ମନୋରଞ୍ଜନ
ଓଡ଼ିଶା
ବିସିସିଆଇର ବଡ଼ ନିଷ୍ପତ୍ତି : ବଦଳିପାରିବେ ଗୁରୁତର ଆହତ ଖେଳାଳି
ମୁମ୍ବଇ : ଘରୋଇ କ୍ରିକେଟର ପ୍ଲେଇଂ କଣ୍ଡିସନ ବା ଖେଳ ସର୍ତ୍ତାବଳୀରେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଚଳିତ ସିଜନର ସମସ୍ତ ଘରୋଇ ମଲ୍ଟି ଡେ (ଏକାଧିକ ଦିନ ଧରି ହେଉଥିବା କ୍ରିକେଟ) କ୍ରିକେଟ ପ୍ରତିଯୋଗିତାରେ ଗୁରୁତର ଆହତ ଖେଳାଳିଙ୍କୁ ପରିବର୍ତ୍ତନ କରାଯିବ। ଚଳିତ ସିଜନ ଲାଗି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ପ୍ଲେଇଂ କଣ୍ଡିସନ୍ରେ ବିସିସିଆଇ ‘ସିରିୟସ ଇଞ୍ଜୁରୀ ରିପ୍ଲେସ୍ମେଣ୍ଟ’ କ୍ଲଜ୍ ଯୋଡିଛି। ଏହା କେବଳ ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଭଳି ଏକାଧିକ […]
ମୁମ୍ବଇ : ଘରୋଇ କ୍ରିକେଟର ପ୍ଲେଇଂ କଣ୍ଡିସନ ବା ଖେଳ ସର୍ତ୍ତାବଳୀରେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଚଳିତ ସିଜନର ସମସ୍ତ ଘରୋଇ ମଲ୍ଟି ଡେ (ଏକାଧିକ ଦିନ ଧରି ହେଉଥିବା କ୍ରିକେଟ) କ୍ରିକେଟ ପ୍ରତିଯୋଗିତାରେ ଗୁରୁତର ଆହତ ଖେଳାଳିଙ୍କୁ ପରିବର୍ତ୍ତନ କରାଯିବ। ଚଳିତ ସିଜନ ଲାଗି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ପ୍ଲେଇଂ କଣ୍ଡିସନ୍ରେ ବିସିସିଆଇ ‘ସିରିୟସ ଇଞ୍ଜୁରୀ ରିପ୍ଲେସ୍ମେଣ୍ଟ’ କ୍ଲଜ୍ ଯୋଡିଛି। ଏହା କେବଳ ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଭଳି ଏକାଧିକ ଦିନ ଧରି ଖେଳାଯାଉଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଲାଗୁ ହେବ।
୧୯ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫିରେ ଏହି ନିୟମ ମଧ୍ୟ ଲାଗୁ ହେବ। କିନ୍ତୁ ଏହା ସୟଦ ମୁସ୍ତାକ ଅଲି ଟି-୨୦ କିମ୍ବା ବିଜୟ ହଜାରେ ଟ୍ରଫି ୫୦ ଓଭର ବିଶିଷ୍ଟ କ୍ରିକେଟରେ ଲାଗୁ ହେବ ନାହିଁ। ନିକଟରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ରେ ଋଷଭ ପନ୍ତ୍ ଓ କ୍ରିସ୍ ଓକ୍ସଙ୍କ ଆହତ ହେବା ପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ଚତୁର୍ଥ ଟେଷ୍ଟରେ ଭାରତର ୱିକେଟ ରକ୍ଷକ ଋଷଭ ପନ୍ତ୍ଙ୍କ ଗୋଡରେ ଆଘାତ ଲାଗିବା ଫଳରେ ଓ ପଞ୍ଚମ ଟେଷ୍ଟରେ କ୍ରିସ୍ ଓକ୍ସଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିବା ଫଳରେ ଉଭୟ ଖେଳାଳି ମ୍ୟାଚ୍ରେ ଅବଶିଷ୍ଟ ସମୟ ଖେଳି ପାରି ନ ଥିଲେ। ଏପରିକି ମ୍ୟାଚ୍ ବଞ୍ଚାଇବା ଲାଗି ଓକ୍ସ ଗୋଟିଏ ହାତରେ ଯନ୍ତ୍ରଣାର ସହ ବ୍ୟାଟିଂ କରିଥିଲେ।
ଗୁରୁତର ଆହତ ହୋଇଥିଲେ ମଧ୍ୟ ଆଇସିସି ନିୟମ ଅନୁଯାୟୀ ସେମାନଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ଯାହା ଫଳରେ ଉଭୟ ଦଳ ସମ୍ପୃକ୍ତ ମ୍ୟାଚ୍ରେ ଜଣେ ଲେଖାଏଁ ଖେଳାଳିଙ୍କ ଅନୁପସ୍ଥିତିରେ ଖେଳିଥିଲେ। ଟେଷ୍ଟ ମ୍ୟାଚ୍ରେ କେବଳ କନକସସ ନିୟମ ଅନୁଯାୟୀ ଜଣେ ଖେଳାଳିଙ୍କୁ ପରିବର୍ତ୍ତନ କରାଯିବାର ଏବେ ନିୟମ ରହିଛି। କିନ୍ତୁ ପନ୍ତ ଓ ଓକ୍ସଙ୍କ ଗୁରୁତର ଆଘାତ ପରେ ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ଦାବି ଜୋର ହୋଇଥିଲା। ଏପରିକି ଯେଉଁ ଖେଳାଳି ଆହତ ହୋଇଛନ୍ତି, ଠିକ୍ ତାଙ୍କ ପରି ଜଣେ ସମାନ ଖେଳାଳିଙ୍କୁ ଅବଶିଷ୍ଟ ମ୍ୟାଚ୍ରେ ଖେଳିବାକୁ ସୁଯୋଗ ଦେବାକୁ ଦାବି କରାଯାଇଥିଲା। କିନ୍ତୁ ଏ ସମ୍ପର୍କରେ ଆଇସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିଲା କିମ୍ବା ନିୟମ ପରିବର୍ତ୍ତନ ଲାଗି କିଛି ପଦକ୍ଷେପ ନିଆଯାଇ ନ ଥିଲା।
ବିସିସିଆଇ ଏବେ ପାଦେ ଆଗେଇଯାଇ ଏପରି ଖେଳାଳିଙ୍କୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନେଇଛି। ଏହା ଫଳରେ ଯଦି ଦଳରେ ଜଣେ ଖେଳାଳି ଗୁରୁତର ଆହତ ହୁଅନ୍ତି, ତେବେ ତାଙ୍କ ସମକକ୍ଷ ଜଣେ ଖେଳାଳିଙ୍କୁ ଅବଶିଷ୍ଟ ସମୟରେ ଖେଳିବାକୁ ସୁଯୋଗ ଦିଆଯିବ ବୋଲି ବିସିସିଆଇ ପ୍ଲେଇଂ କଣ୍ଡିସନରେ ଯୋଡିଛି। ଏହା ନିଶ୍ଚିତଭାବେ ଆହତ ସମସ୍ୟା ଲାଗି ଗୋଟିଏ ଦଳ ଅସୁବିଧାରେ ପଡ଼ିବ ନାହିଁ। କିନ୍ତୁ ବିସିସିଆଇ ସର୍ତ୍ତ ରଖିଛି ଯେ, ଆଘାତ ସମସ୍ୟାଟି ଖେଳ ପଡ଼ିଆ ମଧ୍ୟରେ ହୋଇଥିବ। ଖେଳାଳିଙ୍କ ବାହାର ଅଂଶରେ ଆଘାତ ଲାଗିଥିବା ଜରୁରୀ। ଯେପରି ଜଣେ ଖେଳାଳିଙ୍କ ହାତଗୋଡ କିମ୍ବା ଅନ୍ୟ କିଛି ଭାଙ୍ଗିଯିବା, ଗଭୀର କ୍ଷତ ସୃଷ୍ଟି ହେବ କିମ୍ବା କାନ୍ଧରୁ ହାଡ ଖସିଯିବା। ଏପରି ଆଘାତ ହୋଇଥିଲେ ଖେଳାଳି ପରିବର୍ତ୍ତନ ଲାଗି ମ୍ୟାଚ୍ ରେଫରି ଉଭୟ ଡାକ୍ତର ଓ ଅମ୍ପାୟାର ନିଷ୍ପତ୍ତିି ନେଇ ସମଦକ୍ଷତା ସମ୍ପନ୍ନ ଖେଳାଳିଙ୍କୁ ଅବଶିଷ୍ଟ ମ୍ୟାଚ୍ରେ ଖେଳିବା ଲାଗି ଅନୁମତି ଦେଇ ପାରିବେ। ଉଭୟ ଆହତ ଓ ବଦଳ ଖେଳାଳି ଏହି ମ୍ୟାଚ୍ ଖେଳିବାର ରେକର୍ଡ ରହିବ।






