ହନିମୁନ୍ରେ ସ୍ବାମୀଙ୍କୁ ହତ୍ୟା ଘଟଣା: ପତ୍ନୀ, ପ୍ରେମିକ, ସୁପାରିକିଲର ଗିରଫ
ଲକ୍ଷ୍ନୌ: ବାହା ହେବା ପାଇଁ ପ୍ରଥମେ ରାଜି ହେଉ ନ ଥିଲେ। ଝିଅର ଇଚ୍ଛା ନ ଥିବା କହି ଏଡ଼ାଇ ଦେଇଥିଲେ। କିନ୍ତୁ ଘର ଲୋକେ ବୁଝାସୁଝା କରିବା ପରେ ସାତ ଜନ୍ମ ପାଇଁ ହାତ ଧରିଥିଲେ। ମାତ୍ର ସାତ ଜନ୍ମ ତ ଛାଡ଼ ୧୭ ଦିନ ପାଇଁ ବି ଏକାଠି ରହିପାରି ନ ଥିଲେ। ବିବାହର ନଅ ଦିନ ପରେ ପତ୍ନୀ ହନିମୁନ୍ ପାଇଁ ଜିଦ୍ ଧରିଲେ। କାମାକ୍ଷ୍ୟା ଦେବୀଙ୍କ ଦର୍ଶନ ପାଇଁ ଯିବା କହି […]
ଲକ୍ଷ୍ନୌ: ବାହା ହେବା ପାଇଁ ପ୍ରଥମେ ରାଜି ହେଉ ନ ଥିଲେ। ଝିଅର ଇଚ୍ଛା ନ ଥିବା କହି ଏଡ଼ାଇ ଦେଇଥିଲେ। କିନ୍ତୁ ଘର ଲୋକେ ବୁଝାସୁଝା କରିବା ପରେ ସାତ ଜନ୍ମ ପାଇଁ ହାତ ଧରିଥିଲେ। ମାତ୍ର ସାତ ଜନ୍ମ ତ ଛାଡ଼ ୧୭ ଦିନ ପାଇଁ ବି ଏକାଠି ରହିପାରି ନ ଥିଲେ। ବିବାହର ନଅ ଦିନ ପରେ ପତ୍ନୀ ହନିମୁନ୍ ପାଇଁ ଜିଦ୍ ଧରିଲେ। କାମାକ୍ଷ୍ୟା ଦେବୀଙ୍କ ଦର୍ଶନ ପାଇଁ ଯିବା କହି ନିଜେ ସବୁ କିଛି ବୁକିଂ କରିଥିଲେ। ଅନେକ କାମ ଥିବା ସତ୍ତ୍ବେ ପତ୍ନୀଙ୍କୁ ନା କରିପାରି ନ ଥିଲେ। ଶେଷରେ ତାଙ୍କ ସହ ହନିମୁନରେ ମେଘାଳୟ ଯାଇଥିଲେ। ପତ୍ନୀଙ୍କ ଇଚ୍ଛା ଅନୁସାରେ ୧୦ ଲକ୍ଷ ଟଙ୍କାର ଅଳଙ୍କାର ପିନ୍ଧି ଇନ୍ଦୋର ବିମାନବନ୍ଦର ଛାଡ଼ିଥିଲେ। ମାତ୍ର ଏହି ହନିମୁନ ପଛରେ ପତ୍ନୀ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ପ୍ରତି ମୁହୂର୍ତ୍ତର ସୂଚନା ତଥା ଲୋକେସନ ପ୍ରେମିକକୁ ପଠାଉ ଥିଲେ। ପ୍ରେମିକ ସହ ମିଶି ପତିକୁ ହତ୍ୟା କରାଇଥିଲେ। ସବୁ ଅଳଙ୍କାର ଲୁଟି ନେଇ କେଉଁଆଡେ ଫେରାର ହୋଇ ଯାଇଥିଲେ। ହତ୍ୟାର ୧୭ ଦିନ ପରେ ପତି ହତ୍ୟା ପାଇଁ ପତ୍ନୀକୁ ଉତ୍ତରପ୍ରଦେଶ ପୁଲିସ ସୋମବାର ଗିରଫ କରିଛି। ଘଟଣାସ୍ଥଳରୁ ୧୧୦୦ କିମି ଦୂର ଉତ୍ତର ପ୍ରଦେଶ ଗାଜିପୁର ସ୍ଥିତ ଢାବାରୁ ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମକୁ ଗିରଫ କରିଛି। ତେେବ ସୋନମ୍ ନିଜକୁ ନିର୍ଦ୍ଦୋଷ କହିଛି।
ଏହି ମାମଲାରେ ପୁଲିସ ସୋନମଙ୍କ ପ୍ରେମିକ ରାଜ୍ କୁଶ୍ବାହ, ସୁପାରି କିଲର ସମେତ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଆନନ୍ଦ କୋ, ବିଶାଲ ଚୌହାନ, ଆକାଶ ରାଜପୁତ, ଆକାଶ ଲୋଧି ସାମିଲ ଅଛନ୍ତି। ଏଣେ ଝିଅକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ କହିଛନ୍ତି ତାଙ୍କ ପରିବାର ସଦସ୍ୟ। ସେମାନେ ମେଘାଳୟ ପୁଲିସ ଉପରେ ଅଭିଯୋଗ ଲଗାଇଛନ୍ତି। ପୁଲିସ ଝିଅକୁ ଫସାଇବା ପାଇଁ ମିଛ କାହାଣୀ ଗଢ଼ିଛି ବୋଲି କହିଛନ୍ତି। ସୂଚନା ଅନୁଯାୟୀ ସୋମବାର ଭୋର ୩ଟାରେ ଗାଜିପୁରରେ ଏକ ଢାବାରେ ସୋନମ ପହଞ୍ଚି ଥିଲେ। ଏହି ଢାବାର ପରିଚାଳକ ପୁଲିସକୁ ଫୋନ୍ କରି ସୂଚନା ଦେଇଥିଲେ। ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶର ଅଲଗା ଅଲଗା ସ୍ଥାନରେ ଚଢ଼ଉ କରି ଧରା ଯାଇଥିଲା। ମେଘାଳୟ ଏସଆଇଟି ମୁଖ୍ୟ ହର୍ବର୍ଟ ପିନିୟାଡ ଖାରକୋଙ୍ଗୋର କହିଛନ୍ତି ଯେ ରାଜାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଦୁଇ ଥର ଆଘାତ ଲାଗିଛି। ଅନ୍ୟପକ୍ଷରେ ମେଘାଳୟ ପୁଲିସ ସୋନମଙ୍କୁ ହେପାଜତକୁ ନେଇ ସିଲଂ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ରାଜା ଏବଂ ସୋନମ ଗତ ୨୩ ତାରିଖରୁ ଇଷ୍ଟ ଖାସି ହିଲ୍ସ ଜିଲ୍ଲାର ସୋହରା କ୍ଷେତ୍ରରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ଗତ ଦୁଇ ତାରିଖରେ ଏକ ଖାଇରୁ ରାଜାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ପତ୍ନୀଙ୍କୁ ସନ୍ଧାନ କରାଯାଉଥିଲା। ସେ ହିଁ ରାଜାଙ୍କୁ ହତ୍ୟା କରାଇଥିଲେ ବୋଲି ମେଘାଳୟ ଡିଜିପି କହିଛନ୍ତି।
ସୂଚନା ଅନୁଯାୟୀ ପ୍ରେମିକ ରାଜ୍ ସୋନମଙ୍କ ବାପାଙ୍କ ଦୋକାନରେ କାମ କରୁଥିଲା। ଦେଢ଼ ବର୍ଷ ହେଲା ସେ ସୋନମଙ୍କ ଘର ନିକଟରେ ରହୁଥିଲା। ସେହିପରି ରାଜାଙ୍କ ମାଆ ଉମା କହିଛନ୍ତି ଯେ ପୁଅ ପ୍ରଥମେ ବାହା ହେବାକୁ ମଙ୍ଗୁ ନ ଥିଲା। କାରଣ କଥା ହେବା ପାଇଁ ଓ ବିବାହରେ ଝିଅର ଇଚ୍ଛା ନ ଥିବା କହିଥିଲା। ପରେ ବୁଝାସୁଝା କରିବାରୁ ସେ ରାଜି ହୋଇଥିଲା। ବିବାହ ପରେ ହିଁ ବୋହୂ ହନିମୁନ ପାଇଁ ଜିଦ୍ ଧରିଥିଲା। କାହାକୁ ଏ ବିଷୟରେ ସୂଚନା ମଧ୍ୟ ଦେଇ ନ ଥିଲା। ସେ ଯିବା ଟିକଟ ତ ବୁକ୍ କରିଥିଲା, କିନ୍ତୁ ଫେରିବା ଟିକଟ କରି ନ ଥିଲା। ତଦନ୍ତ ଅଧିକାରୀ ବିବେକ ସିଆମ କହିଛନ୍ତି ଯେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସ୍ପଷ୍ଟ ହୋଇଛି। ପୀଡିତାଙ୍କ ପତ୍ନୀ ଏବଂ ତାଙ୍କ ଅଭିଯୁକ୍ତ ସାଥୀ ରାଜ କୁଶ୍ବାହ ସମ୍ପୃକ୍ତର ଯଥେଷ୍ଟ ପ୍ରମାଣ ଅଛି। ପ୍ରଥମେ ସେମାନେ ହଜି ଯାଇଥିବା ଭାବିଥିଲୁ। ପୂର୍ବରୁ ଏହି ଅଞ୍ଚଳରେ କେହି ନିଖୋଜ ହୋଇ ଯାଇଥିଲେ। ତେଣୁ ଖୋଜାଖୋଜି କରିଥିଲୁ। କିନ୍ତୁ ମୃତଦେହ ପାଇବା ପରେ ଏହା ହତ୍ୟା ଥିବା ସ୍ପଷ୍ଟ ହୋଇଥିଲା।






