ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତିତା ହେଉଥିବା ବିଜେଡିର ଅଭିଯୋଗ: 'କ୍ୟାମ୍ପସ ରାଜନୀତିରେ ବିଜେପି ନେତାଙ୍କ ହସ୍ତକ୍ଷେପ ଅଗ୍ରହଣୀୟ'
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗେ୍ଡା କମିଶନଙ୍କ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଛି । କ୍ୟାମ୍ପସ ରାଜନୀତିରେ ବିଜେପି ନେତା ହସ୍ତକ୍ଷେପ କରୁଛନ୍ତି। ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ରାଜନୈତିକ ଚାପ ପକାଯାଉଛି। ଶାସକ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତେଇବାକୁ ସବୁ ପ୍ରକାର ପ୍ରୟାସ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେଡି। ଗୁରବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ବିଧାୟକ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ପ୍ରୀତିରଞ୍ଜନ ଘଡେଇ କହିଥିଲେ ଯେ ସମସ୍ତ ନୀତିନିୟମକୁ ଉଲ୍ଲଙ୍ଘନ କରାଯାଇ ଏବିଭିପି ସପକ୍ଷରେ ନିର୍ବାଚନ ଫଳାଫଳକୁ ନେବା ପାଇଁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଭବିଷ୍ୟତ ପିଢ଼ି ଜେନ-ଜି ମାନଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ଷଡ଼ଯନ୍ତ୍ର କରି ଅନୈତିକ ଉପାୟରେ ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ବିଜେପି ଚେଷ୍ଟା କରୁଛି। ବ୍ୟୋମକେଶ ରାୟ କହିଥିଲେ ଯେ ଛାତ୍ର ସଂସଦ ନିର୍ବାଚନ ଲିଙ୍ଗ୍ଡୋ କମିଶନଙ୍କ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ବିଜେପି ସରକାର କମିଶନଙ୍କ ନିୟମକୁ ଅବମାନନା କରି ଛାତ୍ର ସଂସଦ ନିର୍ବାଚନ କରୁଛନ୍ତି। ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ପ୍ରାର୍ଥୀଙ୍କୁ ଅଗଣତାନ୍ତ୍ରିକ ଉପାୟରେ ବିଜୟୀ କରାଇବା ପାଇଁ ପ୍ରୟାସ କରାଯାଉଛି । ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ କୁଳପତି ଓ ଅଧ୍ୟକ୍ଷଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଫୋନ ଯାଉଛି। ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନକୁ ସୁରକ୍ଷିତ ରଖିବା ପାଇଁ ୭୫ ପ୍ରତିଶତ ଉପସ୍ଥାନ ନ ଥିବା ବେଳେ ତାହାକୁ ବଦଳାଇ ଦିଆଯାଉଛି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବା ପାଇଁ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି। ଯେଉଁଠି ବିଜେପି ନିର୍ବାଚନ ପାଇଁ ପାର୍ଥୀ ପାଉନାହିଁ, ସେଠାରେ ଜାଣିଶୁଣି ଯୋଜନା ବଦ୍ଧ ଭାବେ ନିର୍ବାଚନ ବାତିଲ କରାଯାଉଛି। ଯଦି ଅନ୍ୟାୟ ଭାବେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରାଯିବ, ତେବେ ବିଜେଡି ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯିବ।
ଚିନ୍ମୟ ସାହୁ କହିଥିଲେ ଯେ ବିଜେପି ସରକାର ତଞ୍ଚକତା କରି ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି। ଏବିଭିପି ଓ ବିଜେପି ପାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟ ସରକାର ମ୍ୟାଚ ଫିକ୍ସିଙ୍ଗ କରିଛନ୍ତି । ବିଜେପି ପାର୍ଥୀଙ୍କୁ ଜିତାଇବା ପାଇଁ କୁଳପତି ଓ ଅଧ୍ୟକ୍ଷ ମାନଙ୍କୁ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି। ପ୍ରାର୍ଥୀ ୫ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ନିୟମ ଥିବାବେଳେ କ୍ୟାମ୍ପସରେ ଭୋଜି ଭାତ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଜାଣିଶୁଣି ଥାନାକୁ ଆଣି ଅଟକ ରଖାଯାଉଛି। ଭୋଟ ଚୋରି ସମ୍ଭାବନା ଥିବାରୁ ନିରପେକ୍ଷ ଯାଞ୍ଚ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ କ୍ୟାମ୍ପସ ପଠାଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି ଇପ୍ସିତା ସାହୁ କହିଥିଲେ ଯେ ଛାତ୍ର ସଂସଦ ନିର୍ବାଚନରେ କୁଳପତି, ଅଧ୍ୟକ୍ଷ, ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ କାର୍ଯ୍ୟ କରୁଛନ୍ତି। ଏହିପରି ପକ୍ଷପାତିତା କାର୍ଯ୍ୟରୁ ସରକାର ନିବୃତ୍ତ ରୁହନ୍ତୁ, ନଚେତ ବିଜେଡି ପକ୍ଷରୁ ଘୋର ବିରୋଧ କରାଯିବ। ପ୍ରଫେସର ମାନେ ବିଜେପିର ଦଳୀୟ ଏଜେଣ୍ଟ ସାଜି କାର୍ଯ୍ୟ କରୁଛନ୍ତି । ଭୋଟ ହାତେଇବା ପାଇଁ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ରାଜନୈତିକ ଚାପ ପ୍ରୟୋଗ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।






