ମନୋରଞ୍ଜନ
ଓଡ଼ିଶା
ପାକିସ୍ତାନ ଏତେ ସାହସ ପାଉଛି କେଉଁଠୁ
କାଶ୍ମୀରର ପହଲଗାମରେ ପର୍ଯ୍ୟଟକମାନଙ୍କ ଉପରେ ଧର୍ମ ଆଧାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ଆତଙ୍କବାଦୀମାନେ ପୁରୁଷ ପର୍ଯ୍ୟଟକଙ୍କୁ ସେମାନେ ହିନ୍ଦୁ ନା ମୁସଲମାନ ବୋଲି ପଚାରିଥିଲେ। ସେମାନେ ମୁସଲମାନ ନୁହନ୍ତି ବୋଲି ନିଶ୍ଚିତ କରିବା ପାଇଁ ପୁରୁଷ ପର୍ଯ୍ୟଟକଙ୍କ ପୋଷାକ ଛଡ଼ାଇ ନେଇଥିଲେ। କିଛି ପର୍ଯ୍ୟଟକଙ୍କୁ କୋରାନ୍ ପାଠ କରିବାକୁ କୁହାଯାଇଥିଲା ଏବଂ ଯେଉଁମାନେ ଏହାକୁ ପାଠ କରିବାରେ ଅସମର୍ଥ ଥିଲେ ସେମାନଙ୍କୁ […]
କାଶ୍ମୀରର ପହଲଗାମରେ ପର୍ଯ୍ୟଟକମାନଙ୍କ ଉପରେ ଧର୍ମ ଆଧାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ଆତଙ୍କବାଦୀମାନେ ପୁରୁଷ ପର୍ଯ୍ୟଟକଙ୍କୁ ସେମାନେ ହିନ୍ଦୁ ନା ମୁସଲମାନ ବୋଲି ପଚାରିଥିଲେ। ସେମାନେ ମୁସଲମାନ ନୁହନ୍ତି ବୋଲି ନିଶ୍ଚିତ କରିବା ପାଇଁ ପୁରୁଷ ପର୍ଯ୍ୟଟକଙ୍କ ପୋଷାକ ଛଡ଼ାଇ ନେଇଥିଲେ। କିଛି ପର୍ଯ୍ୟଟକଙ୍କୁ କୋରାନ୍ ପାଠ କରିବାକୁ କୁହାଯାଇଥିଲା ଏବଂ ଯେଉଁମାନେ ଏହାକୁ ପାଠ କରିବାରେ ଅସମର୍ଥ ଥିଲେ ସେମାନଙ୍କୁ ସେମାନଙ୍କ ପତ୍ନୀ ଓ ପିଲାମାନଙ୍କ ସାମ୍ନାରେ ହତ୍ୟା କରାଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣର ଅନେକ ହୃଦୟ ବିଦାରକ ଫଟୋ ସାମ୍ନାକୁ ଆସିଛି। କେଉଁଠି ତିନିବର୍ଷର ଶିଶୁ ବାପାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପାଖରେ କାନ୍ଦୁଛି ତ କେଉଁଠି ଭାରତୀୟ ନୌସେନା ଅଧିକାରୀଙ୍କ ନବବିବାହିତା ମହିଳା ନିଜ ସ୍ୱାମୀଙ୍କ ମୃତଦେହ ନିକଟରେ ଅସହାୟ ଭାବେ ବସିଥିବା ଦେଖିବାକୁ ମିଳିଛି। ମୃତକ ଓ ଆହତଙ୍କ ମଧ୍ୟରେ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ, ଭାରତୀୟ ନୌସେନା, ବାୟୁସେନା ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀର ଅଧିକାରୀମାନେ ଅଛନ୍ତି, ଯେଉଁମାନେ ନିଜ ପରିବାର ସହିତ ଛୁଟି କାଟିବାକୁ ପହଲଗାମ ଯାଇଥିଲେ। ଆତଙ୍କବାଦୀମାନଙ୍କୁ ସେଠାରେ ଥିବା ପର୍ଯ୍ୟଟନ ବ୍ୟବସାୟ ସହ ଜଡ଼ିତ ସ୍ଥାନୀୟ ଲୋକେ ସୂଚନା ଦେଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଆତଙ୍କବାଦୀମାନଙ୍କୁ ସ୍ଥାନୀୟ ଲୋକେ ଆଶ୍ରୟ ଦେଇଥିବା ଏବେ ତଦନ୍ତରୁ ଜଣାପଡ଼ିଛି।
କାଶ୍ମୀରରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବାର ଏହା ପ୍ରଥମ ଘଟଣା ନୁହେଁ। ଜୁନ୍ ୨୦୨୪ରେ ରିୟାସିର ଶିବଖୋଡ଼ି ମନ୍ଦିରରୁ ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। କାଶ୍ମୀର ସମାଜରେ ଆତଙ୍କବାଦୀ ସଂଗଠନର ଅନୁପ୍ରବେଶ କେତେ ଗଭୀର ତାହା ଏଥିରୁ ବୁଝିହେବ ଯେ ଚଳିତ ବର୍ଷ ହିଁ ଜାମ୍ମୁ-କାଶ୍ମୀର ସରକାରଙ୍କ ୫ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବାକୁ ପଡ଼ିଥିଲା। କାରଣ ସେମାନେ ସରକାରରେ ଥାଇ ମଧ୍ୟ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲେ। ଅନ୍ୟ କେତେକ ସରକାରୀ କର୍ମଚାରୀଙ୍କ ବିରୋଧରେ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ସନ୍ଦେହରେ ତଦନ୍ତ କରାଯାଉଛି। ଏହା ହେଉଛି କାଶ୍ମୀରରେ ବ୍ୟାପିଥିବା ଇସଲାମିକ ମୌଳବାଦର ସତ, ଯାହା ପ୍ରାୟତଃ ଦେଶର ବାକି ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।
ଦେଶର ଯେ କୌଣସି ନାଗରିକ ଚାହିଁଲେ ଅନ୍ୟ ରାଜ୍ୟ ଭଳି କାଶ୍ମୀରରେ ବ୍ୟବସାୟ କରିପାରିବେ କିମ୍ୱା ସେଠାକୁ ଯାଇପାରିବେ ବୋଲି ଭାବି ଧାରା ୩୭୦ କୁ ହଟାଇ ଦିଆଯାଇଥିଲା। କାଶ୍ମୀରରେ ଗଭୀର ଭାବରେ ପ୍ରଚଳିତ ଇସଲାମିକ ମୌଳବାଦ କାରଣରୁ ଏହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ଏବଂ ପ୍ରଧାନମନ୍ତ୍ରୀ ପ୍ୟାକେଜ ମାଧ୍ୟମରେ କାମ କରିବାକୁ ପଠାଯାଇଥିବା କାଶ୍ମୀରର ମୂଳ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରାଯାଉଛି। ଏହା ପ୍ରମାଣ କରୁଛି ଯେ କାଶ୍ମୀର କେବଳ ରାଜନୈତିକ କିମ୍ୱା ସାମ୍ୱିଧାନିକ ସମସ୍ୟା ନୁହେଁ କିମ୍ୱା ପାରମ୍ପରିକ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଜିହାଦୀ ମୌଳବାଦରେ ପୀଡ଼ିତ କାଶ୍ମୀରବାସୀଙ୍କ ପ୍ରତି ଆଦର୍ଶଗତ ବ୍ୟବହାର ନ ହେଲେ କାଶ୍ମୀରରେ ସମ୍ପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ।
ମୁସଲମାନ ବହୁଳ ଜିନଜିଆଙ୍ଗ ପ୍ରଦେଶରେ ଚୀନ ଏଭଳି କରୁଛି। ଚୀନର କମ୍ୟୁନିଷ୍ଟ ସରକାର ବିଚ୍ଛିନ୍ନତାବାଦୀ ଏବଂ ଆତଙ୍କବାଦୀ ବିଚାରଧାରାରେ ଫସିଥିବା ଲୋକଙ୍କୁ ପୁନଃଶିକ୍ଷା ଶିବିରକୁ ପଠାଉଛନ୍ତି। ଏହି ଶିବିରଗୁଡ଼ିକରେ ଲୋକଙ୍କ ମନରେ ଯେଉଁ ଉଗ୍ରବାଦୀ ଜିହାଦୀ ବିଚାରଧାରା ସୃଷ୍ଟି ହୋଇଛି, ତାହାକୁ ହଟାଇ ଦିଆଯାଏ ଏବଂ ସେମାନଙ୍କୁ ଅଣମୁସଲମାନମାନଙ୍କ ପ୍ରତି ମାନବୀୟ ସହାନୁଭୂତି ରଖିବାକୁ ଶିକ୍ଷା ଦିଆଯାଏ। ଚୀନର ଏହି ଏକମାତ୍ର ମୁସଲମାନ ବହୁଳ ପ୍ରଦେଶରେ ଇସଲାମିକ ଶିକ୍ଷା ସରକାରଙ୍କ ନିୟନ୍ତ୍ରଣରେ ରହିଛି ଏବଂ ସେଠାକାର ମସଜିଦ୍ ଓ ମଦ୍ରାସାଗୁଡ଼ିକରେ ଇସଲାମିକ ବିଶ୍ୱାସ କିମ୍ୱା ଧାର୍ମିକ ଶିକ୍ଷା ନାମରେ କିଛି ଶିଖାଯାଇପାରିବ ନାହିଁ, ଯାହା ଅଣ-ମୁସଲମାନମାନଙ୍କ ପ୍ରତି ଘୃଣା ଭାବନା ସୃଷ୍ଟି କରେ କିମ୍ୱା ଧର୍ମ ନାମରେ ଚୀନଠାରୁ ବିଚ୍ଛିନ୍ନତାବାଦର ମାନସିକତା ସୃଷ୍ଟି କରେ। ଏହି କାରଣରୁ ଅନେକ ଯୁଦ୍ଧ ଲଢ଼ିବା ପରେ ମଧ୍ୟ ଇସ୍ରାଏଲ ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବାରେ ସକ୍ଷମ ହୋଇନଥିବା ବେଳେ ଚୀନ୍ ଜିନଜିଆଙ୍ଗରେ ଇସଲାମିକ ଆତଙ୍କବାଦକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଛି। ଦୁର୍ଭାଗ୍ୟବଶତଃ, ଦଶନ୍ଧି ଦଶନ୍ଦି ଧରି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼ୁଥିବା ଭାରତ ଶହ ଶହ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କୁ ହରାଇବା ପରେ ମଧ୍ୟ ଜିହାଦୀ ଆତଙ୍କବାଦୀ ବିଚାରଧାରାର ଉତ୍ସକୁ ବନ୍ଦ କରିପାରିନାହିଁ। ଚୀନ୍ ବ୍ୟତୀତ ଏବେ ଉଦାରବାଦୀ ଫ୍ରାନ୍ସ ଓ ଜର୍ମାନୀ ଉତ୍ତେଜନା ପୂର୍ଣ୍ଣ ମସଜିଦଗୁଡ଼ିକୁ ତାଲା ପକାଇ ଦେଉଛନ୍ତି, କିନ୍ତୁ ଭାରତରେ ଏ ନେଇ କୌଣସି ଆଲୋଚନା ସମ୍ଭବ ନୁହେଁ।
ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଭାଷଣର ଏକ ସପ୍ତାହ ମଧ୍ୟରେ ପହଲଗାମରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ସେ ହିନ୍ଦୁ ଓ ଭାରତ ବିରୋଧରେ ବିଷ ଓଗାଳି ଥିଲେ। ସେ ଜିନ୍ନାଙ୍କ ଘୃଣ୍ୟ ଦ୍ୱିଜାତିବାଦର ସିଦ୍ଧାନ୍ତକୁ ମଧ୍ୟ ସମର୍ଥନ କରିଥିଲେ। ପୁଲୱାମା ଆକ୍ରମଣ ଓ ବାଲାକୋଟରେ ଭାରତର ଜବାବ ପରେ ପାକିସ୍ତାନୀ ସେନା ଜାମ୍ମୁ-କାଶ୍ମୀରରେ ଛୋଟ ଛୋଟ ଆତଙ୍କବାଦୀ ଆକ୍ରମଣ କରୁଥିଲା ଏବଂ କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଚାଲିଥିଲା। ଏଭଳି ପରିସ୍ଥିତିରେ ପାକିସ୍ତାନ ହଠାତ୍ ଏପରି କରିବାକୁ ସାହସ କେଉଁଠୁ ପାଇଲା? ସମ୍ଭବତଃ ବାଂଲାଦେଶରେ ଭାରତର ପ୍ରତିକୂଳ ସ୍ଥିତି ଏବଂ ଏଲ୍ଏସିରେ ଭାରତୀୟ ସେନାର ଚୀନ୍ ସେନା ସହ ଉତ୍ତେଜନା ପରିସ୍ଥିତି ଯୋଗୁଁଁ ଏହାର ଫାଇଦା ଉଠାଇପାରିବ ବୋଲି ପାକିସ୍ତାନ ଅନୁଭବ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାଲୁଚିସ୍ତାନ ଏବଂ ଖୈବର ପଖତ୍ତୁନଖୱାରେ ପାକିସ୍ତାନୀ ସେନା ବାରମ୍ୱାର ପରାସ୍ତ ହୋଇଛି।
ଭାରତ ପାକିସ୍ତାନ ବିରୋଧରେ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଯାହା ପାକିସ୍ତାନକୁ ବେଲୁଚିସ୍ତାନ ଓ ଖୈବର-ପଖତ୍ତୁନଖୱାରୁ ନିଜର ସୈନ୍ୟ ପ୍ରତ୍ୟାହାର କରି ନେବାକୁ ବାଧ୍ୟ ହେବ। ପାକିସ୍ତାନକୁ ଚାରିଆଡ଼େ ଘେରାଉ କରି ନିଅାଁ, ପାଣି ବନ୍ଦ କରାଯିବା ଦରକାର।
ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼଼, ୯୪୩୭୬୪୨୯୪୭






