ଚେନ୍ନାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହକୁ ନେଇ ଚର୍ଚ୍ଚା
ଚେନ୍ନାଇରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି। ମୃତକ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖଟିଆକୁଦି ଗ୍ରାମର ତ୍ରିଲୋଚନ ବାରିକି। ସେ ଧନେଶ୍ୱର ବାରିକିଙ୍କ ପୁଅ ବୋଲି ଜଣାପଡ଼ିଛି। ତାଙ୍କ ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ପରିବାର ସମେତ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ତ୍ରିଲୋଚନ ଚେନ୍ନାଇର ଗୁଇଣ୍ଡି ଥାନା ଅଞ୍ଚଳରେ ଥିବା ଭାସିୟମ କମ୍ପାନୀରେ କାମ କରୁଥିଲେ। ସେଠାରେ ପ୍ରାୟ ଏକ ବର୍ଷ ଧରି କାର୍ଯ୍ୟ କରୁଥିବା ତ୍ରିଲୋଚନଙ୍କ ମୃତ୍ୟୁ ଖବର ରାତିରେ ପରିବାର ଲୋକଙ୍କୁ ଦିଆଯାଇଥିଲା।
କମ୍ପାନୀ ପକ୍ଷରୁ ସେ ସିଡ଼ିରୁ ଖସିପଡ଼ି ମୃତ୍ୟୁବରଣ କରିଥିବା କୁହାଯାଉଛି। ତେବେ, ମୃତଦେହ ନିକଟରେ ଏକ ଶାବଳ ପଡ଼ିଥିବା ଖବର ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ତ୍ରିଲୋଚନଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ, ପରିବାର ଲୋକେ ତ୍ରିଲୋଚନଙ୍କ ମୃତ୍ୟୁର ସତ୍ୟତା ଜାଣିବା ସହ ନ୍ୟାୟ ପାଇବା ଅପେକ୍ଷାରେ ରହିଛନ୍ତି।






