ମନୋରଞ୍ଜନ
ଓଡ଼ିଶା
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ ଘଣ୍ଟାରେ ଅବପାତ ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ପୁଣି ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ ରୂପ ନେବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବିଗତ ଦୁଇ ଦିନ ଧରି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା। ଏହାର ପ୍ରଭାବରେ ସୋମବାର ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହି ପ୍ରଣାଳୀ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ଏହାର ଗତିବିଧି ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନିରନ୍ତର ନଜର ରଖିଛି।
ଏପଟେ ନୂଆ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ବାତ୍ୟା ଦୁର୍ବଳ ହେଉଛି। ତେବେ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ଗତିପଥ କେଉଁଆଡ଼େ ରହିବ ଏବଂ ଏହା ଓଡ଼ିଶା ଉପକୂଳ ଉପରେ କି ପ୍ରକାର ପ୍ରଭାବ ପକାଇବ, ସେନେଇ ସ୍ପଷ୍ଟ ଚିତ୍ର ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।






