ଜଳେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ବିଜେପି ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ବିଜେଡିର ଅଭିଯୋଗ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ୧୪ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି ବିଜେଡି। ବାଲେଶ୍ୱର ଜିଲ୍ଲା ପୁଲିସ ପ୍ରଶାସନ ବିଜେପିର ହାତବାରିସି ସାଜିଛି। ନାବାଳିକାଙ୍କ ସନ୍ଧାନ ମିଳିବା ପୂର୍ବରୁ ପୁଲିସ ବିଜେପି ନେତାଙ୍କ ଚାପରେ ଚେପା ହୋଇ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ କରିଛି ବିଜେଡି। ଘଟଣାର ସତ୍ୟ ଉନ୍ମୋଚନ କରିବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସିବିଆଇ ତଦନ୍ତ କରାଯାଉ ବୋଲି ଦଳ ପକ୍ଷରୁ ଦାବି ହୋଇଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ତଥା ଜାତୀୟ ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଧାୟକ ଅଶ୍ୱିନୀ ପାତ୍ର ଘଟଣାକୁ ନେଇ କଡ଼ା ଉଦବେଗ ପ୍ରକାଶ କରିଥିଲେ। ଡ. ସାମନ୍ତସିଂହାର କହିଥିଲେ ଯେ ଗତ ଅକ୍ଟୋବର ୧୫ ତାରିଖରେ ବର୍ତ୍ତନା ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା । ଜଣେ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। ନାବାଳିକା ନିଖୋଜ ଥିବା ସତ୍ତେ୍ୱ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନା ଓରଫ କାହ୍ନୁଙ୍କୁ ପୁଲିସ କେଉଁ ପରିସ୍ଥିତିରେ ଅଟକ ରଖିଥିଲା ଏବଂ ପରେ ଛାଡ଼ି ଦେଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଜଣେ ସ୍ଥାନୀୟ ବିଜେପି ନେତା ଅଭିଯୁକ୍ତଙ୍କୁ ଛାଡ଼ିବା ପାଇଁ ପୁଲିସ ଉପରେ ଚାପ ପକାଇଥିବାର ଅଭିଯୋଗ ରହିଛି। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ତୁରନ୍ତ ଗିରଫ କରୁ । ଏଠାରେ ଅଭିଯୁକ୍ତ ଅକ୍ଟୋବର ୨୧ ତାରିଖରେ ଅପରାଧ ସମ୍ପର୍କରେ ସୂଚନା ଦେବା ପରେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ପ୍ରମାଣ ନଷ୍ଟ କରିବା ପାଇଁ ଏସିଡ୍ ବ୍ୟବହାର କରାଯାଇଥିଲା। ମୃତ୍ୟୁର କାରଣ ଓ ପ୍ରମାଣ ନଷ୍ଟ ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଫରେନସିକ୍ ତଦନ୍ତ କରାଯାଉ। ଜଳେଶ୍ୱର ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଭଳି ସମ୍ୱେଦନଶୀଳ ଘଟଣାରେ ନାମ୍ପୋ ପୁଲିସ ଫାଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ କରଣ ମାରାଣ୍ଡିଙ୍କୁ ନିଲମ୍ୱନ ଏବଂ ଜଳେଶ୍ୱର ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ ଅଶୋକ ବାରିକଙ୍କୁ ବଦଳି କରିଦେଇ ସରକାର ଚୁପ୍ ବସିଲେ ହେବ ନାହିଁ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପୀଡ଼ିତାଙ୍କ ପରିବାରକୁ ସରକାର ନ୍ୟାୟ ପ୍ରଦାନ କରନ୍ତୁ।
ଅଶ୍ୱିନୀ ପାତ୍ର କହିଥିଲେ ଯେ ୧୪ ବର୍ଷୀୟା ନାବାଳିକାଙ୍କୁ ଚାଉମିନ୍ କିଣିଦେବାର ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରିବା ଓ ପରେ ହତ୍ୟା ଘଟଣା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଜଣେ ମହିଳାଙ୍କ ସମେତ ଅନ୍ୟ କେହି ଏହି ଘଟଣାରେ ସାମିଲେ ଥିଲେ କି ନାହିଁ, ତାହାର ତଦନ୍ତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ଫରେନସିକ୍ ପ୍ରମାଣ, ସିସିଟିଭି ଫୁଟେଜ୍, କଲ୍ ଡିଟେଲ୍ ରେକର୍ଡ ଓ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ସହିତ ପୀଡ଼ିତାଙ୍କ ପରିବାରକୁ ଆର୍ଥିକ ସହାୟତା ଓ ଆଇନଗତ ସହଯୋଗ ପ୍ରଦାନ କରାଯାଉ। ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ କରାଯାଉ ବୋଲଲି ସେ ଦାବି କରିଛନ୍ତି।






