ମନୋରଞ୍ଜନ
ଓଡ଼ିଶା
ଚଳିତ ବର୍ଷ ବି ହୋଇ ନପାରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷାମନ୍ତ୍ରୀ ସାଧାରଣରେ ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ବିଭିନ୍ନ ଛାତ୍ର ସଂଗଠନ ହେଲ୍ପଡେକ୍ସ, ଚାରା ରୋପଣ ଓ ବନ୍ଧୁ ମିଳନ ନାମରେ ସଂଗଠନ ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ହେଲେ ଏଫ୍ଏମ୍ କଲେଜ ଛାତ୍ରୀ ନିର୍ଯ୍ୟାତିତ ହେବା ଅଭିଯୋଗ କେହି ନ ଶୁଣିବାରୁ ଆତ୍ମଦାହ କରିବା ଘଟଣା ସରକାରଙ୍କୁ ଅଡ଼ୁଆରେ ପକାଇଛି। ଶିକ୍ଷାନୁଷ୍ଠାନରେ ଛାତ୍ରୀ […]
ଭୁବନେଶ୍ୱର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷାମନ୍ତ୍ରୀ ସାଧାରଣରେ ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ବିଭିନ୍ନ ଛାତ୍ର ସଂଗଠନ ହେଲ୍ପଡେକ୍ସ, ଚାରା ରୋପଣ ଓ ବନ୍ଧୁ ମିଳନ ନାମରେ ସଂଗଠନ ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ହେଲେ ଏଫ୍ଏମ୍ କଲେଜ ଛାତ୍ରୀ ନିର୍ଯ୍ୟାତିତ ହେବା ଅଭିଯୋଗ କେହି ନ ଶୁଣିବାରୁ ଆତ୍ମଦାହ କରିବା ଘଟଣା ସରକାରଙ୍କୁ ଅଡ଼ୁଆରେ ପକାଇଛି।
ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା ସୁରକ୍ଷିତ ନ ଥିବା ବିରୋଧୀ ଅଭିଯୋଗ କରିବା ଏବଂ ବହୁ ଅଧ୍ୟାପକ ଅସଦାଚରଣ ମାମଲାରେ ଜେଲ୍ ଯିବା ଘଟଣାରେ ସରକାର ଛନ୍ଦି ହୋଇଥିବାରୁ ଛାତ୍ର ସଂସଦ ନିର୍ବାଚନ ନେଇ ଆଶଙ୍କା ପ୍ରକାଶ ପାଇଛି। ବାଲେଶ୍ୱର ଛାତ୍ରୀ ଆତ୍ମଦାହ ଘଟଣା ପରଠାରୁ କ୍ୟାମ୍ପସ୍ରେ ଛାତ୍ର ସଂଗଠନଙ୍କ କାର୍ଯ୍ୟକ୍ରମ ଶିଥିଳ ହୋଇଥିବାବେଳେ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ସୁଧାରିବା ଆଳରେ ନିର୍ବାଚନ ଟାଳିଦେବାକୁ ସରକାର ବିଚାର କରୁଥିବା ଅଭିଯୋଗ ହୋଇଛି।
ସାଧାରଣତଃ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସପ୍ତାହରେ ନିର୍ବାଚନ କରିବାକୁ ପ୍ରାୟ ଚୂଡ଼ାନ୍ତ ହୋଇଥିଲା। ସେପ୍ଟେମ୍ବର ୧୫ ତାରିଖ ପରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ୧୬ ବା ୧୭ ତାରିଖରେ ନାମାଙ୍କନ ଦାଖଲ ତାରିଖ ସ୍ଥିର କରିବାକୁ ବିଭାଗସ୍ତରରେ ପ୍ରସ୍ତୁତି ହୋଇଥିଲା। ହେଲେ ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମଦାହ ପରେ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ହୋଇଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗକୁ ଉଚ୍ଚଶିକ୍ଷା ବିଭାଗ ଚାପି ରଖିଥିବା ଉଜାଗର ହୋଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପା ଅସନ୍ତୋଷ ଥିବାରୁ ସରକାର ଛାତ୍ର ସଂସଦ ନିର୍ବାଚନ କରିବା ନେଇ ପୁଣିଥରେ ବିଚାରବିମର୍ଶ ଚଳାଇଛନ୍ତି। ଅପରପକ୍ଷରେ ଜୁଲାଇ ମାସ ଶେଷ ହୋଇଥିଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ଶୈକ୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇନାହିଁ। ଶିକ୍ଷାବର୍ଷ ଆରମ୍ଭ ହେବାର ୪ମାସ ପରେ ମଧ୍ୟ ଶୈକ୍ଷିକ କ୍ୟାଲେଣ୍ଡର ପ୍ରକାଶ କରୁ ନଥିବାରୁ ଆଶଙ୍କା ବହୁଗୁଣିତ ହୋଇଛି। ଏପରିକି ନିର୍ବାଚନ ଘୋଷଣା ପୂର୍ବରୁ ଅଭ୍ୟନ୍ତରୀଣ ସର୍ଭେ କରି ବାତାବରଣ ପରଖିବାକୁ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି।






