ଦୋଷ ଛଡ଼ାଇଲା ଟାଟା ପାୱାର; କହିଲା, 'ଆଡିସିନାଲ୍ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ'
ଭୁବନେଶ୍ୱର: ନିଜ ଉପରୁ ଦୋଷ ଛଡାଇଲା ଟାଟା ପାୱାର । ଅତିରିକ୍ତ ସିକ୍ୟୁରିଟି ଜମା ନେଇ ରଖିଲା ସଫେଇ। ଆଡିସନାଲ୍ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ସ୍ପଷ୍ଟୀକରଣ ରଖିଲେ TPCODL ସିଇଓ । କହିଲେ, ‘ଆଡିସିନାଲ୍ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା, ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ନିୟମରେ କରୁଛୁ । ଏହା ଏକ ରେଗୁଲେଟେଡ୍ ବିଜନେସ୍ । ବିଦ୍ୟୁତ ବିଲ, କନେକ୍ସନ, ଚାର୍ଜେସ ସବୁ ରେଗୁଲେଟେଡ। ଯେଉଁ ସିକ୍ୟୁରିଟି ଡିପୋଜିଟ୍ ନିଆଯାଉଛି ତାହା ଉପରେ କ୍ରେଡିଟ୍ ଇଣ୍ଟରେଷ୍ଟ ଦେଉଛୁ । ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା, ସ୍ମାର୍ଟ ମିଟର ସମାନ ରିଡିଙ୍ଗ ନେଉଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନି ବୋଲି ସଫେଇ ରଖିଛି ଟାଟା ପାୱାର।
ସୂଚନାଯୋଗ୍ୟ, ଟିପିସିଓଡିଏଲ୍ ତରଫରୁ ଆସିଥିବା ଅତିରିକ୍ତ ସୁରକ୍ଷା ଜମାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିଦ୍ୟୁତ୍ ସମସ୍ୟା ନେଇ ଓଇଆରସିଙ୍କୁ ଭେଟିଥିଲା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ଏନେଇ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନିକଟରେ ବିଦ୍ୟୁତ ବିତରଣ ସଂସ୍ଥା ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ କରିଥିଲା । ଯେଉଁମାନେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନକରିବେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ମଧ୍ୟ ନୋଟିସ୍ ହୋଇଥିଲା ।
ଅନ୍ୟପଟେ ଟାଟା ପାୱାରର ମନମାନି ବିରୋଧରେ ପ୍ରତିବାଦ କରିଛି ବିଜେଡି। ଭୁବନେଶ୍ବର ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବଡ଼ ବିକ୍ଷୋଭ କରିଛି । କାର୍ଯ୍ୟାଳୟ ଆଗରେ ସ୍ମାର୍ଟ ମିଟର ଭାଙ୍ଗିଲା ବିଜେଡି। କମ୍ପାନୀର ମନମାନି ବିରୋଧରେ ବଢୁଛି ଜନ ଅସନ୍ତୋଷ। ଏହା ବିରୋଧରେ ପୁଣି ଥରେ ଜନତାଙ୍କ ସ୍ୱର ସାଜିଛି ବିରୋଧୀ ବିଜୁ ଜନତା ଦଳ । ଟାଟାପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଛି ଦଳ । ବିକ୍ଷୋଭ ସମାବେଶରେ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡ଼ି ସଭାନେତ୍ରୀ ଇପସିତା ସାହୁ, ବରିଷ୍ଠ ବିଜେଡି ନେତାଙ୍କ ସମେତ ଶତାଧିକ କର୍ମୀ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ।





