ଦ୍ୱିତୀୟ ଟେଷ୍ଟ ଲାଗି ଭାରତର ନୂଆ ରଣନୀତି, ଲଢେ଼ଇ କରିବାକୁ କୁଲଦୀପ ପ୍ରସ୍ତୁତ
ଏଜ୍ବାଷ୍ଟନ୍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଏଜବାଷ୍ଟନରେ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ। ଏହି ମୁକାବିଲାକୁ ଜିତିବା ଲାଗି ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି। ଏଠାରେ ପହଞ୍ଚିବା ପରେ ପ୍ରଥମେ ଶୁକ୍ରବାର ଓ ଶନିବାର ଦୁଇଦିନ କଡ଼ା ଅଭ୍ୟାସ କରିବା ପରେ ଆଜି ରବିବାର ଖେଳାଳିମାନେ ବିଶ୍ରାମ ନେଇଛନ୍ତି। ହେଡିଂଲେରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କିପରି ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବେ, […]
ଏଜ୍ବାଷ୍ଟନ୍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଏଜବାଷ୍ଟନରେ ଜୁଲାଇ ୨ ତାରିଖରୁ ଆରମ୍ଭ ହେବ। ଏହି ମୁକାବିଲାକୁ ଜିତିବା ଲାଗି ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି। ଏଠାରେ ପହଞ୍ଚିବା ପରେ ପ୍ରଥମେ ଶୁକ୍ରବାର ଓ ଶନିବାର ଦୁଇଦିନ କଡ଼ା ଅଭ୍ୟାସ କରିବା ପରେ ଆଜି ରବିବାର ଖେଳାଳିମାନେ ବିଶ୍ରାମ ନେଇଛନ୍ତି। ହେଡିଂଲେରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କିପରି ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବେ, ଏହି ମ୍ୟାଚ୍ ଲାଗି ଦଳରେ କାହାକୁ ବାଦ୍ ଦିଆଯିବ, କାହାକୁ ସାମିଲ କରାଯିବ ତାହା ଉପରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏପରିକି ଯେ କୌଣସି ପରିସ୍ଥିତିରେ ଏହି ଟେଷ୍ଟ ଜିତି ସିରିଜ୍ ବରାବର କରିବାକୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଆଶା ରଖିୁଛି। ଏଥିଲାଗି କି ଯୋଜନା କରୁଛି ସେ ସମ୍ପର୍କରେ କିଛି ସୂଚନା ମିଳି ନାହିଁ। କିନ୍ତୁ ଏଠାରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରତିପକ୍ଷ ଦଳକୁ ଦୁଇଥର ଆଉଟ କରିବାକୁ ହେଲେ କିମ୍ବା ୨୦ଟି ୱିକେଟ ନେଲେ ୪ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ଖେଳାଇବା ଜୁରରୀ ବୋଲି ଭାରତ ଛାଡ଼ିବା ପୂର୍ବରୁ କହିଥିଲେ ଅଧିନାୟକ ଶୁବମନ ଗିଲ୍।
ଏହା ସହ ଆଉ ଜଣେ ବୋଲିଂ ଅଲରାଉଣ୍ଡର ମଧ୍ୟ ଖେଳିବା ଆବଶ୍ୟକ। ହେଡିଂଲେ ଟେଷ୍ଟ ହାରିଯିବା ପରେ ହେଡ୍ କୋଚ୍ ଗୌତମ ଗମ୍ଭୀର ମଧ୍ୟ ସମାନ କଥା ଦୋହରାଇଛନ୍ତି। ଟେଷ୍ଟରେ ୪ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ସାମିଲ ନ କଲେ ଆମେ ପ୍ରତିପକ୍ଷ ଦଳର ୨୦ଟି ୱିକେଟ ନେଇ ପାରିବୁ ନାହିଁ। ଅଲରାଉଣ୍ଡର ଭୂମିକା ରବୀନ୍ଦ୍ର ଜାଡେଜା ତୁଲାଉଛନ୍ତି। କିନ୍ତୁ ପ୍ରଥମ ଟେଷ୍ଟରେ ଭାରତ ଯେଉଁ ଚତୁର୍ଥ ସ୍ପେଶାଲିଷ୍ଟ ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ଖେଳାଇଥିଲା ତାହା କାମ ଦେଲାନି। ଏହି ମ୍ୟାଚ୍ରେ ଭାରତ ୧୮୨.୪ ଓଭର ବୋଲିଂ କରିଥିଲା। କିନ୍ତୁ ଜଣେ ସ୍ପେଶାଲିଷ୍ଟ ବୋଲର ହୋଇଥିଲେ ମଧ୍ୟ ଠାକୁର ମାତ୍ର ୧୬ ଓଭର ବୋଲିଂ କରିବାକୁ ସୁଯୋଗ ପାଇଥିଲେ। ଏହି ସମୟରେ ସେ କେବେ ବି ପ୍ରତିପକ୍ଷ ବ୍ୟାଟରଙ୍କ ଲାଗି ବିପଦ ସୃଷ୍ଟି କରିବାରେ ସମର୍ଥ ହୋଇ ନ ଥିଲେ। ନିମ୍ନ ଭାଗରେ ଭଲ ବ୍ୟାଟିଂ କରୁଥିବାରୁ ତାଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। କିନ୍ତୁ ସେ ୨ଟି ଇନିଂସରେ ୧ ଓ ୪ କରିଥିଲେ। ଏଭଳି ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦ୍ୱିତୀୟ ଟେଷ୍ଟ ନୁହେଁ ବରଂ ସିରିଜ୍ରେ ଆଉ ଖେଳିବା ସୁଯୋଗ ମିଳିବା କଷ୍ଟକର।
ହେଡିଂଲେରେ ଭାରତୀୟ ବୋଲର ବିଫଳ ହେବାର ଅନ୍ୟତମ କାରଣ ହେଲା ଇଂଲଣ୍ଡ ପିଚ୍ରେ ପରିବର୍ତ୍ତନ। ଏବେ ଇଂଲଣ୍ଡର ଘରୋଇ କ୍ରିକେଟ ସିଜିନ ଶେଷ ହେବାକୁ ଯାଉଛି। ଯେଉଁ ପିଚ୍ରେ ଟେଷ୍ଟ ଖେଳାଯାଉଛି, ସେଥିରେ ବିଶେଷ ସୁଇଂ ହେଉନାହିଁ। ଅବଶ୍ୟ ଏଥିରୁ ଭାରତୀୟ ବ୍ୟାଟରମାନେ ଫାଇଦା ଉଠାଇଛନ୍ତି ଓ ଦୁଇଟି ବଡ଼ ପାଳି ୪୭୧ ଓ ୩୬୪ ରନ୍ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ଏତେ ରନ୍ କରି ମଧ୍ୟ ଭାରତ ଏହି ମ୍ୟାଚ୍ ହାରିଯାଇଥିଲା। ବ୍ରେଣ୍ଡାନ ମ୍ୟାକ୍କୁଲାମ ଇଂଲଣ୍ଡର ହେଡ୍ କୋଚ୍ ଓ ବେନ୍ ଷ୍ଟୋକ୍ସ ଅଧିନାୟକ ହେବା ପରଠାରୁ ଇଂଲିଶ ପିଚ୍ ଆଉ ଏତେ ବୋଲରଙ୍କୁ ସୁହାଉ ନାହିଁ। ଏଣୁ ବାଜ୍ବଲ ଶୈଳୀରେ ଏମାନେ ଦ୍ରୁତ ହାରରେ ରନ୍ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ନୀତିରେ ସେମାନେ ହେଡିଂଲେ ଟେଷ୍ଟ ଜିତିବାରେ ସମର୍ଥ ହୋଇଥିଲେ।
ଇଂଲଣ୍ଡକୁ ଦ୍ରୁତ ହାରରେ ରନ୍ ସଂଗ୍ରହ କରିବାରେ ଅଟକାଇବାକୁ ହେଲେ ଦଳରେ ଜଣେ ରିଷ୍ଟ ସ୍ପିନରଙ୍କ ଆବଶ୍ୟକତା ରହିଛି। ଏଥିଲାଗି କୁଲଦୀପ ଯାଦବ ପ୍ରସ୍ତୁତ ହୋଇ ରହିଛନ୍ତି। କିନ୍ତୁ ତାଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ଗମ୍ଭୀର-ଗିଲ ଯୋଡି ନିଷ୍ପତ୍ତି ନେବେ। ୩୦ ବର୍ଷରେ ପଦାର୍ପଣ କରିଥିବା କୁଲଦୀପ ମାତ୍ର ୧୩ଟି ଟେଷ୍ଟ ଖେଳିଛନ୍ତି। ବାଜ୍ବଲକୁ ଟକ୍କର ଦେବାକୁ ହେଲେ କୁଲଦୀପଙ୍କ ଉପସ୍ଥିତି ନିହାତି ଜରୁରୀ। ଭାରତର ଏକ ନମ୍ବର ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଖେଳିବେ। ପ୍ରଥମ ଟେଷ୍ଟରେ ତାଙ୍କୁ ଇଂଲଣ୍ଡ ବ୍ୟାଟରମାନେ ୩୯ଥର ରିଭର୍ସ ସୁଇପ୍ ସଟ୍ ମାରିଥିଲେ। ଜଣେ ବୋଲରଙ୍କୁ ସୁଇପ୍ ସଟ୍ ମାରିବାରେ ଏହା ସର୍ବାଧିକ। ସେ ଜଣେ ବାମହାତୀ ସ୍ପିନର। କିନ୍ତୁ କୁଲଦୀପ ଜଣେ ରିଷ୍ଟ ସ୍ପିନର। ରିଷ୍ଟ ସ୍ପିନରଙ୍କୁ ସୁଇପ୍ ସଟ୍ ମାରିବା ଏତେଟା ସହଜ ହେବ ନାହିଁ। ଏଣୁ ୱିକେଟ ପ୍ରତି ୨୨.୧୬ ହାରରେ ରନ୍ ବ୍ୟୟ କରିଥିବା କୁଲଦୀପ ଏହି ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି। ତାଙ୍କୁ ସୁଯୋଗ ମିଳିଲେ ଗମ୍ଭୀର-ଗିଲଙ୍କ ଯୋଜନା ଯେ ସଫଳ ହେବ ଏଥିରେ ସନ୍ଦେହର ତିଳେମାତ୍ର ଅବକାଶ ନାହିଁ।






