ଜିଏସ୍‍ଟି ମାୟାଜାଲରେ ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର : ସାରା ଦେଶରେ ଏକକ ଦ୍ରବ୍ୟ ଓ ସେବାକର ( ଜିଏସ୍‍ଟି) ଲାଗୁ ହେବା ପରଠାରୁ ଏହାକୁ ନେଇ ଆପତ୍ତି ଉଠାଇଛି ଓଡ଼ିଶା। ରାଜ୍ୟର ଦୁର୍ବଳ ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରୁ ଜିଏସ୍‍ଟି ହ୍ରାସ ପାଇଁ ରାଜ୍ୟ ବାରମ୍ବାର ଦାବି କରି ଆସୁଛି। ହସ୍ତତନ୍ତ କାରିଗର, କେନ୍ଦୁପତ୍ର, କଂସାପିତଳ, କାଠକାମ, ପଟ୍ଟଚିତ୍ର, ଚାନ୍ଦୁଆ, ତାଳପତ୍ର କାମ, ମାଟିକାମ, ସାନ୍ତାଳ ଓ ସଉରା ଚିତ୍ରକଳା, ଡୋକ୍ରା, ପଥର ଖୋଦେଇ କାର୍ଯ୍ୟରେ ଜିଏସ୍‍ଟି ଛାଡ ରାଜ୍ୟ ବାରମ୍ବାର […]

ଭୁବନେଶ୍ୱର : ସାରା ଦେଶରେ ଏକକ ଦ୍ରବ୍ୟ ଓ ସେବାକର ( ଜିଏସ୍‍ଟି) ଲାଗୁ ହେବା ପରଠାରୁ ଏହାକୁ ନେଇ ଆପତ୍ତି ଉଠାଇଛି ଓଡ଼ିଶା। ରାଜ୍ୟର ଦୁର୍ବଳ ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରୁ ଜିଏସ୍‍ଟି ହ୍ରାସ ପାଇଁ ରାଜ୍ୟ ବାରମ୍ବାର ଦାବି କରି ଆସୁଛି। ହସ୍ତତନ୍ତ କାରିଗର, କେନ୍ଦୁପତ୍ର, କଂସାପିତଳ, କାଠକାମ, ପଟ୍ଟଚିତ୍ର, ଚାନ୍ଦୁଆ, ତାଳପତ୍ର କାମ, ମାଟିକାମ, ସାନ୍ତାଳ ଓ ସଉରା ଚିତ୍ରକଳା, ଡୋକ୍ରା, ପଥର ଖୋଦେଇ କାର୍ଯ୍ୟରେ ଜିଏସ୍‍ଟି ଛାଡ ରାଜ୍ୟ ବାରମ୍ବାର ଦାବି କରି ଆସୁଥିଲେ ହେଁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନୁରୂପ ଭାବରେ ଶାଳ-ଶିଆଳି ପତ୍ର ଥାଳି, ଠୋଲା, ସବାଇ ଘାସ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀକୁ ଜିଏସ୍‍ଟି ମୁକ୍ତ କରିବାକୁ ଦାବି ମଧ୍ୟ କେନ୍ଦ୍ର ଗ୍ରହଣ କରିନାହିଁ। ଏହା ଫଳରେ ରାଜ୍ୟର ଗରିବ ବର୍ଗ ଓ ଆଦିବାସୀ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ଏହାକୁ ନେଇ ବିଭିନ୍ନକ୍ଷେତ୍ରରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି ସ୍ଥିତିରେ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଖଦୀ ବସ୍ତ୍ର ଉପରେ ୧୨% ଟିକସ ଆଦାୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ‘ଲୋକାଲ ଫର୍‍ ଭୋକାଲ’ ଓ ‘ସ୍ୱଦେଶୀ’ ସାମଗ୍ରୀକୁ ପ୍ରାଥମିକତା ଦେଉଥିବାବେଳେ ଏହା ଉପରେ ଚଢ଼ା ଟିକସ ବ୍ୟବସ୍ଥା ସ୍ୱାଭାବିକ ଭାବରେ ଏହାର ଉପଭୋକ୍ତା ଓ ପ୍ରସ୍ତୁତକର୍ତ୍ତାଙ୍କୁ ନିରାଶ କରିଛି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଜିଏସ୍‍ଟି ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉପରେ ରାଜ୍ୟ ଆଲୋକପାତ କରିବ ବୋଲି ସୂଚନା ମିଳିଛି। ନିକଟରେ କେନ୍ଦ୍ର ସରକାର ନିକଟରେ ୧୪୩ ଜିନିଷ ଉପରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଧାର୍ଯ୍ୟ ନେଇ ରାଜ୍ୟଗୁଡ଼ିକର ମତାମତ ଲୋଡ଼ିଛନ୍ତି। ମାତ୍ର ରାଜ୍ୟ ସରକାର ଦେଉଥିବା ମତାମତଗୁଡ଼ିକୁ କାର୍ଯ୍ୟାନ୍ୱୟନ କରିବା ଉପରେ କେନ୍ଦ୍ର ସରକାର ଆନ୍ତରିକତା ପ୍ରଦର୍ଶନ କରୁ ନ ଥିବାରୁ ଏକୁ ନେଇ ବିଭିନ୍ନ କ୍ଷେତ୍ରରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଦୀର୍ଘଦିନ ଧରି ରାଜ୍ୟ ଗୁଡ଼ିକର ଜିଏସ୍‍ଟି କ୍ଷତିପୂରଣ ଦାବି ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ରହସ୍ୟମୟ ନିରବତା ଅବଲମ୍ବନ କରୁଛି। ୨୦୧୭ ମସିହାରୁ ଜିଏସ୍‍ଟି ଲାଗୁ ହୋଇଥିଲା। ଜିଏସ୍‍ଟି ଲାଗିବା ପରେ ହେଉଥିବା କ୍ଷତି ଭରଣ କରିବା ପାଇଁ ୫ ବର୍ଷ କେନ୍ଦ୍ର ଅନୁଦାନ ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିଛି ମାସ ମଧ୍ୟରେ ଏହି ଅବଧି ପୂରଣ ହେବାକୁ ଯାଉଛି। ଏହା ପରେ କେନ୍ଦ୍ର ରାଜ୍ୟ ଗୁଡ଼ିକୁ ଜିଏସ୍‍ଟି କ୍ଷତିପୂରଣ ପୂର୍ବପରି ପ୍ରଦାନ କରୁ ବୋଲି ଓଡ଼ିଶା ସମେତ ବହୁ ରାଜ୍ୟ ପ୍ରସ୍ତାବ ରଖିଛନ୍ତି। ଏହାକୁ ବାଦ୍‍ ଦେଲେ ରାଜ୍ୟର କେନ୍ଦୁପତ୍ର ତୋଳାଳି ଏବଂ ହସ୍ତତନ୍ତ କାରିଗର ଓ ବୁଣାକାର ସ୍ୱାର୍ଥ ସମ୍ବଳିତ ଦାବିଗୁଡ଼ିକ କେନ୍ଦ୍ର ନିକଟରେ ପଡ଼ି ରହିଛି। ରାଜ୍ୟର ପ୍ରାୟ ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳି ତଥା ଶ୍ରମିକ ପ୍ରତ୍ୟକ୍ଷ ଭାବେ ଜିଏସଟି ଦ୍ୱାରା ପ୍ରଭାବିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ସାମ୍ପ୍ରତିକ ସମୟରେ କେନ୍ଦୁପତ୍ର ଉପରେ ରହିଥିବା ଜିଏସ୍‍ଟି ହାର କାରଣରୁ ରାଜ୍ୟ ୨୦୦ କୋଟି ଟଙ୍କାର ରାଜସ୍ୱ ହରାଉଛି। ଏହି ଅର୍ଥ ଯଦି ଜିଏସଟି ଆକାରରେ ନ ନିଆଯାଏ। ତେବେ ଏହାର ସିଧାସଳଖ ଫାଇଦା କେନ୍ଦୁପତ୍ର ତୋଳାଳି, ବିଡା ବନ୍ଧାଳି ଏବଂ ଏହା ସହ ଜଡିତ ଶ୍ରମିକମାନେ ପାଇପାରନ୍ତେ। ସେହିପରି ପଶ୍ଚିମ ଓଡ଼ିଶା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ହସ୍ତତନ୍ତର ଚାହିଦା ରହିଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୩୦ ଲକ୍ଷ ଲୋକ ଏହି ଶିଳ୍ପ ଉପରେ ନିର୍ଭରଶୀଳ। ହସ୍ତତନ୍ତ ଉପରେ ଲାଗୁଥିବା ଜିଏସ୍‍ଟି ଦ୍ୱାରା ବୁଣାକାରମାନଙ୍କ ଆର୍ଥିକ ଫାଇଦା ହେଉନାହିଁ। ହସ୍ତତନ୍ତ ଓ ଖଦୀ ସାମଗ୍ରୀ ଉପରେ ୧୨% ଜିଏସ୍‍ଟି ଲାଗୁ ଯୋଗୁଁ ଲୋକମାନେ ଏହି ସାମଗ୍ରୀ କ୍ରୟ ନିମନ୍ତେ ଆଗ୍ରହ ପ୍ରକାଶ କରୁନାହାନ୍ତି, ଯାହାଦ୍ୱାରା ସାଧାରଣ ବୁଣାକାରମାନେ କ୍ଷତିଗ୍ରସ୍ତ ହେଉଛନ୍ତି।

ଏ ସମ୍ପର୍କରେ କଟକ ମେୟର ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବାସ ସିଂହ କହିଛନ୍ତି ଯେ ଓଡ଼ିଶାର ୩୦ ଲକ୍ଷ ବୁଣାକାର,ହସ୍ତତନ୍ତ ଶ୍ରମିକ ଏବଂ ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳି,ଶ୍ରମିକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଏସଟି ହ୍ରାସ ହେବା ଆବଶ୍ୟକ। ଏହା ଦ୍ୱାରା ଅପେକ୍ଷାକୃତ ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଜଗାର ବଢ଼ିବ। ଗତ ବଜେଟ୍‍ ଉପସ୍ଥାପନା ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୋନପୁରୀ ପାଟ ଶାଢୀ ପରିଧାନ କରିଥିଲେ। ମାତ୍ର କେନ୍ଦ୍ର ସରକାର ସେହି ଶାଢୀ ପ୍ରସ୍ତୁତ କରୁଥିବା ବୁଣାକାରଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଉ ନାହାନ୍ତି। ଜିଏସ୍‍ଟି କ୍ଷତିପୂରଣ ଅବଧି ଏବେ ଶେଷ ହେବାକୁ ଯାଉଛି। ତେଣୁ ଏହି ଅବଧିକୁ ବୃଦ୍ଧି କରାଯିବା ସହ ନିୟମିତ ଭାବେ ସଂଗ୍ରହ ହେଉଥିବା ଜିଏସଟି ଧାର୍ଯ୍ୟ ସମୟରେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଉ। ରାଜ୍ୟର ଟିକସ କେନ୍ଦ୍ର ନିକଟରେ ପଡ଼ି ନ ରହୁ ବୋଲି ସୁବାସ ସିଂ କହିଛନ୍ତି।

ହସ୍ତତନ୍ତ ସହ ଜଡିତ ଥିବା ଉଦ୍ୟୋଗପତି ଅନିତା ସାବତ କୁହନ୍ତି ଯେ, ୧୦୦୦ ଟଙ୍କା ପର୍ଯ୍ୟନ୍ତ ହସ୍ତତନ୍ତରୁ ପ୍ରସ୍ତୁତ ରେଡିମେଡ୍‍ ସାମଗ୍ରୀରେ ୫% ଜିଏସଟି ଲାଗୁ ହୋଇଛି। ୧୦୦୦ ଟଙ୍କାରୁ ଉପରୁ ହେଲେ ୧୨% ହୋଇଯାଉଛି। ଏହା ଯଥେଷ୍ଟ ଅଧିକ ରହୁଛି। ୫ରୁ ୨୮% ର ଖାଯାଉଛି। ଆର୍ଥିକ ଦୁର୍ବଳ ଶ୍ରମିକ ଶ୍ରେଣୀରୁ ସ୍ୱାର୍ଥକୁ ଦେଖି ବିଶେଷ କ୍ଷେତ୍ରରେ ଜିଏସଟି ୫%ରୁ ହ୍ରାସ କରାଯାଉ। ସେହିପରି ସୂତା, ଅଠା, କଞ୍ଚାମାଲ ଆଦି ଉପରେ ମଧ୍ୟ ଯଥେଷ୍ଟ ଅଧିକ ଜିଏସଟି ଆଦାୟ କରାଯାଉଛି। ଜିଏସଟି ଲାଗୁ ହେଲାଠାରୁ ସମାନ ଦର ରହିଛି। ତେଣୁ କେନ୍ଦ୍ର ଏହି ସବୁ ଦ୍ରବ୍ୟ ଉପରୁ ଜିଏସଟି ହ୍ରାସ କରୁ। ପ୍ରତିବର୍ଷ ହସ୍ତତନ୍ତ ସହ ଜଡିତ ଅଂଶୀଦାର ମାନେ ଜିଏସଟି ହ୍ରାସ ନେଇ ଦାବି କରୁଛନ୍ତି। ମାତ୍ର କେନ୍ଦ୍ର ରାଜ୍ୟ ସ୍ୱାର୍ଥ କୈନ୍ଦ୍ରିକ ନିଷ୍ପତ୍ତି ନେଉ ନାହିଁ ବୋଲି ଅନିତା କହିଛନ୍ତି।

ଅନ୍ୟପକ୍ଷରେ ଶାଳ-ଶିଆଳି ପତ୍ର ଥାଳି ଓ ଠୋଲା, ସବାଇ ଘାସ ଓ ଏଥିରୁ ପ୍ରସ୍ତୁତ ଦଉଡି, ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ଜିଏସ୍‍ଟି ହ୍ରାସ କରିବାକୁ ମଧ୍ୟ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ରାଜ୍ୟର ପ୍ରାୟ ୨୨ ପ୍ରତିଶତ ଜନଜାତି ରହିଛନ୍ତି। ଏହାର ଏକ ବୃହତ ବର୍ଗ ଶାଳ, ଶିଆଳି ପତ୍ର ସଂଗ୍ରହ କରିବା ସହ ସେଥିରେ ଥାଳି, ଠୋଲା ସିଲେଇ କରି ନିଜର ଗୁଜୁରାଟ ମେଣ୍ଟାଇ ଥାଆନ୍ତି। ସେମାନଙ୍କ ସ୍ୱାର୍ଥ ନିମନ୍ତେ ରାଜ୍ୟ ସରକାର ଭାଟ ଛାଡ଼ କରିଛନ୍ତି। ତେଣୁ କେନ୍ଦ୍ର ସରକାର ମଧ୍ୟ ଅନୁରୂପ ଭାବରେ ଜିଏସ୍‍ଟି ଛାଡ଼ କରନ୍ତୁ ବୋଲି ଦାବି ହୋଇ ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର