ପାକିସ୍ତାନରେ ‘ସିନ୍ଧୁ’ ସଙ୍କଟ: କମିଲା ଜଳ ପ୍ରବାହ; ପାକ୍-ଚୀନ୍ ରାଜପଥ ଅବରୋଧ କଲେ ସହସ୍ରାଧିକ ଲୋକ
ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହକୁ ନେଇ ପାକିସ୍ତାନ ସରକାର ଅଡ଼ୁଆରେ ପଡ଼ିଥିବା ବେଳେ ପାକ୍ ଅଧିକୃତ କଶ୍ମୀରରେ ଅଶାନ୍ତି ଏହାର ସମସ୍ୟାକୁ ବହୁଗୁଣିତ କରିଦେଇଛି। ଅଧିକୃତ କଶ୍ମୀରରେ ହଜାର ହଜାର ଲୋକ ସରିଫ ସରକାର ବିରୋଧରେ ସ୍ବର ଉତ୍ତୋଳନ କରି ରାସ୍ତାକୁ ଓହ୍ଳାଇଛନ୍ତି। ପାକିସ୍ତାନ ଓ ଚୀନ ମଧ୍ୟରେ ଯାତାୟାତ ଲାଗି ଉଦ୍ଦିଷ୍ଟ ମୁଖ୍ୟ ରାସ୍ତା କୋରାକୋରମ ହାଇୱେକୁ ତିନି ଦିନ ଧରି ଅବରୋଧ କରି ରଖିଛନ୍ତି ହଜାର ହଜାର ସ୍ଥାନୀୟ ଲୋକେ। ଫଳରେ ଏହି ହାଇୱେ ଉପରେ […]
ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହକୁ ନେଇ ପାକିସ୍ତାନ ସରକାର ଅଡ଼ୁଆରେ ପଡ଼ିଥିବା ବେଳେ ପାକ୍ ଅଧିକୃତ କଶ୍ମୀରରେ ଅଶାନ୍ତି ଏହାର ସମସ୍ୟାକୁ ବହୁଗୁଣିତ କରିଦେଇଛି। ଅଧିକୃତ କଶ୍ମୀରରେ ହଜାର ହଜାର ଲୋକ ସରିଫ ସରକାର ବିରୋଧରେ ସ୍ବର ଉତ୍ତୋଳନ କରି ରାସ୍ତାକୁ ଓହ୍ଳାଇଛନ୍ତି। ପାକିସ୍ତାନ ଓ ଚୀନ ମଧ୍ୟରେ ଯାତାୟାତ ଲାଗି ଉଦ୍ଦିଷ୍ଟ ମୁଖ୍ୟ ରାସ୍ତା କୋରାକୋରମ ହାଇୱେକୁ ତିନି ଦିନ ଧରି ଅବରୋଧ କରି ରଖିଛନ୍ତି ହଜାର ହଜାର ସ୍ଥାନୀୟ ଲୋକେ। ଫଳରେ ଏହି ହାଇୱେ ଉପରେ ହଜାର ହଜାର ଗାଡ଼ି ଅଟକ ରହିଛନ୍ତି ଏବଂ ବାଣିଜ୍ୟ କାରବାର ମଧ୍ୟ ଠପ୍ ହୋଇଯାଇଛି।
ପାକିସ୍ତାନ ଅଧିକୃତ କଶ୍ମୀରରେ ଅବସ୍ଥିତ ଗିଲଗିଟ୍-ବାଲତିସ୍ତାନ ଅଞ୍ଚଳେ ଦଇ କୋରାକୋରମ ହାଇୱେ ଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସରକାରଙ୍କ ନୂଆ ବାଣିଜ୍ୟ ନୀତିର ପ୍ରତିବାଦ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ଚଳାଇଛନ୍ତି। ସେମାନେ ଯୁକ୍ତି କରିଛନ୍ତି ଯେ ନୂଆ ନୀତି ଯୋଗୁଁ ସେମାନଙ୍କର ବ୍ୟବସାୟ ଓ ବାଣିଜ୍ୟ କାରବାର ଠପ୍ ହୋଇଯିବ। ଏହି ରାସ୍ତା ଅବରୋଧରେ ଶାସକ ମୁସଲିମ ଲିଗ୍ ଠାରୁ ଆରମ୍ଭ କରି ସବୁ ଦଳ ଓ ସଂଗଠନ ସାମିଲ ହୋଇଛନ୍ତି। ଅର୍ଥନୈତିକ ଦୁର୍ଗତି ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଉପରମୁହାଁ। ଲୋକେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଏହି ରାସ୍ତା ଅବରୋଧ ସେମାନଙ୍କର ଅବସ୍ଥାକୁ ଆହୁରି ଦୁର୍ବିସହ କରିପକାଇଛି। ଚୀନ ଏବ ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀକୁ ସୋସ୍ତ ଡ୍ରାଏ ପୋର୍ଟ ବା ବନ୍ଦରରେ ଅଟକ ରଖାଯାଇଛି। ଗତ ୬ ମାସ ଧରି ଏହି ବନ୍ଦର ବନ୍ଦ ପଡ଼ିଥିବାରୁ ବ୍ୟବସାୟୀମାନେ କ୍ଷୋଭ ପ୍ରକାଶ କରି ଚେତାବନୀ ଦେଇଛନ୍ତି ଯେ ବନ୍ଦର ନଖୋଲିବା ପର୍ଯ୍ୟନ୍ତ ସେମାନଙ୍କର ରାସ୍ତା ଅବରୋଧ ଜାରି ରହିବ। ସରକାର ସେମାନଙ୍କ ସହ କଥା ହେବାକୁ ରାଜି ହୋଇଥିବା ବେଳେ ଆନ୍ଦୋଳନକାରୀ ରାଜି ହେଉନାହାନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୦୨୩ ଅକଟୋବରରେ ଏହି ଅଞ୍ଚଳରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଭାରତ ସହ ବାଣିଜ୍ୟ କାରବାରକୁ ସ୍ବାଭାବିକ କରିବା ସହିତ କାରଗିଲ ରୋଡ ଖୋଲିବାକୁ ଦାବି କରି ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ଅଞ୍ଚଳରେ ଖାଦ୍ୟ ସାମଗ୍ରୀର ଅଭାବକୁ ନେଇ ପରିସ୍ଥିତି ଏବେ ବି ଅଶାନ୍ତ ରହିଛି।
ତେଣେ ସିନ୍ଧୁ ନଦୀ ଚୁକ୍ତିକୁ ଭାରତ ବାତିଲ କରିବା ପରେ ପାକିସ୍ତାନରେ ଗୁରୁତର ଜଳ ସଙ୍କଟ ଦେଖାଦେଇଛି। ସିନ୍ଧୁ ଏବଂ ଏହାର ଶାଖା ନଦୀ ଝେଲମ ଏବଂ ଚେନାବରେ ଜଳ ପ୍ରବାହ ହ୍ରାସ ପାଇଥିବାରୁ ସେଠାର ପଞ୍ଜାବ ପ୍ରଦେଶରେ ଚାଷ ଜମି ପଡ଼ିଆ ହେବାକୁ ବସିଲାଣି। ଏହି ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଗୋଟିଏ ପ୍ରକାର ଠପ୍ ହୋଇଯାଇଛି। ସିନ୍ଧୁ ନଦୀର ତାରବେଲା ଏବଂ ଝେଲମ ନଦୀେର ନିର୍ମିତ ମାଙ୍ଗଲା ଡ୍ୟାମ୍ରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ବୋଲି ପାକିସ୍ତାନ ସରକାର ସ୍ବୀକାର କରିବା ସହିତ ସିନ୍ଧୁ ଚୁକ୍ତି ବାହାଲ କରିବା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଜଳ ପ୍ରବାହ କମିବା ଜାରି ରହିଲେ ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ। ଜୁନ ମାସ ଶେଷ ପର୍ଯ୍ୟନ୍ତ ମୌସୁମୀ ବର୍ଷାର ସମ୍ଭାବନା ନଥିବାରୁ ଖରିଫ ଫସଲ ହୋଇପାରିବ ନାହିଁ ଏବଂ ଶକ୍ତି ଉତ୍ପାଦନ ମଧ୍ୟ ଭୀଷଣ ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି। ଏହାକୁ ନେଇ ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ଗତମାସ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ସରକାର ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିଦେଇଥିଲେ। ସିନ୍ଧୁ ନଦୀ ପାକିସ୍ତାନ ପାଇଁ ଜୀବନରେଖା ହୋଇଥିବାରୁ ଭାରତର ନିଷ୍ପତ୍ତି ସେଠାର ଘୋର ସଙ୍କଟ ଆଣିବା ନିଶ୍ଚିତ।






