ବିଳମ୍ବିତ ନ୍ୟାୟ
ନ୍ୟାୟିକ ବ୍ୟବସ୍ଥାରେ ଏକ ପ୍ରବାଦ ଅଛି – ବିଳମ୍ବିତ ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ। ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ଭାରତରେ ଏହାର ଉଦାହରଣ ଅଧିକ ବୋଲି ଅଭିଯୋଗ ହୁଏ। ଏହା ପଛର ବିଭିନ୍ନ କାରଣମାନ ଏତେ ଜଟିଳ ଓ ବିଶାଳ ଯେ ତତ୍କାଳ ସମାଧାନର ସୂତ୍ର ପାଇବା ଦୁରୂହ ବ୍ୟାପାର। ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ ଓ ବିଲମ୍ବିତ କରିବା ପଛରେ ଅନେକ କାରଣ ମଧ୍ୟରୁ ମୁଖ୍ୟ ହେଉଛି ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ […]
ନ୍ୟାୟିକ ବ୍ୟବସ୍ଥାରେ ଏକ ପ୍ରବାଦ ଅଛି – ବିଳମ୍ବିତ ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ। ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଦେଶ ଭାରତରେ ଏହାର ଉଦାହରଣ ଅଧିକ ବୋଲି ଅଭିଯୋଗ ହୁଏ। ଏହା ପଛର ବିଭିନ୍ନ କାରଣମାନ ଏତେ ଜଟିଳ ଓ ବିଶାଳ ଯେ ତତ୍କାଳ ସମାଧାନର ସୂତ୍ର ପାଇବା ଦୁରୂହ ବ୍ୟାପାର। ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ ଓ ବିଲମ୍ବିତ କରିବା ପଛରେ ଅନେକ କାରଣ ମଧ୍ୟରୁ ମୁଖ୍ୟ ହେଉଛି ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ସମୂହ ଏହାର ଧାର୍ଯ୍ୟ ବିଚାରପତିଙ୍କ ସଂଖ୍ୟାଠାରୁ ବହୁତ କମ୍ରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ସଦ୍ୟ ପ୍ରକାଶିତ ଭାରତୀୟ ନ୍ୟାୟିକ ରିପୋର୍ଟରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରାଯାଇ ଉଦ୍ବେଗ ପ୍ରକାଶ ପାଇଛି।
ଉକ୍ତ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୧୫ ଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି। ବିଧି ଆୟୋଗର ସର୍ବଶେଷ ସୁପାରିସ ଅନୁଯାୟୀ ଏହି ଅନୁପାତ ପ୍ରତି ୧୦ ଲକ୍ଷରେ ୫୦ ବିଚାରପତି ରହିବା କଥା। ଭାରତର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ୩୩ ପ୍ରତିଶତ ବିଚାରପତି ପଦବୀ ଖାଲି ପଡ଼ିଛି। ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ଅର୍ଦ୍ଧାଧିକ ବିଚାରପତି ପଦବୀ ଖାଲି। ତେଣୁ ଜିଲ୍ଲା ଅଦାଲତମାନଙ୍କରେ ଜଣେ ବିଚାରପତି ପିଛା ହାରାହାରି ୨, ୨୦୦ ମାମଲା ବୋଝ ପଡ଼ୁଛି। ଆହ୍ଲାବାଦ୍ ଓ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ବିଚାରପତି ପିଛା ମାମଲା ବୋଝ ୧୫ ହଜାର। ଏଭଳି ସ୍ଥିତିରେ ନ୍ୟାୟିକ ପ୍ରକ୍ରିୟା ବିଲମ୍ବିତ ହେବା ସ୍ୱାଭାବିକ।
ନ୍ୟାଶ୍ନାଲ୍ ଜୁଡିସିଆଲ୍ ଡାଟା ଗ୍ରୀଡ୍ର ତଥ୍ୟ ଅନୁଯାୟୀ ୨୦୨୫ ଏପ୍ରିଲ୍ ୧୫ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟ ସମେତ ଦେଶର ବିଭିନ୍ନ ଅଦାଲତରେ ଏବେ ବିଚାର ଅପେକ୍ଷାରେ ପଡ଼ିରହିଥିବା ମାମଲା ସଂଖ୍ୟା ୪ କୋଟି ୫୪ ଲକ୍ଷ ୪୪ ହଜାର ୯୧୬। ସେଥିମଧ୍ୟରୁ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପଡ଼ି ରହିଥିବା ମାମଲା ସଂଖ୍ୟା ୧୦%। ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ – ୨୦୨୫ ଅନୁଯାୟୀ କର୍ଣ୍ଣାଟକ, ମଣିପୁର, ମେଘାଳୟ, ସିକ୍କିମ୍ ଓ ତ୍ରିପୁରା ଉଚ୍ଚ ନ୍ୟାୟାଳୟମାନଙ୍କରେ ଅଧା ମାମଲା ତିନିବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପଡ଼ି ରହିଛି। ଓଡ଼ିଶା ସମେତ ଆଣ୍ଡାମାନ୍ ନିକୋବର, ଅରୁଣାଚଳ ପ୍ରଦେଶ, ବିହାର, ଗୋଆ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମେଘାଳୟ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲା ଅଦାଲତମାନଙ୍କରେ ତିନିବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ଥିବା ମାମଲା ସଂଖ୍ୟା ମୋଟ ମାମଲା ସଂଖ୍ୟାର ୪୦%।
ବିଚାରପତି ଅଭାବ ଓ ବିଳମ୍ବିତ ନ୍ୟାୟର ପ୍ରତ୍ୟକ୍ଷ ପ୍ରଭାବ ପଡ଼ୁଛି ଦେଶର କାରାଗାର ସ୍ଥିତି ଉପରେ। ବିଡ଼ମ୍ବନା ଏହା ଯେ ସେହି ବିଚାରାଧୀନ କଏଦୀମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲାଣି; ଅନେକ କାଗଜପତ୍ର ଓ ପ୍ରମାଣ ହଜିଗଲାଣି। ତେଣୁ ସବୁ ବିଚାରାଧୀନ ମାମଲାର ଶୁଣାଣି ଶେଷ ହେବ ଏବଂ ଆବେଦନକାରୀ ପକ୍ଷଙ୍କୁ ନ୍ୟାୟ ମିଳିବ ଏହି ଆଶା ବୃଥା। କେତେକ ସ୍ଥାନରେ ଏଭଳି ବିଚାରାଧୀନ ବୟସ୍କବନ୍ଦୀମାନେ ମାନସିକ ଭାରସାମ୍ୟ ହରାଇ ଅତ୍ୟନ୍ତ ଦୟନୀୟ ଜୀବନ ଯାପନ କରୁଥିବା ବେଳେ ଯେଉଁ ଅପରାଧ ପାଇଁ ବ୍ୟକ୍ତିଟିଏ ବିଚାରାଧୀନ ଥିଲା, ସେଥିପାଇଁ ଆଇନରେ ଉଦ୍ଦିଷ୍ଟ ସର୍ବାଧିକ କାରାଦଣ୍ଡ ବ୍ୟବସ୍ଥା ଅବଧିଠାରୁ ସେ ବହୁଗୁଣରେ ଅଧିକ ଜେଲ୍ ଦଣ୍ଡ ଭୋଗୀ ସାରିଛି।
ଜେଲ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଅତୀତରେ ଅନେକ ବାର ପ୍ରୟାସ ହୋଇଛି; ଆୟୋଗମାନ ଗଠନ ହୋଇଛି। କିନ୍ତୁ ସୁପାରିସ କାର୍ଯ୍ୟକାରୀ ହୋଇପାରୁନାହିଁ। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୪୭୯ ଏବଂ ପୂର୍ବପ୍ରଚଳିତ ଆପରାଧିକ କ୍ରିୟାବିଧି ସଂହିତା(ସିଆରପିସି) ୧୯୭୩ର ଧାରା ୪୩୬(କ) ରେ ଜଣେ ବିଚାରାଧୀନ କଏଦୀଙ୍କୁ ସର୍ବାଧିକ କେତେଦିନ ପରେ ଜାମିନ ପ୍ରଦାନ କରାଯାଇପାରିବ ତାହାର ସୀମା ନିର୍ଦ୍ଧାରଣ କରାଯାଇଛି। ସିଆରପିସିର ଉପରୋକ୍ତ ଉଦ୍ଦିଷ୍ଟ ଧାରା ଅନୁଯାୟୀ ଯଦି ସମ୍ପୃକ୍ତ ଅଭିଯୁକ୍ତ ବା ବିଚାରାଧୀନ କଏଦୀଙ୍କ ବିରୋଧରେ ଅନୁସନ୍ଧାନ ପ୍ରକ୍ରିୟା କିମ୍ବା ଶୁଣାଣି ବିଳମ୍ବିତ ହେଉଥିବ ଏବଂ ସେମାନେ ସମ୍ପୃକ୍ତ ଥିବା ଅପରାଧ ପାଇଁ ଉଦ୍ଦିଷ୍ଟ ଦଣ୍ଡବିଧାନର ଅଧା ଭୋଗ କରିସାରିଥିବେ ତେବେ ସେମାନଙ୍କୁ ଜାମିନ୍ରେ ମୁକୁଳିବା ପାଇଁ ଅନୁମତି ଦିଆଯାଇପାରିବ। କିନ୍ତୁ ସେମାନେ ଯଦି ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବେ କିମ୍ବା ସେମାନଙ୍କ ନାମରେ ଏକାଧିକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରହିଥିବ ସେଭଳି କ୍ଷେତ୍ରରେ ଉପରୋକ୍ତ ଜାମିନ୍ ନିୟମ ଲାଗୁ ହେବ ନାହିଁ। ସେହିପରି ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିôବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ପ୍ରଥମ ଥର ପାଇଁ ଅପରାଧରେ ଅଭିଯୁକ୍ତଙ୍କ ପାଇଁ ଉପରୋକ୍ତ ଜାମିନ୍ ନିୟମ ମୋଟ ଦଣ୍ଡବିଧାନ ଅବଧିର ଅଧା ବଦଳରେ ଏକ-ତୃତୀୟାଂଶକୁ ହ୍ରାସ କରାଯାଇଛି।
ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଗତବର୍ଷର ଘୋଷଣା ଅନୁଯାୟୀ ଯେଉଁ ବିଚାରାଧୀନ କଏଦୀମାନେ ସେମାନେ ସମ୍ପୃକ୍ତ ଥିବା ଅପରାଧ ପାଇଁ ଉଦ୍ଦିଷ୍ଟ ଦଣ୍ଡବିଧାନର ଏକ-ତୃତୀୟାଂଶ ଭୋଗୀ ସାରିଥିବେ ସେମାନଙ୍କୁ ୨୦୨୪ ନଭେମ୍ବର ୨୬ ସମ୍ବିଧାନ ଦିବସ ପୂର୍ବରୁ ଜାମିନରେ କାରାମୁକ୍ତ କରିଦିଆଯିବ। ଏଥିପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୪୭୯ର ଅନୁପାଳନ କରାଯିବ। କିନ୍ତୁ ଏହା ଯେ ସଫଳ ହୋଇଥିବ ତାହା ନିଶ୍ଚିତ କରିହେଉନାହିଁ। କାରଣ ଅତୀତରେ ଏ ସମ୍ପର୍କରେ ଦେଶର ସର୍ବୋଚ୍ଚ ଅଦାଲତ ନିେର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ ଏବଂ ଅଦାଲତଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ସମୀକ୍ଷା ପାଇଁ ପୁନରାୟ ଖଣ୍ଡପୀଠମାନ ଗଠନ ହୋଇଛି।
ଉକ୍ତ ରିପୋର୍ଟ ଆଉ କେତେକ ସମ୍ବେଦନଶୀଳ ବିଷୟରେ ଦୃଷ୍ଟି ଆକର୍ଷଣ କରିଛି। ସେଗୁଡ଼ିକ ହେଉଛି ବିଧି, ନ୍ୟାୟିକ, ପୁଲିସ୍ ଓ କାରାଗାର କ୍ଷେତ୍ରରେ ଆମ ବଜେଟ୍ ବ୍ୟବସ୍ଥା ନୈରାଶ୍ୟଜନକ। ବିଧି ବ୍ୟବସ୍ଥା ପାଇଁ ବାର୍ଷିକ ମୁଣ୍ଡପିଛା ବ୍ୟୟ ମାତ୍ର ୬ଟଙ୍କା। ନ୍ୟାୟପାଳିକା ପାଇଁ ବାର୍ଷିକ ମୁଣ୍ଡପିଛା ବଜେଟ୍ ବ୍ୟୟ ମାତ୍ର ୧୮୨ ଟଙ୍କା ଏବଂ କାରାଗାର ପିଛା ୫୭ ଟଙ୍କା। କେବଳ ଆନ୍ଧ୍ରପ୍ରଦେଶକୁ ଛାଡ଼ିଦେଲେ କୌଣସି ରାଜ୍ୟ ସେମାନଙ୍କର ବାର୍ଷିକ ମୋଟ ବ୍ୟୟ ଅଟକଳର ୧%ରୁ ଅଧିକ ବିଚାର ବିଭାଗ ପାଇଁ ଖର୍ଚ୍ଚ କରୁନାହାନ୍ତି। ସେହିପରି କେବଳ ତାମିଲନାଡ଼ୁକୁ ଛାଡ଼ିଦେଲେ କୌଣସି ରାଜ୍ୟ କାରାଗାର ସୁଧାର ପିଛା ବଜେଟ୍ ବରାଦର ଶତ ପ୍ରତିଶତ ପୂରଣ କରିନାହାନ୍ତି।
ଏହା କେବଳ ଏକ ମାମୁଲି ପରିସଂଖ୍ୟାନ ନୁହେଁ; ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ଦେଶର ନ୍ୟାୟ ବ୍ୟବସ୍ଥାର ଗମ୍ଭୀର ସ୍ଥିତି ସୂଚାଉଛି। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଆଇନର ଶାସନ ପ୍ରକ୍ରିୟାରେ ଜଣେ ନିରୀହ ବ୍ୟକ୍ତିକୁ ବିନା ବିଚାରରେ ସର୍ବାଧିକ ଦଣ୍ଡ ବ୍ୟବସ୍ଥାଠାରୁ ଅଧିକ ଦଣ୍ଡ ଭୋଗିବାର ଦୃଷ୍ଟାନ୍ତ ନିହାତି ନିନ୍ଦନୀୟ। ଏହିଦୃଷ୍ଟିରୁ ଦେଖିଲେ ପ୍ରକୃତ ନ୍ୟାୟ ପାଇଁ ଆମର ସାମ୍ପ୍ରତିକ ନ୍ୟାୟିକ ବ୍ୟବସ୍ଥାର ଯେ ଆଶୁ ସଂସ୍କାର ଆବଶ୍ୟକ ତାହାକୁ ଅସ୍ୱୀକାର କରିହେବ ନାହିଁ।






