ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା
ଭୁବନେଶ୍ୱର: ବିଜେଡି ଅନୁସୂଚିତ ଜନଜାତି (ଏସଟି) ସେଲର ପ୍ରଥମ ବୈଠକରେ ଆଦିବାସୀଙ୍କ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଶଙ୍ଖଭବନ ଠାରେ ଏସଟି ସେଲର ସଭାପତି ଶ୍ରୀ ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ଏହି ବୈଠକରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭାର ମାନ୍ୟବର ସାଂସଦ ଡକ୍ଟର ସନ୍ତୃପ୍ତ ମିଶ୍ର ଏବଂ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଏସ୍ଟି ସେଲର ସଦସ୍ୟମାନଙ୍କ ସହ ଆଲୋଚନା ହୋଇଥିଲା । ଆଦିବାସୀଙ୍କ ସମସ୍ୟାଗୁଡ଼ିକୁ ସଂସଦରେ ଉତ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପଯୁକ୍ତ ପଦକ୍ଷେପ ପାଇଁ ଉଦ୍ୟମ କରିବେ ବୋଲି ଡକ୍ଟର ସନ୍ତୃପ୍ତ ମିଶ୍ର ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିଲେ ।
ସନ୍ଧ୍ୟାରେ ବିଜେଡି ଏସଟି ସେଲର ସଦସ୍ୟମାନେ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଓଡ଼ିଶାର ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଆଦିବାସୀ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬ର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଆଇନ ଯୋଗୁଁ ଖଣି ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଅଧିକାର, ଜୀବିକା, ଜମି ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା କରିଥିଲେ । ବୈଠକରେ ବିଜେଡି ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଆଦିବାସୀଙ୍କ କଲ୍ୟାଣ, ସଶକ୍ତିକରଣ ଓ ବିକାଶ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ମରଣ କରାଯାଇଥିଲା । ଆଦିବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତ୍ତିଭୂମି ଏବଂ ସାମାଜିକ ସୁରକ୍ଷା ଉପରେ ବିଜେଡି ସରକାର ଗୁରୁତ୍ୱ ଦେଇଥିଲେ, ବିଶେଷକରି ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ବିକାଶ ପାଇଁ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଥିଲା ।
ବର୍ତ୍ତମାନର ବିଜେପି ସରକାରଙ୍କ ଅମଳରେ ଆଦିବାସୀ ସମାଜ ପ୍ରତି ଅବହେଳା କରାଯାଉଛି । ବନ ଅଧିକାର ଆଇନ (ଏଫ୍ଆର୍ଏ), ୨୦୦୬ ଅନୁଯାୟୀ ଯୋଗ୍ୟ ଆଦିବାସୀ ପରିବାରଗୁଡ଼ିକ ଜମି ଅଧିକାର ପାଇବାରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ବୈଠକରେ ଆଲୋକପାତ କରାଯାଇଥିଲା । ଜଙ୍ଗଲରେ ବସବାସ କରୁଥିବା ଯୋଗ୍ୟ ଆଦିବାସୀ ପରିବାରଗୁଡ଼ିକ ଯେପରି ସେମାନଙ୍କର ନ୍ୟାୟସଙ୍ଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ଏବଂ ପ୍ରଶାସନିକ ବିଳମ୍ୱ ଯୋଗୁଁ ସେମାନଙ୍କ ଜୀବିକା ଓ ସୁରକ୍ଷା ବିପନ୍ନ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସଦସ୍ୟମାନେ କହିଥିଲେ । ଆଶ୍ରମ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଏବଂ ଆଦିବାସୀ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷଣ ପରିବେଶ ଯୋଗାଇଦେବା ଉପରେ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ । ଅନ୍ୱେଷା ଯୋଜନା ବନ୍ଦ କରାଯାଇଥିବାରୁ ବୈଠକରେ ଏନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଆଦିବାସୀ ମହିଳାଙ୍କ ବିରୋଧରେ ଅପରାଧ ରୋକିବା, ତ୍ୱରିତ ଓ ନିରପେକ୍ଷ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲା ବିଜେଡି ।
ଓଡ଼ିଶାରେ ବିଜେଡି ଏସ୍ଟି ସେଲ୍ର ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା, ତୃଣମୂଳ ସ୍ତରରେ ଆଦିବାସୀ ସମାଜ ସହ ଯୋଗାଯୋଗ ଓ ସମ୍ପର୍କ ବୃଦ୍ଧି କରିବା ଏବଂ ସେମାନଙ୍କ ସମସ୍ୟା ଗୁଡ଼ିକୁ ଗଣତାନ୍ତ୍ରିକ ଓ ସାମ୍ୱିଧାନିକ ଉପାୟରେ ଉତ୍ଥାପନ କରିବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଥିଲା । ସଂସଦରେ ଆଦିବାସୀଙ୍କ ସମସ୍ୟା ଉଠାଇବା ପାଇଁ ଡକ୍ଟର ସନ୍ତୃପ୍ତ ମିଶ୍ର ଦେଇଥିବା ଆଶ୍ୱାସନାକୁ ସଦସ୍ୟମାନେ ସ୍ୱାଗତ କରିଥିଲେ । ଶ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ସହ ହୋଇଥିବା ଆଲୋଚନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଦସ୍ୟମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିବା ସହ ଆଦିବାସୀଙ୍କ ଅଧିକାର ଓ କଲ୍ୟାଣର ସୁରକ୍ଷା ପାଇଁ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଆଦିବାସୀ ମହିଳାଙ୍କ ସୁରକ୍ଷା, ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଖଣି ଓ ବିକାଶ ନୀତି ଯେପରି ଓଡ଼ିଶାର ଜମି ଓ ଜଙ୍ଗଲ ସହ ଜୀବନ ଓ ଜୀବିକା ଜଡ଼ିତ ଥିବା ସମ୍ପ୍ରଦାୟର ଅଧିକାରକୁ କ୍ଷୁଣ୍ଣ ନ କରେ, ସେଥିପାଇଁ ଓଡ଼ିଶାର ବିଜେପି ସରକାର ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।
ଅନୁଷ୍ଠିତ ଏହି ବୈଠକରେ ରମେଶ ମାଝୀ, ସାଲୁଗା ପ୍ରଧାନ, ପ୍ରଦୀପ ମାଝୀ, ନିରଞ୍ଜନ ବିଶି, ଜଗନ୍ନାଥ ସାରକା, ମାନସ ମାଡ଼କାମୀ, ଯୋଗେଶ ସିଂ, ବାସନ୍ତୀ ହେମ୍ବ୍ରମ, ମାଧବ ସର୍ଦ୍ଦାର, ସାନନ୍ଦ ମାରାଣ୍ଡି, ଡ଼ ପ୍ରିୟବ୍ରତ ମାଝୀ, ଜଗନ୍ନାଥ ନାଏକ, କିଶୋର ଚନ୍ଦ୍ର ନାଏକ, ଦେବାଶିଷ ମାରାଣ୍ଡି, ଶ୍ରୀନାଥ ସୋରେନ, ରଘୁନାଥ ଗମାଙ୍ଗୋ, ଭାନୁପ୍ରତାପ ସିଂ ମାଝୀ, କୌଶଲ୍ୟା ହିକକା, ସସ୍ମିତା ମେଳକା, କୁମୁଡ଼ା ସାଉଁଟା, ଭାରତୀ ହାଁସଦା, ସମାରୀ ତାଗୁଲ, ମୋତିରାମ ନାୟକ, ସରସ୍ୱତୀ ମାଝୀ, ରାଜୀବ ପାତ୍ର, ମଞ୍ଜୁଲତା କହଁର, ଦମୟନ୍ତୀ ମାଝୀ, ଲକ୍ଷ୍ମୀପି୍ରୟା ନାୟକ, ଅନୁସୂୟା ମାଝୀ, ଶଙ୍କର ତିର୍କୀ, ଚକ୍ରଧର ହେମ୍ବ୍ରମ, କାଶୀନାଥ ହେମ୍ବ୍ରମ, ସାଲୁକା ହନହଗା, ଲାଇଛନ ଖୋରା, ଦେବେନ୍ଦ୍ର ପ୍ରସାଦ ମାଝୀ, ଗଙ୍ଗାଧର ହେମ୍ବ୍ରମ, ଶୁଭଲକ୍ଷ୍ମୀ ମାଝୀ, ମୀନା ମାଝୀ, ବାସନ୍ତୀ ସିଂ, ଥିଉପିଲ୍ ଗମାଙ୍ଗୋ, ବୀରବିଚିତ୍ରସେନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।






