ଆଜି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ; ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ

Sakala Desk Picture
Published On

କ୍ଷମତା ଓ ଲୋକପ୍ରିୟତା ଦୁଇଟି ଆପେକ୍ଷିକ ଶବ୍ଦ। କ୍ଷମତା ଭିଡ଼ ଖୋଜେ; ମାତ୍ର ଲୋକପ୍ରିୟତା ଭିଡ଼ ଲୋଡେ଼ ନାହିଁ। କ୍ଷମତାକୁ ଭିଡ଼ ଅନୁସରଣ କରେ, ମାତ୍ର  ଭିଡ଼ର ଗହଳି ଭିତରେ ଆଗକୁ ବଢେ଼ ଲୋକପ୍ରିୟତା। କ୍ଷମତା ଜଣେ ନାୟକ ବା ହିରୋଟିଏ ତିଆରି କରେ, ମାତ୍ର ଲୋକପ୍ରିୟତାରୁ ଜନ୍ମ ନିଅନ୍ତି ଜଣେ ମହାନାୟକ। ନବୀନ ପଟ୍ଟନାୟକ ହେଉଛନ୍ତି ସେହିପରି ଜଣେ ମହାନାୟକ; ଯାହାଙ୍କ ଚାରିପଟେ ଆପେଆପେ ସୃଷ୍ଟି ହୁଏ ଭିଡ଼। ଚବିଶି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କର ପ୍ରିୟ ମଣିଷ ହୋଇ ରହିଥିଲେ; ମାତ୍ର କ୍ଷମତାରୁ ଅନ୍ତର ହେବା ପରେ ସାରା ଓଡ଼ିଶାବାସୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଆପଣାର ମଣିଷ। ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କ ଇସ୍ତଫା ଦୃଶ୍ୟ ରାଜ୍ୟବାସୀଙ୍କ ଆଖି ଓଦା କରିଦେଇଛି,ନୂଆ ସରକାରଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ଲୋକଙ୍କୁ ଉଲ୍ଲସିତ କରିଛି, ମଞ୍ଚାସୀନ ଦେଶ ଓ ରାଜ୍ୟର ଶାସନ ମୁଖ୍ୟଙ୍କୁ ବଡ଼ଦାଣ୍ଡରେ ମଞ୍ଚତଳୁ ଯୋଡ଼ହସ୍ତ ପ୍ରଣାମର ଦୃଶ୍ୟ କୋଟିକୋଟି ଓଡ଼ିଆଙ୍କ ହୃଦୟକୁ ବିଗଳିତ କରି ଦେଇଛି। ଏ ସବୁ ଦେଖିଲେ ଲାଗେ ଯେପରି ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ ହୋଇଯାଇଛି। ମହାବାତ୍ୟା ବିଧ୍ୱସ୍ତ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ରୂପାନ୍ତରଣ କରୁକରୁ ସେ ନିଜକୁ ଭୁଲିଛନ୍ତି; ପାଶୋରିଛନ୍ତି ନିଜର ପ୍ରାଚୁର୍ଯ୍ୟଭରା କୈଶୋର, ହଜାଇଛନ୍ତି ଅଭିଯାତ ଯୌବନ। 

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ରାଜନୀତିରେ ପ୍ରବେଶ  ପୂର୍ବରୁ ନବୀନଙ୍କ ଜୀବନ ଥିଲା ଆଭିଜାତ୍ୟ, ଆଧୁନିକତା ଓ ସୃଜନଶୀଳତାର ଏକ ଅନନ୍ୟ ସମନ୍ୱୟ। ଦିଲ୍ଲୀରୁ ପ୍ୟାରିସ୍‌, ଲଣ୍ଡନରୁ ଟୋକିଓ, ନ୍ୟୁୟର୍କ ପର୍ଯ୍ୟନ୍ତ ବିଶ୍ୱର ପ୍ରମୁଖ ସହରଗୁଡ଼ିକର ଉଚ୍ଚବର୍ଗୀୟ ସାମାଜିକ ପରିସରରେ ତାଙ୍କର ଥିଲା ଅବାଧ ବିଚରଣ। ଜ୍ୟାକି କେନେଡି, ମହାରାଣୀ ଗାୟତ୍ରୀ ଦେବୀ, ଡାଏନା ଭ୍ରିଲାଣ୍ଡ, ଗୋର୍‌ ଭିଡାଲ୍‌ ଓ ମିକ୍‌ ଜାଗର୍‌ଙ୍କ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ସହ ତାଙ୍କର ସମ୍ପର୍କ ଥିଲା ନିବିଡ଼।  ପଢ଼ିବା, ଲେଖିବା ଓ ଚିତ୍ର ଆଙ୍କିବାରେ ତାଙ୍କର ଗଭୀର ରୁଚି ଥିଲା। ଏକ ସ୍ୱଚ୍ଛନ୍ଦ, ସୌନ୍ଦର୍ଯ୍ୟପ୍ରିୟ ଓ ବୌଦ୍ଧିକ ଜୀବନ ତାଙ୍କୁ ଘେରି ରହିଥିଲା। ମାତ୍ର ବାପା ବିଜୁ ପଟ୍ଟନାୟକଙ୍କ ପରଲୋକ ତାଙ୍କର ଜୀବନର ଗତିପଥକୁ ବଦଳାଇ ଦେଇଥିଲା। 

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ମୁଖ୍ୟମନ୍ତ୍ରୀ ଭାବରେ ନବୀନଙ୍କ ଶାସନର ସଫଳତାର ମୂଲ୍ୟାୟନକୁ ନେଇ ହୁଏତ ମତଭେଦ ଥାଇପାରେ। ନିଜନିଜ ଦୃଷ୍ଟିକୋଣରୁ ସମାଲୋଚକମାନେ ନବୀନଙ୍କ ଶାସନ କାଳକୁ ତଉଲିଥାଇ ପାରନ୍ତି। ମାତ୍ର ତାଙ୍କ ସାମଗ୍ରିକ ରାଜନୈତିକ ଯାତ୍ରାରେ ରାଜ୍ୟର ବିକାଶ ଓ ଜନକଲ୍ୟାଣ ହିଁ ଏକମାତ୍ର କେନ୍ଦ୍ରବିନ୍ଦୁ ରହିଥିଲା, ତାହା ତାଙ୍କର କଠୋର ସମାଲୋଚକମାନେ ବି ସ୍ୱୀକାର କରିବେ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ୱାର୍ଥ ରକ୍ଷାରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଦାୟ ଓ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସେ ସମର୍ଥ ହୋଇଥିଲେ। ପ୍ରତିପକ୍ଷର କଟୁ ସମାଲୋଚନା ବିବ୍ରତ ହେଉଥିବା କିମ୍ବା ପ୍ରଶଂସକମାନଙ୍କ ପ୍ରଶଂସାରେ ସେ ବିମୋହିତ ହେବା ସମ୍ଭବତଃ କେହି ଦେଖି ନ ଥିବେ। 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

ସମୟଚକ୍ର ନବୀନ ପଟ୍ଟନାୟକଙ୍କୁ ଜଣେ  ଏକାଗ୍ର ଅନ୍ତର୍ମୁଖୀ ନେତା ଓ ସର୍ବକାଳୀନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ଗଢ଼ି ତୋଳିଥିଲା।  କ୍ଷମତାକୁ ସେ ଏକ ତପସ୍ୟାରେ ପରିଣତ କରିପାରିଥିଲେ। ତାଙ୍କର ନୂଆ ଓଡ଼ିଶା ଗଢ଼ିବାର ପଣର ପରିଣାମ ଥିଲା ଅତି ଚମକ୍ରାର। ପ୍ରତିଶୋଧ ପରାୟଣତା ଓ ରାଜନୀତିର ପେଞ୍ଚପାଞ୍ଚରୁ ସେ ନିଜକୁ ଦୂରେଇ ରଖିଥିଲେ। ‘ଆପଣମାନେ ଖୁସି ତ? ମୁଁ ବି ଖୁସି’ ଭଳି ସରଳ ଅଭିବ୍ୟକ୍ତି ମାଧ୍ୟମରେ ସେ ଜନସାଧାରଣଙ୍କ ସହ ଏକ ଭାବଗତ ସମ୍ପର୍କ ଗଢ଼ିବାକୁ ଚେଷ୍ଟା କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସମର୍ପିତ ତଥା ଅତୁଟ ବିଶ୍ୱାସ ସତ୍ତ୍ବେ ଧର୍ମ ନିରପେକ୍ଷତା ଥିଲା ତାଙ୍କର ଅସ୍ଥିମଜ୍ଜାଗତ। ବିଭିନ୍ନ ସମୟରେ ଶଙ୍କରାଚାର୍ଯ୍ୟ, ପୋପ୍‌, ଦଲାଇଲାମା ନବୀନଙ୍କୁ କରିଥିବା ପ୍ରଶଂସା ତାଙ୍କର ଧାର୍ମିକ ନିରପେକ୍ଷତାକୁ ପ୍ରମାଣିତ କରିଥିଲା। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବାକୁ ଉଦ୍ୟମ ତାଙ୍କ ରାଜନୈତିକ ଅଭିମୁଖ୍ୟକୁ ପରିପ୍ରକାଶ କରିଥିଲା। 

ଟିିକିଏ ସାହସ, ଟିକିଏ କଳ୍ପନାଶକ୍ତି ଥିଲେ ଜୀବନ ଚମକ୍ରାର ହୋଇପାରେ। ଚାର୍ଲି ଚାପ୍‌ଲିନ୍‌ଙ୍କ ଏହି ଉକ୍ତି ଅନେକତ୍ର ନବୀନଙ୍କ  କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା କ୍ଷେତ୍ରର ରୂପାନ୍ତରଣ ଓଡ଼ିଶାର କାୟାକଳ୍ପ ବଦଳାଇ ଦେଇଥିଲା। ମିଶନ ଶକ୍ତି, କାଳିଆ ଯୋଜନା ରାଜ୍ୟର ମହିଳା ଓ ଚାଷୀଙ୍କ ଜୀବନରେ ଆଣିଥିଲା କ୍ରାନ୍ତିକାରୀ ପରିବର୍ତ୍ତନ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସୁଖ୍ୟାତିର ସୁଗନ୍ଧ  ବିଶ୍ୱକୁ ମହକିତ କରିଥିଲା।  ‘ମୋ ସରକାର’ ଓ ‘୫-ଟି’  ପ୍ରଶାସନକୁ ଅଧିକ ଉତ୍ତରଦାୟୀ ଓ ଜନସାଧାରଣଙ୍କ ନିକଟତର କରିଥିଲା।  ନିବେଶକଙ୍କ ପାଇଁ ଲାଲ ଗାଲିଚା ରାଜ୍ୟକୁ ସମୃଦ୍ଧ କରିଥିଲା, ଧାର୍ମିକ ଓ ଐତିହ୍ୟ ସ୍ଥଳକୁ କରିଥିଲା ସୁଶୋଭିତ। 

ସାମ୍ପ୍ରତିକ ରାଜନୀତିରେ ସମାଲୋଚନା, ଆକ୍ଷେପ, ବ୍ୟକ୍ତିଗତ ଜୀବନ ପ୍ରତି ଟିପ୍ପଣୀ ଆଦିଠାରୁ  ନବୀନ ସର୍ବଦା  ଦୂରତ୍ୱ ଅବଲମ୍ବନ କରି ଆସିଛନ୍ତି। ତାଙ୍କୁ କଟୁ ସମାଲୋଚନା କରୁଥିବା ରାଜନୈତିକ ପ୍ରତିପକ୍ଷଙ୍କ ଉଦ୍ଦେଶ୍ୟରେ ବି ସେ କଦାପି କଠୋର ଶବ୍ଦ ପ୍ରୟୋଗ କରିଥିବା କେବେ କେହି ଶୁଣି ନାହାନ୍ତି। ପ୍ରତିପକ୍ଷ ରାଜନୈତିକ ଦଳର ନେତାଙ୍କଠାରୁ ଦିବାନିଶି ତାଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କ  ପାଇଁ ବି ନବୀନ ନିବାସର ଦ୍ୱାର ସର୍ବଦା ଖୋଲା ଥିବା ଦେଖାଯାଇଛି। ବ୍ୟକ୍ତିଗତ ଜୀବନ ଓ ସାଧାରଣ ଜୀବନ ତାଙ୍କ ପାଇଁ କେବେ ଭିନ୍ନ ରହିନାହିଁ; ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି, ଜଣେ ଅନନ୍ୟ ପ୍ରଣମ୍ୟ ମହାନାୟକରେ ପରିଣତ କରିଛି। 

ଅଶୀତମ ଜନ୍ମ ଦିନରେ ତାଙ୍କୁ ଆମେ ତାଙ୍କୁ ସଶ୍ରଦ୍ଧ ପ୍ରଣାମ କରୁଛୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସୁସ୍ଥ, ନିରୋଗ, ଦୀର୍ଘାୟୁ କରନ୍ତୁ ବୋଲି କାମନା କରୁଛୁ। 

॥   ମାନସ ମଙ୍ଗରାଜ ॥

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର