ବିଧାନସଭାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌‌ ଆଗତ

The Sakala Picture
Published On

ଭୁବନେଶ୍ୱର,: ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ୨୦୨୩ ବିଲ୍‌‌ ବିଧାନସଭାରେ ଆଗତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ବିଲ୍‌‌କୁ ଆଗତ କରିଛନ୍ତି। ଆପାର୍ଟମେଣ୍ଟ୍‌‌ ମାଲିକାନା ଆଇନ ୧୯୮୨ ବଦଳରେ ଏହି ନୂଆ ଅଧିନିୟମ ଜରିଆରେ ଆଗକୁ ଘର କିଣାବିକା କାର୍ଯ୍ୟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ବିଲ୍‌‌ ପ୍ରସ୍ତୁତ କରିଛନ୍ତି। ନୂଆ ବିଲ୍‌‌ରେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିବା ବେଳେ ଆପାର୍ଟମେଣ୍ଟ ସଂଘର କ୍ଷମତା ବୃଦ୍ଧି […]

ଭୁବନେଶ୍ୱର,: ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ୨୦୨୩ ବିଲ୍‌‌ ବିଧାନସଭାରେ ଆଗତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ବିଲ୍‌‌କୁ ଆଗତ କରିଛନ୍ତି। ଆପାର୍ଟମେଣ୍ଟ୍‌‌ ମାଲିକାନା ଆଇନ ୧୯୮୨ ବଦଳରେ ଏହି ନୂଆ ଅଧିନିୟମ ଜରିଆରେ ଆଗକୁ ଘର କିଣାବିକା କାର୍ଯ୍ୟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ବିଲ୍‌‌ ପ୍ରସ୍ତୁତ କରିଛନ୍ତି। ନୂଆ ବିଲ୍‌‌ରେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିବା ବେଳେ ଆପାର୍ଟମେଣ୍ଟ ସଂଘର କ୍ଷମତା ବୃଦ୍ଧି କରାଯାଇଛି। ଏହି ବିଲ୍‌‌ ଦ୍ୱାରା ପୂର୍ବରୁ ବିଲ୍ଡର ଓ ଗ୍ରାହକଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦର ସମାଧାନ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।

ସଂଶୋଧିତ ଆପାର୍ଟମେଣ୍ଟ ମାଲିକାନା ବିଲ୍‌‌ରେ ସାମୂହିକ ବ୍ୟବବାର ପାଇଁ ଉଦ୍ଦିଷ୍ଟ ଜାଗା (କମନ୍‌‌ ଏରିଆ)କୁ ଆବଣ୍ଟନଗ୍ରାହୀ ବା ଗୃହକ୍ରେତା ସଂଘ ନାମରେ ରେକର୍ଡ଼ କରାଯିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ନିୟମ କଡ଼ାକଡ଼ି ନ ଥିଲା। ଯାହାଦ୍ୱାରା ‘ରେରା’ ଓ ୧୯୮୨ ଆପାର୍ଟମେଣ୍ଟ୍‌‌ ମାଲିକାନା ଆଇନ ଭିତରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା। ସେହିପରି ଏହି ବିଲ୍‌‌ରେ ୩୦ବର୍ଷରୁ ପୁରୁଣା ନିର୍ମିତ ଆପାର୍ଟମେଣ୍ଟକୁ ବୀମା କରିବା ପୂର୍ବରୁ ବିଲ୍ଡିଂକୁ ଯାଞ୍ଚ କରାଯିବା ନେଇ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଆପାର୍ଟମେଣ୍ଟ ମାଲିକ ନିଜର ହିତ ଦୃଷ୍ଟିରୁ ତାଙ୍କର ଆପାର୍ଟମେଣ୍ଟ, ସମିତି କିମ୍ୱା ମାଲିକମାନଙ୍କ ସଂଘ ଅଗ୍ନିକାଣ୍ଡ ଓ ଦୁର୍ବିପାକ ବୀମା କରାଇବେ। ଏହାସହିତ ବିଲ୍‌‌ଡର ଅକ୍ୟୁପାନ୍ସି ସାର୍ଟିଫିକେଟ୍‌‌ ଦେବାର ୩୦ଦିନ ଭିତରେ ଘୋଷଣାପତ୍ର ଦେବା ବାଞ୍ଛନୀୟ କରାଯାଇଛି। ଏହାର ଉଲଂଘନ କଲେ ପ୍ରମୋଟର କିମ୍ୱା ବିଲ୍‌‌ଡରଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ନିୟମ ଉଲଂଘନ ପାଇଁ ଦେଷୀ ସାବ୍ୟସ୍ତ ହେବା ପରଠାରୁ ସଂଶୋଧନ କରିବା ଦିନ ପର୍ଯ୍ୟନ୍ତ ଦିନକୁ ୨ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ତଣ୍ଡ ଗଣିବାର ମଧ୍ୟ କଠୋର ନିୟମ କରାଯାଇଛି।

ସେହିପରି ଯଦି ଗୋଟିଏ ଆପାର୍ଟମେଣ୍ଟର ୭ଜଣ ଗୃହକ୍ରେତା(ଆଲର୍ଟୀ) ବୁକିଂ କରି ସାରିଥିଲେ ସଂଘ ଗଠନ କରିପାରିବେ। ସେହିପରି ଜଣେ ଲୋକ ଏକାଧିକ ଘର କ୍ରୟ କରିଥିଲେ ମଧ୍ୟ ସେ ମାତ୍ର ଗୋଟିଏ ଭୋଟ୍‌‌ ଦେଇପାରିବେ ବୋଲି ବ୍ୟବସ୍ଥା ହୋଇଛି। ଫ୍ରି ହୋଲ୍ଡ ଓ ଲିଜ୍‌‌ ହୋଲ୍ଡ ଉଭୟଙ୍କ ପାଇଁ ଏହି ନିୟମ ଲାଗୁ ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆପାର୍ଟମେଣ୍ଟ ଆଲର୍ଟୀମାନେ ସଂଘ ଗଠନ କରିବାର କ୍ଷମତା ପାଇବେ। ସଂଘ ଗଠନ ନ ହେବା ପର୍ଯ୍ୟନ୍ତ ଦଲିଲ୍‌‌ ହୋଇପାରିବ ନାହିଁ। ଏହା ସହିତ ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇ ଯଦି କୌଣସି ସୁବିଧା ମିଳେ, ତେବେ ବିଲ୍ଡରଙ୍କ ବଦଳରେ ଏହି ସୁବିଧା ସଂଘ ପାଇଁ ଉପଲବ୍ଧ ହେବ ବୋଲି ନିୟମ କରାଯାଇଛି। ରିୟଲ ଇଷ୍ଟେଟ୍‌‌ ରେଗୁଲେସନ୍‌‌ ଆଣ୍ଡ ଡେଭଲପେମେଣ୍ଟ ଆଇନ ୨୦୧୬ ବା ‘ରେରା’ ଅଧୀନରେ ଗୃହକ୍ରେତା ସଂଘ ଗଠନ କରି ପଞ୍ଜିକୃତ କରିବା ବାଧ୍ୟତାମୂଳକ ହୋଇଛି।

ଏଥିପାଇଁ ‘ରେରା’ ପାଖରେ ପ୍ରମୋଟର ସମସ୍ତ ଅରିଜିନାଲ୍‌‌ ପ୍ରମାଣପତ୍ର ଦାଖଲ କରିବେ। ନୂଆ ଅଧିନିୟର ପାଳନ ଓ ତଦାରଖ କରିବା ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଜଣେ କିମ୍ୱା ଏକାଧିକ ଅଧିକାରୀ ଯେଉଁମାନେ ଡେପୁଟି କଲେକ୍ଟର୍‌‌ ପାହ୍ୟାରୁ କମ୍‌‌ ହୋଇ ନ ଥିବେ ସେମାନଙ୍କୁ ଏହି ଆପାର୍ଟେମେଣ୍ଟ୍‌‌ ମାଲିକାନା ଓ ପରିଚାଳନା ଅଧିନିମୟ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ଦିଆଯାଇଛି। କ୍ଷମତାପ୍ରାପ୍ତ୍‌‌ ଅଧିକାରୀ କୌଣସି ବେନିୟମ ଦେଖିଲେ, ଅଭିଯୋଗକାରୀଙ୍କ ଦରଖାସ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ବିଲ୍‌‌ରେ ବ୍ୟବସ୍ଥା କରାଯାଇଛି। ଏହାସହିତ ସେ ନିଜଆଡ଼ୁ ମଧ୍ୟ ମାମଲା ଦରଜ କରି ପ୍ରମୋଟର୍‌‌ କିମ୍ୱା ବିଲ୍‌‌ଡରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ। କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଜିଲ୍ଲାପାଳ କିମ୍ୱା ଜିଲ୍ଲାପାଳ ପାହ୍ୟାରୁ କମ୍‌‌ ହୋଇ ନ ଥିବା ଅଧିକାରୀଙ୍କ ପାଖରେ ଅପିଲ ଦାଖଲ ହୋଇପାରିବ। କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ବିବାଦ ହେବାରୁ ଏ ସମ୍ପର୍କିତ ମାମଲା ହାଇକୋର୍ଟକୁ ଯାଇଥିଲା। ଏହି ଘଟଣାରେ ଏକ ନୂଆ ଆଇନ୍‌‌ ପ୍ରଣୟନ ନେଇ ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରାଇଥିଲେ।

ସୂଚନା ଥାଉ କି, ରାଜ୍ୟରେ ଆପାର୍ଟମେଣ୍ଟ କିଣା ବିକାରେ ଅନେକ ବିବାଦ ରହିଥିଲା। ମୁଖ୍ୟତଃ ଆପାର୍ଟମେଣ୍ଟରେ ରହୁଥିବା ସର୍ବସାଧାରଣ ସ୍ଥାନର ମାଲିକାନାକୁ ନେଇ ବିଲ୍ଡର ସଂସ୍ଥା ଓ ଆପାର୍ଟମେଣ୍ଟ ମାଲିକ ସଂଘ ମଧ୍ୟରେ ବିବାଦ ହେଉଥିଲା। ଯାହାକୁ ନେଇ ହାଇକୋର୍ଟରେ ଅନେକ ମାମଲା ପହଞ୍ଚିଥିଲା। ଏନେଇ ରାଜ୍ୟ ସରକାର ନୂଆ ଆଇନ୍‌‌ ଆଣିବାକୁ ବିଚାର କରି ପ୍ରଥମେ ଗତ ମାର୍ଚ୍ଚ ମାସରେ କ୍ୟାବିନେଟ୍‌‌ ମଞ୍ଜୁରି ଦେବା ସହିତ ବିଧାନସଭାରେ ଆଗତ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ବିଧାନସଭାରୁ ଅପସାରଣ କରି ନିଆଯାଇଥିଲା। ଗତ ମେ’ରେ ପୁଣି ଥରେ ଅଧ୍ୟାଦେଶ ଆକାରରେ ନୂଆ ନିୟମ ଲାଗୁ କରାଯିବା ସହିତ ଏବେ ବିଧାନସଭାରେ ବିଲ୍‌‌କୁ ଆଗତ କରାଯାଇଛି। ଏହା ଆଇନ୍‌‌ରେ ପରିଣତ ହେଲେ ପିଛିଲା ଭାବେ ୨୦୨୩ ଜୁନ୍‌‌ ୨୮ ତାରିଖରୁ ଲାଗୁ ହେବ ବୋଲି ବିଲ୍‌‌ରେ ଦର୍ଶାଯାଇଛି।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ