ମନୋରଞ୍ଜନ
ଓଡ଼ିଶା
ଚାମେଲି ଓଝାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାକୁ ବେଆଇନ ଘୋଷଣା କଲେ ଅଦାଲତ
କଟକ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଓଡ଼ିଶା ହାଇକୋର୍ଟରୁ ଏକ ବଡ଼ ଧରଣର ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାକୁ ହାଇକୋର୍ଟ ଅବୈଧ ତଥା ବେଆଇନ ଘୋଷଣା କରି ରଦ୍ଦ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଏହି ମାମଲାର ଶୁଣାଣି କରି ବୁଧବାର ତାଙ୍କ ରାୟ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ତିଖିରି ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡମେମ୍ବରଙ୍କ ମଧ୍ୟରୁ ୨୧ ଜଣ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଗତ ଜୁଲାଇ ୨୭ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ସେପ୍ଟେମ୍ବର ୧୩ ତାରିଖରେ ଭୋଟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ପ୍ରକ୍ରିୟାରେ ଆଇନଗତ ନିୟମାବଳୀର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଚାମେଲି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ।
ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ୨୪ ଅନୁଯାୟୀ, ଜଣେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ କରାଇବା ପୂର୍ବରୁ ସମସ୍ତ ନିୟମ ମାନିବା ବାଧ୍ୟତାମୂଳକ। ଏଥିରେ ସରପଞ୍ଚଙ୍କୁ ନୋଟିସ୍ ସହ ଆବଶ୍ୟକୀୟ ରିଜୋଲ୍ୟୁସନ ଏବଂ ରିକ୍ୱିଜିସନର ନକଲ ପ୍ରଦାନ ସହିତ ନିର୍ଦ୍ଧାରିତ ୧୫ ଦିନର ନୋଟିସ୍ ଅବଧି ଦିଆଯିବା ଆବଶ୍ୟକ। କିନ୍ତୁ ଚାମେଲିଙ୍କୁ ରିଜୋଲ୍ୟୁସନ ଓ ରିକ୍ୱିଜିସନର ନକଲ ଦିଆଯାଇ ନଥିଲା, ବରଂ କେବଳ ନୋଟିସ୍ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଅନ୍ୟ ଏକ କପି ଡାକ ଯୋଗେ ପଠାଯାଇଥିଲା। ଏହା ସମ୍ପୂର୍ଣ୍ଣ ଆଇନ ବିରୋଧୀ ବୋଲି ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ପୂର୍ବରୁ ରାୟ ସଂରକ୍ଷିତ ରଖିଥିଲେ ଏବଂ ବୁଧବାର ଚାମେଲିଙ୍କ ସପକ୍ଷରେ ରାୟ ଦେଇ ସମଗ୍ର ଅନାସ୍ଥା ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓ ଅଫିସରେ ଉନ୍ନୟନ କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ପରେ ଚାମେଲି ଓଝା ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପୋଲିସ ଗିରଫ କରିବା ଏବଂ ପୋଲିସ ହେପାଜତରେ ମାଡ଼ ମରାଯାଇଥିବା ଅଭିଯୋଗ ହେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ରାୟ ପରେ ଚାମେଲି ନିଜ ସରପଞ୍ଚ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି।






