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ, ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରି କ୍ଷମତାର ବିକେନ୍ଦ୍ରୀକରଣ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଭଳି ଐତିହାସିକ କାର୍ଯ୍ୟ ବିଜୁ ପଟ୍ଟନାୟକଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା।

ଆହୁରି ପଢ଼ନ୍ତୁ: ଭୁଶୁଡ଼ୁଛି ଲାଲଗଡ଼, ବକରକଟ୍ଟା ପୋଲିସ ଷ୍ଟେସନରେ ୧୨ନକ୍ସଲଙ୍କ ଆତ୍ମସମର୍ପଣ

ବିଜୁ ଜନତା ଦଳର ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା କହିଥିଲେ, କ୍ଷମତା ରାଜନୀତିରେ ମହିଳାଙ୍କୁ ସଶକ୍ତ ନକରି ସମାଜର ପୂର୍ଣ୍ଣାଙ୍ଗ ବିକାଶ ପରିକଳ୍ପନା ସମ୍ଭବ ନୁହେଁ ବୋଲି ବିଚାର କରି, ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସରଂକ୍ଷିତ କରାଯାଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଓ ମହିଳାଙ୍କ ପାଇଁ ଆସନ ସରଂକ୍ଷିତ କରିବା କ୍ଷେତ୍ରରେ, ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଓଡିଶା ସାରା ଦେଶ ପାଇଁ ମାର୍ଗଦର୍ଶକ ସାଜିଥିଲା। ବାସ୍ତବିକ ଏହା ଥିଲା ଓଡ଼ିଆ ଅସ୍ମିତା। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତକ୍ରାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନବେ ଦଶକରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ରାଜ୍ୟ ସରକାରଙ୍କ ଦ୍ୱାରା ପାଳିତ ହୋଇଆସୁଛି।

ଆହୁରି ପଢ଼ନ୍ତୁ: ଜେଲ୍‌‌ରୁ ଅପରେଟ ହେଉଛି ‘ମୋରମ୍‌‌ ସାମ୍ରାଜ୍ୟ’, ମଙ୍ଗ ଧରିଛି କୁଖ୍ୟାତ ଅପରାଧୀ

ଅପରପକ୍ଷରେ, ଏହା ୧୯୯୪ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିଲା। ଏହାର ୧୬ ବର୍ଷ ପରେ ଅର୍ଥାତ ୨୦୧୦ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାର ଏହି ଦିନଟିକୁ ଦେଶରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାର ପଞ୍ଚାୟତିରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡିଶା ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳିଆସୁଛି। ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ଏହି ନିଷ୍ପତ୍ତି ପଛରେ, ରାଜ୍ୟ ସରକାରଙ୍କ ଅସୂୟା ଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ଶ୍ରୀ ଦାସବର୍ମା କହିଥିଲେ।

ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ରାଜ୍ୟ ସରକାର କ୍ଷମତାକୁ ଆସିବା ଦିନଠାରୁ, ବିଜୁ ପଟ୍ଟନାୟକଙ୍କ କୃତୀକୁ ସୁଚିନ୍ତିତ ଉପାୟରେ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି। ଉଦାହରଣ ସ୍ୱରୂପ, ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସମ୍ମାନଜନକ ଆନ୍ତର୍ଜାତୀୟ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ଅନୁଦାନ ଦେବାକୁ ମନା କରିଦେବା ପରେ, ଏହା ବନ୍ଦ ହେବାକୁ ଯାଉଛି। ଏହାକୁ ନେଇ, ବିଜେଡିର ବିଧାୟକମାନେ ବିଧାନସଭାରେ ଉତଥାପନ କରିଥିଲେ ହେଁ ରାଜ୍ୟ ସରକାର ନିରବ ଅଛନ୍ତି।

ସେହିପରି, ବିଜୁ ବାବୁଙ୍କ ଜୟନ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସପ୍ତାହ ବ୍ୟାପୀ ଉଦ୍ୟେକ୍ତା ସମ୍ମିଳନୀ ହୋଇଆସୁଥିଲା, ଯେଉଁଥିରେ ଉଦ୍ୟୋଗପତି ମାନେ ଯୋଗ ଦିଅନ୍ତି ଓ ସେମିନାର ଏବଂ କର୍ମଶାଳା ଇତ୍ୟାଦି ଆୟୋଜନ କରାଯାଇ ଆସୁଥିଲା। କିନ୍ତୁ, ତାକୁ ମଧ୍ୟ ଏ ବର୍ଷ ଆୟୋଜନ କରାଯାଉ ନାହିଁ। ରାଜ୍ୟ ବିଜେପି ସରକାରଙ୍କ ଏହି କାର୍ଯ୍ୟ ତାଙ୍କ ହୀନମନ୍ୟତାକୁ ଦର୍ଶାଉଛି। ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି। ରାଜ୍ୟ ବିଜେପି ସରକାରଙ୍କ ଏହି ଅବିଚାର ପ୍ରତି ଓଡ଼ିଶାର ଜନସାଧାରଣ ବିଚାର କରିବେ ବୋଲି ଶ୍ରୀ ନାୟକ କହିଥିଲେ। ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା ଏହି ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

Google News
Join Us @ WhatsApp