ବଜେଟ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କ ଗୁରୁମନ୍ତ୍ର: ଚାଷୀ, ମହିଳାଙ୍କ ସ୍ୱର ହେବ ବିଜେଡି
ଭୁବନେଶ୍ୱର: ମଣ୍ଡିରେ ରାଜ୍ୟରେ କୃଷକମାନେ ହନ୍ତସନ୍ତ ହେଉଛନ୍ତି। ସେମାନଙ୍କର ଧାନ ମଣ୍ଡିରୁ ଉଠୁନାହିଁ। କଟନୀଛଟନୀ, ଇନପୁଟ ସବସିଡି ପ୍ରଦାନରେ ୧୫୦ କ୍ୱିଣ୍ଟାଲ ସିଲିଂ ବ୍ୟବସ୍ଥା ଦ୍ୱାରା ସେମାନଙ୍କୁ ହଇରାଣ କରାଯାଉଛି। ନିର୍ଯାତିତ ଚାଷୀଙ୍କର ଏହି ମୌଳିକ ସମସ୍ୟାକୁ ନେଇ ବିଜେଡି ଗୃହ ମଧ୍ୟରେ ଲଢେ଼ଇ କରିବ। ମଣ୍ଡିରେ ଯଦି କୃଷକଙ୍କ ସ୍ୱର ନ ଶୁଣାଯାଏ, ତେବେ ଏହି ସ୍ୱର ବିଧାନସଭାରେ ଗର୍ଜନ କରିବ ବୋଲି ବିଜେଡି ବିଧାୟକ ଦଳ ବୈଠକରେ ଦମ୍ଭୋକ୍ତି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ବିଜେଡି ଆସନ୍ତା ବଜେଟ ଅଧିବେଶନରେ ରାଜ୍ୟସ୍ୱାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗ ଉତ୍ଥାପନ କରିବ ବୋଲି ନିଷ୍ପତ୍ତି ହୋଇଛି । କେବଳ ଚାଷୀ ସମସ୍ୟା ନୁହେଁ, ମହାନଦୀଠାରୁ ଆରମ୍ଭ କରି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ହିଂସା, ବଜେଟ ଅର୍ଥ ଖର୍ଚ୍ଚରେ ମନ୍ଥରତା ପରି ପ୍ରସଙ୍ଗରେ ଜବାବ୍ ମାଗିବ। ମିଥ୍ୟା ପ୍ରଚାର ବ୍ୟତୀତ ଏହି ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଛନ୍ତି। ତେଣୁ ପ୍ରତ୍ୟେକ ପ୍ରସଙ୍ଗରେ ଦଳ ସରକାରଙ୍କୁ ପ୍ରଶ୍ନ କରିବ ଓ ଆବଶ୍ୟକ ପଡ଼ିଲେ ବିରୋଧ ପ୍ରଦର୍ଶନ କରିବ ବୋଲି ନବୀନ ସ୍ପଷ୍ଟ ଭାଷାରେ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଧାୟକମାନଙ୍କୁ ନବୀନ କହିଛନ୍ତି ଯେ ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଆମକୁ ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ ଏବଂ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତା ପାଇଁ ସରକାରଙ୍କୁ ଘେରିବାକୁ ଯଥାସମ୍ଭବ ପ୍ରଯାସ କରିବାକୁ ହେବ। ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର ସ୍ଲୋଗାନ ଏବଂ ଫଟୋ-ଉଠାରେ ବ୍ୟସ୍ତ ଥିବାବେଳେ ଆମର କୃଷକମାନେ ମଣ୍ଡିରେ ଖୋଲା ଆକାଶ ତଳେ ଥଣ୍ଡାରେ ରାତି ବିତାଉଛନ୍ତି। ସେମାନଙ୍କ କଷ୍ଟ ଉପାର୍ଜିତ ଫସଲକୁ କାକର ଏବଂ ଚୋରି ଠାରୁ ରକ୍ଷା କରୁଛନ୍ତି। ବିଜେଡି ହେଉଛି ଏକମାତ୍ର ଦଳ ଯାହା ସବୁ ସମୟରେ କୃଷକମାନଙ୍କ ସହିତ ଛିଡା ହୋଇଛି । ଏହି ସରକାରଙ୍କ କୃଷକ ବିରୋଧୀ ମନୋଭାବ ବିରୋଧରେ ଲଢେ଼ଇ କରୁଛି। ଗତ ମାସରୁ କୃଷକଙ୍କ ସମସ୍ୟାକୁ ନେଇ ଆମ ଦଳ ରାଜରାସ୍ତାରେ ଲଢେ଼ଇ କରୁଛି। ବିଭିନ୍ନ ଜିଲ୍ଲାରେ ବିଶାଳ ସମାବେଶ ଏବଂ ବିକ୍ଷୋଭ ପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ନବୀନ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଫେବ୍ରୁଆରୀ ୯ ତାରିଖରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମଣ୍ଡିରେ ଚାଲିଥିବା ବେଆଇନ କଟନୀ ଛଟନୀ, ଇନପୁଟ ସବସିଡି ପ୍ରଦାନ କ୍ଷେତ୍ରରେ ୧୫୦ କ୍ୱିଣ୍ଟାଲ ସିଲିଂ, ମଣ୍ଡିରେ ୪୮ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ଦେୟ ପ୍ରଦାନରେ ବିଳମ୍ବତା ତଥା ଧାନର ଅଭାବୀ ବିକ୍ରି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲି। ଆଗାମୀ ବିଧାନସଭା ଅଧିବେଶନରେ ସରକାରଙ୍କୁ ବିଜେଡି ଏନେଇ ଦୃଢ଼ ଜବାବ୍ ମାଗିବ। ସରକାରଙ୍କ ବିଫଳତା ପାଇଁ ଉତ୍ତର ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତ୍ୟେକ ସଂସଦୀୟ କାର୍ଯ୍ୟପ୍ରଣାଳୀ ଯଥା ପ୍ରଶ୍ନ, କକ୍ଷତ୍ୟାଗ ଏବଂ ଗୃହ ମଧ୍ୟରେ ବିରୋଧ ପ୍ରଦର୍ଶନ କରିବୁ। ଡିସେମ୍ୱର ମାସ ପର୍ଯ୍ୟନ୍ତ ସରକାରଙ୍କ ବଜେଟ ଖର୍ଚ୍ଚ ପାଖାପାଖି ୪୭ ପ୍ରତିଶତ ଥିଲା। ଆର୍ଥିକ ବର୍ଷର ଶେଷ ୧୦ ମାସରେ କେତେକ ବିଭାଗର ଖର୍ଚ୍ଚ ୧୫ ପ୍ରତିଶତଠାରୁ ମଧ୍ୟ କମ୍ ରହିଛି। ବିଭାଗଗୁଡ଼ିକ ଦ୍ୱାରା କମ୍ ଖର୍ଚ୍ଚ ହେବାର ଅର୍ଥ ହେଉଛି ଲୋକମାନଙ୍କୁ ସେମାନଙ୍କର ଯଥାର୍ଥ ଅଧିକାରରୁ ବଞ୍ଚିତ କରିବାର ଏକ ସଙ୍କେତ। ଏତଦ୍ ବ୍ୟତୀତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମ୍ପୂର୍ଣ୍ଣ ଅବନତି ଏକ ବଡ଼ ଚିନ୍ତାର ବିଷୟ । ଦିନରେ ମଧ୍ୟ ରାଜ୍ୟରେ ଆମର ମହିଳା ଏବଂ ପିଲାମାନେ ସୁରକ୍ଷିତ ନାହାନ୍ତି। ସେହିପରି ମହାନଦୀ ସମସ୍ୟା ଏଯାବତ୍ ଅମୀମାଂସିତ ରହିଛି। ଛତିଶଗଡ଼ ସରକାରଙ୍କ ହାତରେ ଥିବା ଅଦୃଶ୍ୟ ଖେଳରେ ରାଜ୍ୟ ସରକାର କୌଣସି ଆଗ୍ରହ ଦେଖାଉ ନାହାନ୍ତି ଏବଂ ଏକପ୍ରକାରର ମୂକ ଦର୍ଶକ ପାଲଟି ଯାଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବେ, ଆମେ ଆମର କୃଷକ, ମହିଳା, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବିଧାନସଭାରେ ଆକ୍ରମଣାତ୍ମକ ଭାବେ ଲଢେ଼ଇ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି। ଏହି ବୈଠକରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ତଥା ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ।





