ମନୋରଞ୍ଜନ
ବଦଳାଇ ହେବ ବୁକିଂ ରେଳ ଟିକଟର ଯାତ୍ରା ଦିବସ, ଯାତ୍ରା ଶ୍ରେଣୀ ମଧ୍ୟ ପରିବର୍ତ୍ତନ କରିହେବ...

ଟ୍ରେନ୍ ଛାଡିବାର ୪୮ ଘଣ୍ଟା ପୂର୍ବରୁ କାଉଣ୍ଟରରେ ଟିକଟ ସରେଣ୍ଡର କରିବାକୁ ପଡିବ
ନୂଆଦିଲ୍ଲୀ: ଯଦି ଆପଣଙ୍କର ଟ୍ରେନ୍ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରୁହେ ତେବେ ଆପଣଙ୍କୁ ଟିକଟ ବାତିଲ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଆଗକୁ ରେଳଯାତ୍ରୀଙ୍କୁ ଏଥରେ କିଛିଟା ଆଶ୍ୱସ୍ତି ମିଳିପାରେ। ରେଳବାଇ ଖୁବ୍ ଶୀଘ୍ର ଯାତ୍ରୀମାନଙ୍କ ପାଇଁ ଏକ ନୂତନ ସୁବିଧା ପ୍ରଚଳନ କରିବାକୁ ଯାଉଛି, ଯେଉଁଥରେ ଯାତ୍ରୀ ସେମାନଙ୍କର କନ୍ଫର୍ମ ଟିକଟର ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ। ସୂତ୍ର ଅନୁଯାୟୀ, ରେଳବାଇ ଏହି ପ୍ରସ୍ତାବ ଉପରେ ବିଚାର କରୁଛି ଏବଂ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ପ୍ରଚଳିତ ବ୍ୟବସ୍ଥାରେ ଯାତ୍ରା ଦିବସ ପରିବର୍ତ୍ତନ କଲେ ଯାତ୍ରୀଙ୍କୁ ଟିକଟ ବାତିଲ କରିବାକୁ ପଡିବ ଏବଂ ନୂତନ ତାରିଖ ପାଇଁ ନୂଆ ବୁକିଂ କରିବାକୁ ପଡିବ। ଏହା ନୂତନ ବୁକିଂର ଖର୍ଚ୍ଚ ବଢ଼ିବା ସହ ପୁରୁଣା ଟିକଟର କ୍ୟାନ୍ସଲେସନ୍ ଚାର୍ଜ ଦେବାକୁ ପଡିଥାଏ। ଏଥରେ ପ୍ରାୟତଃ, ଯାତ୍ରା ସ୍ଥଗିତ ହେବା ଯୋଗୁଁ ଯାତ୍ରୀମାନେ ଦ୍ୱିଗୁଣିତ କ୍ଷତି ସହିଥାନ୍ତି।
ନୂତନ ପ୍ରସ୍ତାବ ଅନୁଯାୟୀ, ଯାତ୍ରୀମାନଙ୍କୁ ଅନ୍ଲାଇନରେ ସେମାନଙ୍କର କନ୍ଫର୍ମ ଟିକଟର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯିବ। ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବନାହିଁ। ଏହାର ଅର୍ଥ ହେଉଛି ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ଦିନ ପାଇଁ ଟିକଟ ବୁକ୍ କରିଛନ୍ତି ଏବଂ କୌଣସି କାରଣରୁ ତାରିଖ ପରିବର୍ତ୍ତନ କରିବାକୁ ପଡିବ, ତେବେ ଆପଣ ନୂତନ ତାରିଖ ପାଇଁ ସମାନ ଟିକଟକୁ ପୁନଃନିର୍ଦ୍ଧାରିତ କରିପାରିବେ। ନୂଆ ବ୍ୟବସ୍ଥାରେ ନୂତନ ଯାତ୍ରା ତାରିଖରେ କେବଳ ସିଟ୍ ଉପଲବ୍ଧତା ଉପରେ ଆଧାର କରି ଟିକଟ କନ୍ଫରର୍ମେସନ୍ ହେବ। ଏହାର ଅର୍ଥ ହେଉଛି ଯେ ସେହି ତାରିଖରେ ଟ୍ରେନରେ ଖାଲି ସିଟ୍ ଥିଲେ ହିଁ ଟିକଟ ବୈଧ ହେବ। ଯଦି ନୂତନ ଦିନ ପାଇଁ ଭଡ଼ା ପୂର୍ବ ବୁକିଂ ଅପେକ୍ଷା ଅଧିକ ହୁଏ, ତେବେ ଯାତ୍ରୀଙ୍କୁ କେବଳ ଫରକ୍ ଭଡ଼ା ଦେବାକୁ ପଡିବ। ଏଥିରେ ଟ୍ରେନ୍ ଛାଡିବାର ୪୮ ଘଣ୍ଟା ପୂର୍ବରୁ କାଉଣ୍ଟରରେ ଟିକଟ ସରେଣ୍ଡର କରିବାକୁ ପଡିବ। ଆହୁରିମଧ୍ୟ ଯାତ୍ରା ଶ୍ରେଣୀ ମଧ୍ୟ ପରିବର୍ତ୍ତନ କରିହେବ। ଏଥିପାଇଁ ଅତିରିକ୍ତ ଚାର୍ଜ ଲାଗିବନାହିଁ।