ମନୋରଞ୍ଜନ
ଓଡ଼ିଶା
ଶ୍ରମିକ ଯୋଗାଣକାରୀ ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ସନ୍ଦେହରେ ରାଜ୍ୟରେ ଶିଳ୍ପ ସ୍ଥାପନ ଓ ନିବେଶ ସଂକ୍ରାନ୍ତ ଦାବି
ଭୁବନେଶ୍ୱର: ରାଜ୍ୟରେ ପ୍ରବାସୀ ଶ୍ରମିକ ଚାଲାଣ, ଦାଦନ ରୋକିବା ନେଇ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଥିବା ଦାବି କରୁଛନ୍ତି। ଟାସ୍କଫୋର୍ସ ଗଠନ କରାଯାଇ ସମସ୍ୟାର ମୂଳୋତ୍ପାଟନ ପାଇଁ ବ୍ୟାପକ ଚର୍ଚ୍ଚା, ଆଲୋଚନା କରାଯାଇ ବିଭିନ୍ନ ବିଭାଗ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ନେଉଥିବା ମଧ୍ୟ କୁହାଯାଉଛି। ମାତ୍ର ବାସ୍ତବିକତା ହେଉଛି ସମ୍ପୂର୍ଣ୍ଣ ଭିନ୍ନ। ସରକାରଙ୍କ ଦାବି, ପ୍ରଶାସନର ତଥାକଥିତ ପଦକ୍ଷେପକୁ ମିଛ ପ୍ରମାଣିତ କରିଛି ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇଗ୍ରେସନ୍ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟ। ଦେଶର ଶ୍ରମିକ ଯୋଗାଣକାରୀ ରାଜ୍ୟ ସୂଚୀର ପ୍ରଥମ ଛଅଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇବା କେବଳ ରାଜ୍ୟ ସରକାରଙ୍କ ଦାଦନ ରୋକିବା ସଂକ୍ରାନ୍ତ ନିଷ୍ଠା ଉପରେ ପ୍ରଶ୍ନ ଉଠାଇନାହିଁ; ରାଜ୍ୟରେ ଶିଳ୍ପ ସ୍ଥାପନ ଓ ନିବେଶ ସଂକ୍ରାନ୍ତ ଦାବିକୁ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।
ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇଗ୍ରେସନ୍ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଓ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍ ସହଯୋଗରେ କରାଯାଇଥିବା ଏହି ଅଧ୍ୟୟନରେ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଧାରା, ନିଯୁକ୍ତି ପରିସ୍ଥିତି ଓ ସାମାଜିକ ସୁରକ୍ଷାର ସ୍ଥିତି ବିଶ୍ଳେଷଣ କରାଯାଇଛି। ଏହି ଅଧ୍ୟୟନରେ ଅନ୍ତର୍ଭୁକ୍ତ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଶ୍ରମିକଙ୍କ ସଂଖ୍ୟା ୧୨ ପ୍ରତିଶତ ବୋଲି ଏଥିରେ ଉଲ୍ଲେଖ ରହିଛି । କେବଳ ତାମିଲନାଡ଼ୁର ତିରୁପ୍ପୁରରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ଏକ ତୃତୀୟାଂଶରୁ ଅଧିକ, ଅର୍ଥାତ୍ ୩୬.୭ ପ୍ରତିଶତ ବୋଲି ସର୍ଭେରେ ଦର୍ଶାଯାଇଛି। ଦୀର୍ଘଦିନର ନିଯୁକ୍ତି ନେଟୱାର୍କ, ଶିଳ୍ପରେ ଶ୍ରମିକଙ୍କ ଚାହିଦା ଓ ଅଧିକ ରୋଜଗାରର ସମ୍ଭାବନା ଏଠାକୁ ଓଡ଼ିଶା ପ୍ରବାସୀ ଶ୍ରମିକ ଅଧିକ ମାତ୍ରାରେ ଆସୁଥିବା ସୂଚନା ମିଳିଛି। ଏହି ଅଧ୍ୟୟନରେ ଓଡ଼ିଆ ଶ୍ରମିକଙ୍କ ସ୍ଥାନାନ୍ତରଣର ଆଉ ଏକ ଦିଗ ସାମ୍ନାକୁ ଆସିଛି। ୮୩.୫ ପ୍ରତିଶତ ଶ୍ରମିକ ନିଜ ରାଜ୍ୟ ଓ ଗନ୍ତବ୍ୟସ୍ଥଳ ମଧ୍ୟରେ ବିଭିନ୍ନ କାମରେ ନିୟୋଜିତ ହେବା ସହ ଯାତାୟାତ କରୁଥିବା ଦର୍ଶାଯାଇଛି। ସେହିପରି୧୦ ପ୍ରତିଶତ ଓଡ଼ିଆ ଶ୍ରମିକ ଋତୁକାଳୀନ କାର୍ଯ୍ୟ (ଚାଷ ପରେ) ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ନିଜ ରାଜ୍ୟରେ କମ୍ ମଜୁରି, ଅନିୟମିତ ନିଯୁକ୍ତି, କୃଷି କ୍ଷତି, ଦାରିଦ୍ର୍ୟ ଓ ଋଣଭାର ଶ୍ରମିକଙ୍କୁ ଘରଦ୍ୱାର ଛାଡ଼ିବାକୁ ବାଧ୍ୟ କରୁଛି। ଫଳରେ ପ୍ରବାସ କେବଳ ଅଧିକ ଆୟର ମାଧ୍ୟମ ନୁହେଁ, ପରିବାରର ଆର୍ଥିକ ସଙ୍କଟ ମୁକାବିଲାର ଏକ ଉପାୟ ପାଲଟିଛି। ତେବେ ଅନ୍ୟରାଜ୍ୟରେ କାମ କରୁଥିବା ୮୬.୪ ପ୍ରତିଶତ ଶ୍ରମିକ ବିନା ଚୁକ୍ତିରେ କାମ କରୁଥିବାରୁ ମଜୁରି ଅସମାନତା, ଦୀର୍ଘ କାର୍ଯ୍ୟ ସମୟ, ସ୍ୱାସ୍ଥ୍ୟସେବାର ଅଭାବ ପରି ସ୍ପର୍ଶକାତର ପ୍ରସଙ୍ଗର ସମ୍ମୁଖୀନ ହେଉଛନ୍ତି।
ଅପରପକ୍ଷେ ବାହାର ରାଜ୍ୟରେ ମଧ୍ୟ ଓଡ଼ିଶାର ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ମୌସୁମୀ ଅଧିବେଶନରେ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ରଖିଥିବା ତଥ୍ୟ ଚିନ୍ତାଜନକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ୨୦୨୪ରୁ ୨୦୨୬ ଅଗଷ୍ଟ ଶେଷ ସୁଦ୍ଧା ୩୮୮ ଜଣ ପ୍ରବାସୀ ଶ୍ରମିକଙ୍କ ମୃତଦେହ ବାହାର ରାଜ୍ୟରୁ ସ୍ୱ-ଗ୍ରାମକୁ ଅଣାଯାଇଥିବା ନେଇ ମନ୍ତ୍ରୀଙ୍କ ସୂଚନା ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଭୂମିକାକୁ ନେଇ ମଧ୍ୟ କାଠଗଡ଼ାରେ ଠିଆ କରିଛି। ଗତ ନିର୍ବାଚନ ପୂର୍ବରୁ ରାଜ୍ୟରେ ଦାଦନ ସମସ୍ୟାକୁ ମୂଳୋତ୍ପାଟନ କରାଯିବ ବୋଲି ବିଜେପି ଘୋଷଣା କରିଥିଲା, ମାତ୍ର ଅଢେ଼ଇ ବର୍ଷ ପରେ ରାଜ୍ୟର ଦାଦନ ସମସ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇବା ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟାନ୍ୱୟନ ବ୍ୟବସ୍ଥାକୁ ଉପହାସ କରିଛି । ପୁଣି ଦାଦନ ରୋକିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କ ଫୋର୍ସର କାର୍ଯ୍ୟ କେବଳ ବୈଠକ ମଧ୍ୟରେ ସୀମିତ ରହିିଥିବା ଅଭିଯୋଗ ହୋଇଛି । ଦାରିଦ୍ର୍ୟର ତାଡ଼ନା, ଅଧିକ ମଜୁରୀ ଓ ନିଯୁକ୍ତି ସୁଯୋଗ ଆଶାରେ ଲକ୍ଷ ଲକ୍ଷ ଶ୍ରମିକ ତାମିଲନାଡ଼ୁ, କର୍ଣ୍ଣାଟକ ଓ କେରଳ ଭଳି ଦକ୍ଷିଣ ଭାରତୀୟ ରାଜ୍ୟକୁ ଯାଉଥିଲେ ମଧ୍ୟ ସରକାର ଏଥିରେ ଅଙ୍କୁଶ ଲଗାଇବାରେ ସମର୍ଥ ହୋଇପାରି ନ ଥିବା ସ୍ପଷ୍ଟ ହୋଇଛି ।






