ସୋସିଆଲ ମିଡିଆରେ ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖାଇବା ପଡ଼ିଲା ମହଙ୍ଗା, ୟୁଟ୍ୟୁବର ମଧୁମିତାଙ୍କ ଘରୁ ୧ କୋଟି ଟଙ୍କାର ସୁନା ଓ ନଗଦ ଲୁଟ୍
ଆଜିକାଲି ସୋସିଆଲ ମିଡିଆରେ ନିଜର ଲାଇଫଷ୍ଟାଇଲ୍ ଏବଂ ଧନସମ୍ପତ୍ତି ପ୍ରଦର୍ଶନ କରିବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଏହି ସଉକ ଜଣେ ଲୋକପ୍ରିୟ ୟୁଟ୍ୟୁବରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାମିଲନାଡୁର ନାଗରକୋଏଲ୍ ଅଞ୍ଚଳରେ ରହୁଥିବା ୟୁଟ୍ୟୁବର ମଧୁମିତା ଏବଂ ତାଙ୍କ ସ୍ୱାମୀ ବିନୋଦ କୁମାରଙ୍କ ଘରୁ ପ୍ରାୟ ୧ କୋଟି ଟଙ୍କାର ସୁନାଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଛି। ସୋସିଆଲ ମିଡିଆରେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଗହଣା ପ୍ରଦର୍ଶନ କରିବା କାରଣରୁ ଚୋରମାନେ ସେମାନଙ୍କୁ ଟାର୍ଗେଟ କରିଥିବା ପୋଲିସ ସନ୍ଦେହ କରୁଛି।
କିପରି ଘଟିଲା ଚୋରି?
ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ମଧୁମିତା ଏବଂ ତାଙ୍କ ପରିବାର ସଦସ୍ୟମାନେ କିଣାକିଣି କରିବା ପାଇଁ ବଜାରକୁ ଯାଇଥିଲେ। ରାତି ପ୍ରାୟ ୧୨ଟା ବେଳେ ସେମାନେ ଘରକୁ ଫେରିବା ପରେ ଦେଖିବାକୁ ପାଇଥିଲେ ଯେ, ଘରର ପଛପଟ କବାଟକୁ ଏକ କଟିଂ ମେସିନ୍ ସାହାଯ୍ୟରେ କଟାଯାଇଛି। ଘର ଭିତରକୁ ଯାଇ ଦେଖିଲା ବେଳକୁ ଆଲମାରୀ ଭଙ୍ଗା ଯାଇଥିଲା ଏବଂ ସେଥିରେ ଥିବା ୧୧୮ ସୋଭରେନ୍ (ପ୍ରାୟ ୯୪୪ ଗ୍ରାମ) ସୁନା, ହୀରା ଅଳଙ୍କାର ସମେତ ୫୦,୦୦୦ ଟଙ୍କା ନଗଦ ଗାୟବ ଥିଲା। ସମୁଦାୟ ଚୋରି ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସୋସିଆଲ ମିଡିଆ ପୋଷ୍ଟରୁ ସୁରାଗ ପାଇଲେ ଚୋର
ମୂଳତଃ କୋଏମ୍ବାଟୁରର ବାସିନ୍ଦା ତଥା ଲାଇଫଷ୍ଟାଇଲ୍ ଇନଫ୍ଲୁଏନ୍ସର ମଧୁମିତା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିଲେ। ତାଙ୍କ ଭିଡିଓଗୁଡ଼ିକରେ ସେ ପ୍ରାୟତଃ ମୂଲ୍ୟବାନ ସୁନାଗହଣା ପିନ୍ଧିବା ସହ, ବିଛଣା ଉପରେ ଏବଂ ନିଜ ଛୋଟ ଝିଅ ଉପରେ ନୋଟ୍ ବିଡ଼ା ଢାଳିବାର ଦୃଶ୍ୟ ସେୟାର କରୁଥିଲେ। କେବଳ ସେତିକି ନୁହେଁ, ପରିବାର କୁଆଡ଼େ ବୁଲିବାକୁ ଯାଉଛନ୍ତି ଏବଂ ପ୍ରତି ମାସରେ କିପରି ସୁନା କିଣୁଛନ୍ତି, ସେହି ସବୁ ତଥ୍ୟ ମଧ୍ୟ ନିଜ ଫଲୋଅର୍ସଙ୍କ ସହ ବାଣ୍ଟୁଥିଲେ। ପୋଲିସର ଅନୁମାନ ଯେ, ଚୋରମାନେ ତାଙ୍କର ଏହି ସବୁ ପୋଷ୍ଟ ଉପରେ ନଜର ରଖିଥିଲେ ଏବଂ ଘର ଖାଲି ଥିବାର ସୁଯୋଗ ନେଇ ଏହି ବଡ଼ ଧରଣର ଲୁଟ୍ କରିଛନ୍ତି।
ତଦନ୍ତ ଜାରି ରଖିଛି ପୋଲିସ
କନ୍ୟାକୁମାରୀ ଜିଲ୍ଲା ଅନ୍ତର୍ଗତ ଥମ୍ମାଟ୍ଟୁକୋଣମ୍ ସ୍ଥିତ ଭିଆଇପି ଗାର୍ଡେନରେ ଥିବା ସେମାନଙ୍କର ଏହି ସୁରକ୍ଷିତ ବାସଭବନରେ ଏଭଳି ଚୋରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାକୁ ନେଇ ରାଜକ୍କମଙ୍ଗଲମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଚୋରମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଅନ୍ୟପକ୍ଷରେ, ଘଟଣା ପରେ ମଧୁମିତାଙ୍କ ପରିବାର ଗଭୀର ଆଘାତରେ ଥିବା ତାଙ୍କ ସ୍ୱାମୀ ବିନୋଦ କୁମାର ପ୍ରକାଶ କରିଛନ୍ତି।






