ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗଞ୍ଜାମରେ ବନ୍ୟା ବିଭୀଷିକା: ପାଣି ଘେରରେ ଫସି ରହିଥିବା ଲୋକଙ୍କୁ କରାଯିବ ଏୟାରଲିଫ୍ଟ

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବହୁ ଗାଁ ଜଳବନ୍ଦୀ ହୋଇପଡ଼ିଛି। ବିଶେଷ କରି ସାନଖେମୁଣ୍ଡି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଶହ ଶହ ଲୋକ ଫସି ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କାର୍ଯ୍ୟ ଆରମ୍ଭ କରାଯାଇଛି। ଏନେଇ ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏୟାରଲିଫ୍ଟ ପାଇଁ ଗୃହ ମନ୍ତ୍ରାଳୟ ସହ କଥା ହୋଇଛୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । କୋଷ୍ଟଗାର୍ଡ ହେଲିକପ୍ଟରରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ଯେ, ସାନଖେମୁଣ୍ଡି ଅଞ୍ଚଳର ସିନ୍ଦୁରପଲ୍ଲୀ ଏବଂ ମୁଣ୍ଡାମରାଇ ଭଳି ସମ୍ପୂର୍ଣ୍ଣ ଜଳମଗ୍ନ ଗ୍ରାମଗୁଡ଼ିକରୁ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏୟାରଲିଫ୍ଟ ଅପରେସନ ଆରମ୍ଭ ହୋଇଛି। ବନ୍ୟା ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ସହ ରିଲିଫ୍ ଯୋଗାଇ ଦେବାକୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକ ଉଛୁଳି ବିପଦଜନକ ସ୍ଥିତି ସୃଷ୍ଟି କରିଛନ୍ତି। ପୁରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀର ବିପଦ ସଙ୍କେତ ୧୬.୮୩୫ ମିଟର ଥିବା ବେଳେ ଏଠାରେ ବନ୍ୟାଜଳ ୧୭.୫୦୦ ମିଟର ଉପରେ ପ୍ରବାହିତ ହେଉଛି। ଫଳରେ ଟଙ୍କଛାଇ-ହିଞ୍ଜିଳିକାଟୁ ରାସ୍ତା ଉପରେ ପ୍ରାୟ ତିନି ଫୁଟ ଉଚ୍ଚର ପାଣି ଚାଲୁଛି। ଅନ୍ୟପଟେ ସୋରଡ଼ା ବ୍ଲକରେ ତିନି ଦିନ ଧରି ଲଗାଣ ପ୍ରବଳ ବର୍ଷା ଯୋଗୁଁ ପାଳକଟୁ, ନୂଆଗାଁ, ତଟବାଲି ଓ ସୁରମଣି ଭଳି ଗାଁଗୁଡ଼ିକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ମାଲକାନଗିରି ଥାନାରେ ଉତ୍ତେଜନା

ସେହିପରି ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକରେ ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇ କୂଳ ଲଙ୍ଘିଛି। ପଳାସପୁର ନିକଟସ୍ଥ ଘୋଡ଼ାହାଡ଼ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୩୨୬ ନମ୍ବର ଜାତୀୟ ରାଜପଥରେ (ଦିଗପହଣ୍ଡି-ଆସିକା) ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁର୍ଘଟଣା ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇ ଲୋକଙ୍କୁ ଯାତାୟାତ ପାଇଁ ବାରଣ କରାଯାଇଛି।

ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲେ ହେଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରଖିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛି। ନଦୀନାଳ ନିକଟକୁ ନଯିବା ଏବଂ ପାଣି ଚାଲୁଥିବା ପୋଲ ଉପରେ ଯାତ୍ରା ନକରିବାକୁ ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର