ଯୁବମୋର୍ଚ୍ଚା ସଦସ୍ୟଙ୍କ ପାଇଁ ସ୍କାଉଟ୍ସ ପିଲାଙ୍କୁ କାଢ଼ିଦେଲେ
ପୁରୀ: ରଥଯାତ୍ରାରେ ଭକ୍ତଙ୍କୁ ସେବା ଯୋଗାଇଦେବାକୁ ଆସିଥିବା ସ୍କାଉଟ୍ସ ପିଲାମାନଙ୍କୁ ଦିଆଯାଇଛି ମାନସିକ ଯନ୍ତ୍ରଣା। ରାଜନେତାଙ୍କ ଚାପରେ ଖୋଦ୍ ସରକାରୀ ବାବୁ ଦେଇଛନ୍ତି ଏଭଳି ଯନ୍ତ୍ରଣା। ବିଦ୍ୟାଳୟରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କୁ ରଖିବା ଲାଗି ସ୍କାଉଟ୍ସ ପିଲାଙ୍କୁ ଅଧାରୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମେ ବିଶ୍ୱମ୍ବର ବିଦ୍ୟାପୀଠରେ ସ୍କାଉଟ୍ସ ପିଲା ରହିଥିଲେ। ହେଲେ ଅଚାନକ ସେମାନଙ୍କୁ ଅନ୍ୟତ୍ର ରଖାଯିବାର ବ୍ୟବସ୍ଥା କରାଯାଇ ବିଦ୍ୟାଳୟରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କୁ ରଖିଛନ୍ତି ସରକାରୀ ବାବୁ। ସ୍କାଉଟ୍ସ […]
ପୁରୀ: ରଥଯାତ୍ରାରେ ଭକ୍ତଙ୍କୁ ସେବା ଯୋଗାଇଦେବାକୁ ଆସିଥିବା ସ୍କାଉଟ୍ସ ପିଲାମାନଙ୍କୁ ଦିଆଯାଇଛି ମାନସିକ ଯନ୍ତ୍ରଣା। ରାଜନେତାଙ୍କ ଚାପରେ ଖୋଦ୍ ସରକାରୀ ବାବୁ ଦେଇଛନ୍ତି ଏଭଳି ଯନ୍ତ୍ରଣା। ବିଦ୍ୟାଳୟରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କୁ ରଖିବା ଲାଗି ସ୍କାଉଟ୍ସ ପିଲାଙ୍କୁ ଅଧାରୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମେ ବିଶ୍ୱମ୍ବର ବିଦ୍ୟାପୀଠରେ ସ୍କାଉଟ୍ସ ପିଲା ରହିଥିଲେ। ହେଲେ ଅଚାନକ ସେମାନଙ୍କୁ ଅନ୍ୟତ୍ର ରଖାଯିବାର ବ୍ୟବସ୍ଥା କରାଯାଇ ବିଦ୍ୟାଳୟରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କୁ ରଖିଛନ୍ତି ସରକାରୀ ବାବୁ। ସ୍କାଉଟ୍ସ ପିଲାମାନେ ନିଜ ଜିନିଷପତ୍ର ଗାଡ଼ିରେ ଲଦୁଥିବାର ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାନୁଯାୟୀ, ଦୀର୍ଘ ବର୍ଷ ହେବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାରତ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ ପକ୍ଷରୁ ରଥଯାତ୍ରାରେ ଭକ୍ତମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଆସୁଛି। ଏବର୍ଷ ମଧ୍ୟ ସଂଗଠନ ପକ୍ଷରୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପୁରୀରେ ସେବା ଶିବିର ଆୟୋଜନ ହୋଇଥିଲା। ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ଦେଶର ୭ଟି ରାଜ୍ୟରୁ ପ୍ରାୟ ୫୦୦ ରୋଭର୍ ରେଞ୍ଜର ଶିବିରରେ ଅଂଶଗ୍ରହଣ କରିଥିଲେ। ସଂସ୍ଥା ପକ୍ଷରୁ ପ୍ରଶାସନକୁ ୨ ମାସ ପୂର୍ବରୁ ଜଣାଯାଇଥିବା ବେଳେ ପ୍ରଶାସନ ମଧ୍ୟ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ କ୍ୟାମ୍ପ୍ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଫଳରେ ସଂଗଠନର କ୍ୟାଡେଟ୍ମାନେ ଗତ ୨୪ ତାରିଖରୁ ଆସି ଏଠାରେ ଅବସ୍ଥାନ କରିବା ସହ କ୍ୟାମ୍ପ୍ରେ ଯୋଗ ଦେଇଥିଲେ। ହେଲେ ବୁଧବାର ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ସ୍କୁଲରେ ତାଙ୍କର କ୍ୟାମ୍ପ୍ କରିବା ନେଇ ସୂଚନା ଦେଇଥିଲେ। ପରେ ସ୍କାଉଟ୍ସ ଗାଇଡ୍ସ ସଂସ୍ଥାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା।
ଶୁଣିବାକୁ ମିଳୁଛି ଅଧିକାରୀଙ୍କ ଉପରେ ଏଭଳି ଚାପ ପଡ଼ିଥିଲା ଯେ, ସେମାନେ ସ୍କାଉଟ୍ସ ଗାଇଡ୍ସର କ୍ୟାଡେଟ୍ମାନଙ୍କୁ ଡିଓ କାର୍ଯ୍ୟାଳୟର ନୂତନ ଅଫିସକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଦୁଃଖର ବିଷୟ ସେଠାରେ ମୌଳିକ ସୁବିଧା ନାହିଁ, ଫଳରେ ପିଲାମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ତେବେ ଏକ ରାଜନୈତିକ ଦଳର କର୍ମୀମାନଙ୍କୁ ସ୍କୁଲରେ ରହିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ସ୍ୱେଚ୍ଛାସେବୀ ସ୍ୱାଧୀନ ପଣ୍ଡା ଏବଂ ସଞ୍ଜୀବ ମହାନ୍ତି। ସ୍କାଉଟ୍ସଗାଇଡ୍ସ ପିଲାଙ୍କୁ ସ୍କୁଲରୁ ସ୍ଥାନାନ୍ତର କରି ରାଜନୈତିକ ଦଳର କର୍ମୀମାନଙ୍କୁ ସ୍କୁଲରେ ରହିବା ପାଇଁ ଅନୁମତିକୁ ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦ ପକ୍ଷରୁ ନାପସନ୍ଦ କରାଯିବା ସହ ଏ ଘଟଣାକୁ ନେଇ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ସହ ଅଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି। ଆପ୍ ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି, ପୂର୍ବ ସରକାର ପିଲାଙ୍କ ପାଠପଢ଼ା ପାଇଁ ସ୍ମାର୍ଟ କ୍ଲାସ୍ରୁମ୍ କରିଥିଲେ। ବର୍ତ୍ତମାନ ସେହି ରୁମ୍ର ଆସବାବପତ୍ର ବାହାରକୁ କଢ଼ାଯାଇଛି। ଏ ସବୁ ନଷ୍ଟ ହେଲେ କିଏ ଦାୟୀ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଉତ୍ତର ଦାବି କରିଛନ୍ତି।






