ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି, ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା ଯୁବ ଓ ଛାତ୍ର ବିଜେଡି
ଭୁବନେଶ୍ବର: ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି । କାମଚଳା କୁଳପତିରେ ଚାଲିଛି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ । ପ୍ରସଙ୍ଗକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି ଯୁବ ଓ ଛାତ୍ର ବିଜେଡି । ଫେବୃଆରୀ ଶେଷ ସୁଦ୍ଧା ଦାବି ପୂରଣ କରିବାକୁ ଦାବି ରଖାଯାଇଛି । ସଂଖ୍ୟା ଅନୁପାତରେ ବିଶ୍ବବିଦ୍ୟାଳୟରେ ବହୁତ କମ୍ ଅଧ୍ୟାପକ ଓ ପ୍ରାଧ୍ୟାପକ ଅଛନ୍ତି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଆସିବା ପରେ ତାହାର ତୃଟିପୂର୍ଣ୍ଣ ଦିଗ ଯୋଗୁ ଏବେ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପଦଗାମୀ ହେଉଥିବା ବିଜେଡି ଅଭିଯୋଗ କରିଛି । ୧୧୯୪ ଆସିଟାଣ୍ଟ ପ୍ରଫେସର ବଦଳରେ ୪୮୮, ୫୯୩ ଆସୋସିଏଟ ପ୍ରଫେସର ବଦଳରେ ୧୩୫, ୨୯୯ ପ୍ରଫେସର ବଦଳରେ ୩୮ ଓ ୩୦୮୨ ନନ ଟିଚିଂ ଷ୍ଟାଫ ବଦଳରେ ୭୮୨ ଜଣ କାର୍ଯ୍ୟରତ ଅଛନ୍ତି । ୧୩ଟି ବିଶ୍ବବିଦ୍ୟାଳୟରେ କୁଳପତି ହିଁ ନାହାନ୍ତି । କାମଚଳା କୁଳପତିରେ ଚାଲିଛି ଉତ୍କଳ, ରେଭେନସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗଙ୍ଗାଧର ମେହେର, ଫକିର ମୋହନ, ଖଲ୍ଲିକୋଟ ଭଳି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ।
୧୯୮୯ ରେ ବିଶ୍ଵବିଦ୍ୟାଳୟ ଆଇନ ଆସିଥିଲା । ଏହାର ୩୦ ବର୍ଷ ପରେ ଅସଂଗତି ଦେଖା ଯିବାରୁ ବିଜେଡି ସରକାର ୨୦୨୦ରେ ଏହାକୁ ସଂଶୋଧନ କରିଥିଲା । ୨୦୨୪ରେ ବିଜେପି ସରକାର ଆସିବା ପରେ 2020ର ସଂଶୋଧନକୁ ପୁଣି ଥରେ ସଂଶୋଧନ କରାଗଲା । ରାତି ସାରା ବିଧାନସଭାରେ ବିଜେଡି ଏହାର ତୃଟିପୂର୍ଣ୍ଣ ଦିଗକୁ ନେଇ ଯୁକ୍ତି ରଖିଥିଲା । ସଂଖ୍ୟା ଦୃଷ୍ଟିରୁ ସରକାର ଏହାକୁ ପାସ କଲେ ସିନା 2025 ରେ ପୁଣି ନିଜ ସଂଶୋଧନକୁ ସଂଶୋଧନ କଲେ । ଆଗକୁ ଯିବା ବଦଳରେ ବିଜେପି ପଛକୁ ଯିବା ସରକାର ପାଲଟିଥିବା ନେଇ ବିଜେଡି ଅଭିଯୋଗ କରିଛି । ସର୍ବୋଚ୍ଚ ଅଦାଲତରେ ମାମଲା ବିଚରାଧୀନ ଥିବାବେଳେ ବିଲ କେମିତି ଆସିଲା ? କୁଳପତି ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବା କଥା । ଯାହାଙ୍କୁ ବାଛିବେ କୁଳାଧିପତି ଦାୟିତ୍ବରେ ଥିବା ରାଜ୍ୟପାଳ । ହେଲେ ବିଜେପି ଏହାକୁ ସିଣ୍ଡିକେଟ ବ୍ୟବସ୍ଥାରେ କରି ନିଜ ଦଳୀୟ ଆଦର୍ଶରେ କାମ କରୁଥିବା ବିଜେଡି ଅଭିଯୋଗ କରିଛି । ପ୍ରକ୍ରିୟାକୁ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବିରୋଧ କରିଥିବାରୁ ପୁଣି ଥରେ ସଂଶୋଧନ କରାଯାଇଥିବା ବିଜେଡି ଦାବି କରିଛି ।





