ମନୋରଞ୍ଜନ
ଓଡ଼ିଶା
ଭଦ୍ରକରେ ନକଲି ଡିଟରଜେଣ୍ଟ କାରଖାନା ଠାବ: ନାମୀ ଦାମୀ ବ୍ରାଣ୍ଡ ନାମରେ ଚାଲିଥିଲା କାରବାର, ଅଭିଯୁକ୍ତ ଫେରାର
ଭଦ୍ରକ: ଭଦ୍ରକ ଜିଲ୍ଲାରେ ପୁଣି ଏକ ବଡ଼ ଧରଣର ନକଲି କାରବାରର ପର୍ଦ୍ଦାଫାଶ ହୋଇଛି । ପ୍ରତିଷ୍ଠିତ ତଥା ନାମୀ ଦାମୀ କମ୍ପାନୀର ନାମ ବ୍ୟବହାର କରି ବେଆଇନ ଭାବେ ଚାଲିଥିବା ଏକ ନକଲି ଡିଟରଜେଣ୍ଟ ତିଆରି କାରଖାନା ଉପରେ ଚଢ଼ାଉ କରିଛି ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ବଜାର ନିକଟରେ ଦୀର୍ଘ ଦିନ ଧରି ଏହି ନକଲି କାରଖାନାଟି ଚାଲୁ ରହିଥିଲା । ଏଠାରେ ବଜାରରେ ବହୁଳ ଭାବେ ବିକ୍ରି ହେଉଥିବା ପ୍ରସିଦ୍ଧ ବ୍ରାଣ୍ଡଗୁଡ଼ିକର ଲୋଗୋ ଏବଂ ପ୍ୟାକେଜିଂ ବ୍ୟବହାର କରି ନକଲି ଡିଟରଜେଣ୍ଟ ପାଉଡର ପ୍ରସ୍ତୁତ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ବିଳମ୍ବିତ ରାତିରେ ସମ୍ପୃକ୍ତ କାରଖାନା ଉପରେ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ସମ୍ପର୍କରେ ଆଗୁଆ ସୂଚନା ପାଇ କର୍ମଚାରୀମାନେ ଫ୍ୟାକ୍ଟ୍ରିରେ ତାଲା ପକାଇ ଫେରାର ହୋଇଯାଇଥିଲେ ।
ଚଢ଼ାଉ ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ପ୍ରସ୍ତୁତ ନକଲି ଡିଟରଜେଣ୍ଟ ପ୍ୟାକେଟ୍, ନାମୀ ବ୍ରାଣ୍ଡର ଲୋଗୋ ଏବଂ ପ୍ୟାକେଜିଂ ସାମଗ୍ରୀ ଜବତ କରାଯାଇଛି । ଏହାସହ ଘର ଭିତରେ ଡିଟରଜେଣ୍ଟ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ କେମିକାଲ୍, କଞ୍ଚାମାଲ ଏବଂ ମେସିନ୍ ମଧ୍ୟ ଠାବ ହୋଇଛି । ପୋଲିସ ବର୍ତ୍ତମାନ ସେହି ସ୍ଥାନକୁ ସିଲ୍ କରି ଜଗି ରହିଛି ଏବଂ ଆଗକୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ନକଲି ସାମଗ୍ରୀ କେବଳ ଭଦ୍ରକ ନୁହେଁ, ବରଂ ପଡ଼ୋଶୀ ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ବଜାରକୁ ମଧ୍ୟ ଯୋଗାଣ କରାଯାଉଥିଲା। ଗ୍ରାହକମାନଙ୍କୁ ପ୍ରତାରିତ କରି ପ୍ରତିଷ୍ଠିତ ବ୍ରାଣ୍ଡ ନାମରେ ଏହି ଅପମିଶ୍ରିତ ସାମଗ୍ରୀ ବିକ୍ରି କରାଯାଉଥିଲା । ଘଟଣାରେ ସମ୍ପୃକ୍ତ ଥିବା କାରଖାନା ମାଲିକ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି ।






