ଓଡିଶାରେ ବଢ଼ୁଛି କିଶୋରୀ ମାତୃତ୍ୱ ସଂଖ୍ୟା: ବାଲ୍ୟବିବାହ, ଶିକ୍ଷାର ଅଭାବ ମୁଖ୍ୟ କାରଣ
ପରୋକ୍ଷରେ ପଡ଼ୁଛି ଜଳବାୟୁ ପରିବର୍ତ୍ତନର କୁପ୍ରଭାବ; ସଚେତନତା ଅଭାବ ସହ କାର୍ଯ୍ୟକାରୀ ହେଉନି ସରକାରୀ ନିୟମାବଳୀ
ଭୁବନେଶ୍ୱର,(ସୁମିତ୍ରା ସାହୁ): ରାଜ୍ୟରେ କିଶୋରୀ ମାତୃତ୍ୱ କେବଳ ଏକ ପାରିବାରିକ ଓ ସାମାଜିକ ସମସ୍ୟା ନୁହେଁ, ଏଥିସହିତ ଯୋଡ଼ିହୋଇଛି ଜାତୀୟ ସ୍ୱାସ୍ଥ୍ୟ କଲ୍ୟାଣ ଓ ବିକାଶର ଚିତ୍ର। କିଶୋରୀ ମାତୃତ୍ୱର ମୁଖ୍ୟକାରଣ ବାଲ୍ୟବିବାହ ହୋଇଥିବା ବେଳେ ଶିକ୍ଷା ପାଇଁ ସୁଯୋଗ ଅଭାବ, ସାମାଜିକ ପ୍ରଥା, ଧାର୍ମିକ ରୀତିନୀତି, କନ୍ୟାସନ୍ତାନଙ୍କ ସୁରକ୍ଷା ଚିନ୍ତା, ବିବାହ ବେଳେ ଯୌତୁକ ବୋଝ, ପରିବାରରେ ନୈତିକତାର ଅଭାବ, ଅଣସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା ଆଦି କାରଣରୁ କିଶୋରୀମାନଙ୍କ ମାତୃତ୍ୱ ହାର ବୃଦ୍ଧି ପାଉଛି। ସେହିପରି ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ନିକଟରେ ଆଇନଗତ ସୂଚନା ପହଞ୍ଚିପାରୁ ନାହିଁ। ଏହାସହିତ କିଶୋର କିଶୋରୀଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ବେଳେ ଯେଉଁ ମାର୍ଗଦର୍ଶନ ଆବଶ୍ୟକ ତାହା ସେମାନଙ୍କୁ ମିଳିପାରୁ ନାହିଁ। ଫଳରେ ସେମାନେ ବିନା ଦ୍ୱିଧାରେ ସମ୍ପର୍କ ସ୍ଥାପନ କରି ମାତୃତ୍ୱ ଲାଭ କରିଥା’ନ୍ତି। ଅନେକ ସମୟରେ ସେମାନେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବାକୁ ମଧ୍ୟ ଭୟ କରନ୍ତି। ତେଣୁ ସଚେତନତା ଅଭାବରୁ ଏହିଭଳି ସମସ୍ୟା ବୃଦ୍ଧି ପାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି।
କିଶୋରୀ ବାଳିକାମାନଙ୍କ ମାତୃତ୍ୱ ହାର ରୋକିବାକୁ ସରକାର ବିଭିନ୍ନ ଆଇନ ଓ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଆଇନ ତା’ ବାଟରେ ରହିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଶୋରୀ ମାତୃତ୍ୱ ହାର ବଢ଼ିବାରେ ଲାଗିଛି। ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ବାର୍ଷିକ ରିପୋର୍ଟ ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ କିଶୋରୀ ମାତୃତ୍ୱ ସଂଖ୍ୟା ୨୪,୩୫୫ ରହିଥିବା ବେଳେ ୨୦୨୨-୨୩ରେ ୨୩, ୪୮୫ ରହିଥିଲା। ସେହିପରି ୨୦୨୩-୨୪ ବର୍ଷରେ ଏହି ସଂଖ୍ୟା ପୁନର୍ବାର ବୃଦ୍ଧି ଘଟି ୩୧,୬୦୫ରେ ପହଞ୍ଚିଥିଲା। ୨୦୨୧-୨୨ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼, ତୃତୀୟ ସ୍ଥାନରେ ନବରଙ୍ଗପୁର ଓ ଚତୁର୍ଥ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଥିଲା। ୨୦୨୨-୨୩ ମସିହାରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଏହି ତାଲିକାରେ ପ୍ରଥମରେ ରହିଥିବା ସହ କେନ୍ଦୁଝର ଜିଲ୍ଲା ଦ୍ୱିତୀୟ, ତୃତୀୟରେ ସୁନ୍ଦରଗଡ଼ ଓ ଚତୁର୍ଥରେ କୋରାପୁଟ ଜିଲ୍ଲା ରହିଥିଲା। ୨୦୨୩-୨୪ ମସିହାରେ ଗଞ୍ଜାମ ଜିଲ୍ଲାରେ କିଶୋରୀ ମାତୃତ୍ୱ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ତାଲିକାର ଦ୍ୱିତୀୟରେ କେନ୍ଦୁଝର ଓ ତୃତୀୟରେ ଗଞ୍ଜାମ ରହିଥିଲା। (ଦ୍ରଷ୍ଟବ୍ୟ- ସାରଣୀ-୧)
ସେହିପରି ଏନ୍ଏଫଏଚ୍ଏସ୍-୫(୨୦୨୦-୨୧) ରିପୋର୍ଟ ଅନୁସାରେ, ଏନ୍ଏଫଏଚ୍ଏସ୍-୪(୨୦୧୫-୧୬) ତୁଳନାରେ କିଶୋରୀ ମାତୃତ୍ୱ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ କିଶୋରୀ ମାତୃତ୍ୱ ଲାଭ କରିଛନ୍ତି। ୨୦୧୫-୧୬ରେ ୧୬.୧ ପ୍ରତିଶତ ରହିଥିବା ବେଳେ ୨୦୨୦-୨୧ରେ ତାହା ୧୭.୨ ପ୍ରତିଶତକୁ ବୃଦ୍ଧି ପାଇଛି। ନୟାଗଡ଼ରେ ୧୦ ପ୍ରତିଶତରୁ ୧୫.୨ କୃ ବୃଦ୍ଧି ହୋଇଥିବା ବେଳେ ମାଲକାନଗିରିରେ ୧୧.୭ ପ୍ରତିଶତରୁ ବୃଦ୍ଧି ପାଇ ୧୩.୮ ପ୍ରତିଶତରେ ପହଞ୍ଚିଛି। ସେହିପରି କେନ୍ଦୁଝରରେ ୧୨.୨ ପ୍ରତିଶତରୁ ୧୫, ବୌଦ୍ଧରେ ୮.୨ ପ୍ରତିଶତରୁ ୧୩.୭ ପ୍ରତିଶତରେ ପହଞ୍ଚିଛି। ଏହାସହ କୋରାପୁଟ, ବାଲେଶ୍ୱର, ରାୟଗଡ଼ା, ନବରଙ୍ଗପୁର, ଢେ଼ଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଗୁଡ଼ିକରେ ମଧ୍ୟ ଉପରମୁହାଁ ହୋଇଛି କିଶୋରୀ ମାତୃତ୍ୱ ହାର।
କିଶୋରୀ ମାତୃତ୍ୱର ପ୍ରମୁଖ କାରଣ:
- ରାଜ୍ୟରେ କିଶୋରୀ ମାତୃତ୍ୱର ପ୍ରଥମ କାରଣ ବାଲ୍ୟବିବାହ। ଅନେକ ସମୟରେ ପରିବାରର ସହମତିରେ ବାଲ୍ୟ ବିବାହ କରାଯାଉଥିବା ବେଳେ ପାରିବାରିକ ଚାପରେ କିଶୋରୀ ମାତୃତ୍ୱ ଲାଭ କରିବାକୁ ବାଧ୍ୟ ହୋଇଥାଏ। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ କୁଚିଲାଘାଟି ଗ୍ରାମର ୧୫ବର୍ଷିୟ ସୁକାନ୍ତି(ଛଦ୍ମନାମ)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ୨୦୨୦ ମସିହାରେ କରୋନା ମହାମାରୀରେ ଅନେକ ପରିବାର ଆର୍ଥିକ ଭାର କମାଇବାକୁ ନିଜ କିଶୋରୀ ଝିଅକୁ ବିବାହ ଦେବାକୁ ଆରମ୍ଭ କଲେ। ସୁକାନ୍ତିଙ୍କୁ ମାତ୍ର ଦୁଇବର୍ଷ ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ। ମା’ ସାବିତ୍ରୀ(ଛଦ୍ମନାମ) ଜଙ୍ଗଲରୁ ଉତ୍ପାଦ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ କରୋନା ସମୟରେ ସୁକାନ୍ତିଙ୍କ ମା’ ଅସୁସ୍ଥ ହୋଇପଡ଼ିବାରୁ ସେ ଝିଅ ପାଇଁ ଚିନ୍ତିତ ହୋଇ ତା’ର ବିବାହ ଦେବାକୁ ସ୍ଥିର କଲେ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ବିବାହ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବାରିପଦାର ନାରାୟଣ (ଛଦ୍ମନାମ)ଙ୍କ ସହ ହୋଇଥିଲା। ବିବାହ ପରେ ସୁକାନ୍ତିଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହେବା ସହ କିଛି ମାସ ପରେ ସେ ଗର୍ଭବତୀ ହୋଇଥିଲେ। ଅପରିପକ୍ୱ ବୟସରୁ ମା’ ହେବାର ଦାୟିତ୍ୱ କିଭଳି ତୁଲାଇବ ସେ ଚିନ୍ତାରେ ସ୍ଥାନୀୟ ଅଶାକର୍ମୀଙ୍କୁ ଭେଟି ଗର୍ଭପାତ କରାଇବାକୁ ଅନୁରୋଧ କରିଥିଲା। କିନ୍ତୁ ପରିବାର ଲୋକେ ସହଯୋଗ କରିନଥିଲେ। ଶେଷରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ସୁକାନ୍ତି କହିଛନ୍ତି। ସେହି ସମୟରେ ସେ ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଭୟଭୀତ ହେବା ସହ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥିବା କହିଛନ୍ତି।
- ସେହିପରି ଇଚ୍ଛାମୁତାବକ ସାଥୀ ଚୟନ କରିବା ମଧ୍ୟ କିଶୋରୀ ମାତୃତ୍ୱର ଆଉ ଏକ ପ୍ରମୁଖ କାରଣ। ଘରେ ସ୍ୱୀକୃତି ନ ମିଳିବା ମଧ୍ୟ ଯେ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡ଼ୁଛି ତାହାର ଏକ ଉଦାହରଣ ହେଉଛି, ଗଞ୍ଜାମ ଜିଲ୍ଲାର ସାନ୍ତାଳି ସମ୍ପ୍ର୍ରଦାୟର ରେଣୁ (ଛଦ୍ମନାମ)। ତାଙ୍କ ବାପା ସ୍ଥାନୀୟ ସହରରେ ଗାଡ଼ି ମରାମତି ମେକାନିକ୍ ଭାବେ କାମ କରି ପରିବାରର ୫ଜଣଙ୍କ ଦାୟିତ୍ୱ ତୁଲାଉଥିଲେ। ହେଲେ ସ୍ୱଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟକର ହୋଇଥିଲେ ବି ସେ ପିଲାମାନଙ୍କୁ ପଢ଼ିବାକୁ ଉତ୍ସାହିତ କରୁଥିଲେ ଏବଂ ସେମାନଙ୍କର ଶିକ୍ଷାକୁ ସମର୍ଥନ କରୁଥିଲେ। ରେଣୁ ବଡ଼ ଝିଅ ହୋଇଥିବାରୁ ପରିବାରର ଦାୟିତ୍ୱ ତୁଲାଇବାକୁ ସେ ନିଜର ଶିକ୍ଷା ସମ୍ପୂର୍ଣ୍ଣ କରି ଦୁଇ ଛୋଟ ଭାଇଭଉଣୀଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ। ତେବେ ସ୍କୁଲରେ ଜଣେ ଛାତ୍ରଙ୍କ ସହ ରେଣୁଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଉଭୟ ଘରୁ ଲୁଚି ଚାଲିଗଲେ। ପରେ ପୁଅର ପରିବାର ରେଣୁଙ୍କୁ ବୋହୂ ଭାବେ ଗ୍ରହଣ କଲେ ଏବଂ କିଶୋରୀ ବୟସରେ ସେ ଗର୍ଭବତୀ ହେଲେ ଏବଂ ଉଭୟଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।
- ସେହିପରି ଘରେ ଏକୁଟିଆ ପରିସ୍ଥିତି ମଧ୍ୟ କିଶୋରୀଙ୍କୁ ମାତୃତ୍ୱର ବୋଝ ସହିବାକୁ ପଡେ଼ ତାହାର ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ବଣିଆମାଳ ଗ୍ରାମରୁ ପ୍ରମାଣିତ ହୋଇଛି। ୧୭ବର୍ଷିୟ ସୋନାଲି(ଛଦ୍ମନାମ) ଶୈଶବରୁ ବାପାଙ୍କୁ ହରାଇଥିବା ବେଳେ ମା’ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସୋନାଲି ସ୍କୁଲ ଛୁଟି ପରେ ତାଙ୍କ ମା’ କାମରୁ ଫେରିବା ଯାଏ ଘରେ ଏକା ରୁହନ୍ତି। ଏହି ସମୟରେ ପଡେ଼ାଶୀ ଘରର ଯୁବକଙ୍କ ସହ ତାଙ୍କର ମିଳାମିଶା ଆରମ୍ଭ ହୋଇଥିଲା। କ୍ରମଶଃ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା।କିଛିଦିନ ପରେ ସୋନାଲୀ ଗର୍ଭବତୀ ଥିବା ତାଙ୍କ ମା’ଙ୍କ ଜାଣିବା ବେଳକୁ ଉକ୍ତ ଯୁବକ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସୋନାଲିଙ୍କୁ ନେଇ ତାଙ୍କ ମା’ ଏକ ଅଜଣା ଜାଗାକୁ ଚାଲି ଯାଇଥିଲେ। କିନ୍ତୁ ସୋନାଲିଙ୍କୁ ଡାକ୍ତରୀ ଚିକିତ୍ସା କିମ୍ବା ସ୍ଥାନୀୟ ଅଙ୍ଗନବାଡ଼ି ଆଶା ଦିଦିଙ୍କ ପରାମର୍ଶ ମିଳି ନଥିଲା। ଫଳରେ ଉଭୟ ସୋନାଲି ଓ ତାଙ୍କ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ଏହାପରେ ସୋନାଲି ନିଜ ଭୁଲ ବୁଝି ପାରିଥିଲେ। ତେବେ ଛୁଆ ବଡ଼ ହେବା ପରେ ସେ ଅଧାରୁ ଛାଡ଼ିଥିବା ପାଠପଢ଼ାକୁ ପୁଣି ଆରମ୍ଭ କରିବା ସହ ଚାକିରି କରି ବିଧି ଅନୁସାରେ ବିବାହ କରିବାକୁ ଚାହୁଁଥିବା ସୋନାଲି କହିଛନ୍ତି।
ପରୋକ୍ଷରେ ପ୍ରଜନନ କ୍ଷମତା ଓ କିଶୋରୀମାନଙ୍କ ଋତୁସ୍ରାବ ପ୍ରଭାବିତ
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଶୋଭା ମହାପାତ୍ରଙ୍କ କହିବା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଦ୍ୱାରା ପରୋକ୍ଷ ଭାବେରେ କିଶୋରୀ ମାତୃତ୍ୱ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି। ପ୍ରଥମତଃ, ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର ପ୍ରଭାବ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିଫଳିତ ହେଉଛି। ଅପରିପକ୍ୱ ବୟସରେ ଋତୁସ୍ରାବକୁ ସାମ୍ନା କରୁଛନ୍ତି କିଶୋରୀମାନେ। ପ୍ରକୃତିର ଏହି ଅସ୍ୱାଭାବିକତା ଯଦିଓ ସିଧାସଳଖ ମହିଳାମାନଙ୍କର ପ୍ରଜନନ କ୍ଷମତା ଓ କିଶୋରୀମାନଙ୍କ ଋତୁସ୍ରାବକୁ ପ୍ରଭାବିତ କରିନଥାଏ, କିନ୍ତୁ ପ୍ରରୋକ୍ଷ ଭାବେ ପ୍ରଭାବିତ କରୁଛି। ଋତୁସ୍ରାବ ପରେ କିଶୋରୀଟିଏ ‘ଫିମେଲ ସେକ୍ସ ହରମୋନ୍’ ପ୍ରଭାବବିତ ହୋଇ ଗର୍ଭଧାରଣ କରିବାର କ୍ଷମତା ପାଇଥାଏ। ଋତୁସ୍ରାବ ପରେ ଶରୀରରେ ଇଷ୍ଟ୍ରୋଜେନ୍ ପ୍ରବାହିତ ହୋଇଥାଏ ଏବଂ ଓଭାଲେସନ୍ ହୋଇଥାଏ, ଯାହା ଗର୍ଭଧାରଣରେ ସହାୟକ ହୋଇଥାଏ। କମ୍ ବୟସରେ କିଶୋରୀମାନେ ଋତୁସ୍ରାବର ଅନୁଭୂତି ନେଉଛନ୍ତି ତା ସହିତ ଅପରିପକ୍ୱ ଋତୁସ୍ରାବ ଓ ଅସମୟରେ ଗର୍ଭଧାରଣ ଭଳି ଘଟଣାମାନ ବଢ଼ୁଛି। ଅନେକ ସ୍ଥାନରେ ଝିଅଟିଏ ଋତୁସ୍ରାବ ହେବା ପରେ ସେ ବିବାହଯୋଗ୍ୟ ବୋଲି ବିବେଚନା କରାଯାଉଥିବାରୁ ପରିବାର ଲୋକେ ଝିଅଟିକୁ ବିବାହ କରିବାକୁ ଚିନ୍ତା କରୁଛନ୍ତି।
ସାରଣୀ-୧:
| ଜିଲ୍ଲାର ନାମ | ୨୦୨୧-୨୨ | ୨୦୨୨-୨୩ | ୨୦୨୩-୨୪ |
|---|---|---|---|
| ଝାରସୁଗୁଡ଼ା | ୯୫ | ୭୮ | ୧୮୪ |
| ନୂଆପଡ଼ା | ୧୦୨ | ୧୦୭ | ୨୪୨ |
| କଟକ | ୪୯୭ | ୬୧୭ | ୧୨୪୮ |
| କନ୍ଧମାଳ | ୩୩୮ | ୨୮୮ | ୫୭୧ |
| ମାଲକାନଗିରି | ୪୬୭ | ୫୦୮ | ୯୮୯ |
| ଦେଓଗଡ଼ | ୧୦୧ | ୧୪୧ | ୨୭୩ |
| ବଲାଙ୍ଗୀର | ୪୬୪ | ୪୨୧ | ୭୮୦ |
| ଯାଜପୁର | ୩୮୭ | ୪୩୬ | ୭୯୨ |
| ବାଲେଶ୍ୱର | ୧୨୩୦ | ୧୦୯୫ | ୧୮୬୮ |
| କଳାହାଣ୍ଡି | ୫୯୭ | ୬୭୮ | ୧୧୩୮ |
| ବୌଦ୍ଧ | ୨୭୫ | ୨୨୬ | ୩୭୪ |
| ସମ୍ବଲପୁର | ୨୭୨ | ୨୭୧ | ୪୩୫ |
| ସୋନପୁର | ୨୧୩ | ୧୩୩ | ୨୧୩ |
| ଗଜପତି | ୪୨୯ | ୩୧୭ | ୪୮୬ |
| ଭଦ୍ରକ | ୫୭୬ | ୪୬୧ | ୭୦୬ |
| ଜଗତସିଂହପୁର | ୧୮୯ | ୧୯୯ | ୩୦୨ |
| ପୁରୀ | ୪୨୦ | ୪୨୫ | ୬୪୦ |
| ବରଗଡ଼ | ୩୫୧ | ୩୦୬ | ୪୫୦ |
| ଗଞ୍ଜାମ | ୧୫୫୬ | ୧୫୦୦ | ୨୧୦୦ |
| ନବରଙ୍ଗପୁର | ୧୫୭୭ | ୧୩୫୨ | ୧୭୯୪ |
| ରାୟଗଡ଼ା | ୬୭୮ | ୬୯୨ | ୯୧୭ |
| କେନ୍ଦ୍ରାପଡ଼ା | ୫୨୪ | ୪୫୬ | ୬୦୨ |
| ଢେଙ୍କାନାଳ | ୧୦୧୫ | ୯୭୯ | ୧୨୬୦ |
| କେନ୍ଦୁଝର | ୨୦୧୪ | ୨୦୯୪ | ୨୬୨୯ |
| ମୟୁରଭଞ୍ଜ | ୩୪୩୮ | ୩୬୩୬ | ୪୧୧୯ |
| ଅନୁଗୋଳ | ୧୬୪୧ | ୧୨୯୩ | ୧୪୫୮ |
| ଖୋର୍ଦ୍ଧା | ୯୮୬ | ୯୦୬ | ୧୦୦୮ |
| ସୁନ୍ଦରଗଡ଼ | ୧୫୧୧ | ୧୫୩୪ | ୧୬୨୯ |
| କୋରାପୁଟ | ୧୩୮୦ | ୧୫୨୬ | ୧୫୪୭ |
| ନୟାଗଡ଼ | ୧୦୨୮ | ୮୦୯ | ୮୧୫ |
| ମୋଟ୍ | ୨୪୩୩୩ | ୨୩୪୮୫ | ୩୧୬୦୫ |
ତେବେ ପାଠ ପଢ଼ିବା ଖେଳକୁଦ ବୟସରେ ଗର୍ଭବତୀ ହେବା ଦ୍ୱାରା ସେମାନଙ୍କ ଶାରିରୀକ ଏବଂ ମାନସିକ ସମସ୍ୟା ସୃଷ୍ଟି ହେବା ସହିତ ମାତୃ ମୃତ୍ୟୁହାର ସହ ଶିଶୁ ମୃତ୍ୟୁହାର ଏବଂ ଭିନ୍ନକ୍ଷମ ଶିଶୁ ଜନ୍ମ ହେବାର ଆଶଙ୍କା ସୃଷ୍ଟି ହେଉଛି। ବିଶେଷ କରି କିଶୋରୀମାନେ ରକ୍ତହୀନତାର ଶିକାର ହେଉଥିବା ଜଣାପଡ଼ିଛି।
ଯୁବଗୋଷ୍ଠୀଙ୍କ ମତ
ଏବାବଦରେ ଉଭୟ ମୟୁରଭଞ୍ଜ ଜିଲ୍ଲାର ଯୁବକ-ଯୁବତୀ ସହ ଆଲୋଚନା ସମୟରେ୍, ସେମାନେ କହିଥିଲେ ଯେ କ୍ୟାରିଅର୍ ବିଷୟରେ ସଚେତନତାର ଅଭାବ, ମହିଳା ସଶକ୍ତୀକରଣ ଏବଂ ଦକ୍ଷତା ତାଲିମ ବିଷୟରେ କୌଣସି ମାର୍ଗଦର୍ଶନ ମିଳୁନାହିଁ। ସଚେତନତା ଅଭାବ ଯୋଗୁଁ କିଶୋର-କିଶୋରୀମାନେ ପ୍ରାରମ୍ଭିକ ବିବାହ ଏବଂ ଗର୍ଭଧାରଣର ଚାପରେ ପଡ଼ିଯାଆନ୍ତି। ନିୟମିତ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଆୟୋଜନ ହେଉନଥିବାରୁ ସଚେତନତାର ଅଭାବ ରହୁଛି। ସେହିପରି କିଶୋରୀ ମା’ମାନେ କହିଥିଲେ ଯେ ବିବାହ ଏବଂ ମାତୃତ୍ୱ ଲାଭ ପରେ ଯଦିଓ ସେମାନେ ନିଜର ଅଧ୍ୟୟନ ଜାରି ରଖିବାକୁ ଚାହୁଁଥିଲେ, ସାମାଜିକ କଳଙ୍କ ଯୋଗୁଁ ସେମାନଙ୍କୁ ବିଦ୍ୟାଳୟରୁ ଛାଡ଼ିବାକୁ ପଡ଼ିଥିଲା। ଏହା ସେମାନଙ୍କ ପାଇଁ ଜୀବିକା ନିର୍ବାହ କରିବାକୁ ମଧ୍ୟ କଷ୍ଟକର କରିଦେଇଛି। ଯଦି ସରକାର କିମ୍ବା ପ୍ରଶାସନ ସେମାନଙ୍କୁ ବୃତ୍ତିଗତ (ଭୋକେସନାଲ୍) କିମ୍ବା ଦକ୍ଷତା ବିକାଶ ତାଲିମ ପ୍ରଦାନ କରନ୍ତି, ତେବେ ଏହା ସେମାନଙ୍କୁ ଜୀବିକା ଉପାର୍ଜନ କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ, ଯେଉଁମାନେ ଅଧ୍ୟୟନ ଜାରି ରଖିବାକୁ ଆଗ୍ରହୀ ଅଛନ୍ତି, ସେମାନଙ୍କୁ ସରକାର ସମର୍ଥନ କରିବା ଉଚିତ୍। ଗର୍ଭବତୀ କିଶୋରୀ ଏବଂ କିଶୋରୀ ମାତାମାନଙ୍କ ପାଇଁ ମାନସିକ ସହାୟତା (ସାଇକୋଲଜିକାଲ୍ ସପୋର୍ଟ) ମଧ୍ୟ ଦାବି କରିଥିଲେ। କାରଣ ଏହି ସମୟରେ ସେମାନେ ବହୁତ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି। ଅଭିଭାବକମାନେ ମତ ଦେଇଛନ୍ତି ଯେ, କିଶୋରୀ ମାତୃତ୍ୱ ଲାଭ କରୁଥିବା ପୀଡ଼ିତାମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ, ବିଭିନ୍ନ ସଚେତନାମୂଳକ କାର୍ଯ୍ର୍ୟକମ, କ୍ୟାରିଅର୍ କାଉନସେଲିଂ, ଜୀବନ ଦକ୍ଷତା (ଲାଇଫ୍ ସ୍କିଲ୍) ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ସଚେତନତାର ଆବଶ୍ୟକତା ରହିଛି।
ଏହି ରିପୋର୍ଟରେ ପ୍ରଦତ୍ତ ଗବେଷଣାର ନିର୍ଯାସଗୁଡ଼ିକ କିଶୋରୀ ଗର୍ଭଧାରଣକୁ ମୁକାବିଲା କରିବା ପାଇଁ ଏକ ସକାରାତ୍ମକ ପନ୍ଥାକୁ ଭାବେ ଗ୍ରହଣ କରାଯାଇପାରିବ। ଯେଉଁଥିରେ ପରିବାର, ସମ୍ପ୍ରଦାୟ ଏବଂ ସରକାରଙ୍କର ସକ୍ରିୟ ଅଂଶଗ୍ରହଣ ଅନିବାର୍ଯ୍ୟ। ବିଶେଷକରି ବାଳିକାମାନଙ୍କ ପାଇଁ ଶିକ୍ଷାର ପ୍ରବେଶକୁ ବଢ଼ାଇବା ଉପରେ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ବାଳିକାମାନଙ୍କୁ ବିଦ୍ୟାଳୟରେ ରଖିବା, ବିବାହ ଏବଂ ଗର୍ଭଧାରଣକୁ ବିଳମ୍ବ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଡ୍ରପ୍ଆଉଟ୍ ରୋକିବା। ବିଶେଷକରି ଗ୍ରାମାଞ୍ଚଳ ଏବଂ ଆର୍ଥିକ ଭାବେ ପଛୁଆ ଅଞ୍ଚଳରେ ମାଧ୍ୟମିକ ଶିକ୍ଷାକୁ ସୁଲଭ ଏବଂ ଆକର୍ଷଣୀୟ କରିବାର ଶିକ୍ଷାଗତ ଉଦ୍ୟମକୁ ଅଗ୍ରାଧିକାର ଦେବା ଉଚିତ୍। ସରକାର, ନାଗରିକ ସମାଜ ସଂଗଠନ, ସ୍ଥାନୀୟ ନେତା, ପିତାମାତା ଏବଂ କିଶୋର-କିଶୋରୀମାନଙ୍କୁ ସାମିଲ କରି ସମ୍ପ୍ରଦାୟ-ନେତୃତ୍ୱାଧୀନ ଉଦ୍ୟମବଳରେ ଏହି ସମସ୍ୟା ଅନେକାଂଶରେ ହ୍ରାସ ପାଇପାରିବ। ଦାରିଦ୍ର୍ୟଚକ୍ରକୁ ଭାଙ୍ଗିବା ପାଇଁ ଲକ୍ଷ୍ୟଭିତ୍ତିକ ଆର୍ଥିକ ଯୋଜନା, ବାଳିକାମାନଙ୍କ ପାଇଁ ଛାତ୍ରବୃତ୍ତି ଭଳି ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ବିବାହକୁ ବିଳମ୍ବ କରିବା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ପ୍ରଭାବଶାଳୀ ହେବ। ତେବେ କିଶୋରୀ ଗର୍ଭଧାରଣକୁ ରୋକିବା ପାଇଁ ସମାଜର ସମସ୍ତ କ୍ଷେତ୍ରରୁ ଏକ ବହୁମୁଖୀ ଏବଂ ନିରନ୍ତର ପ୍ରୟାସ ଆବଶ୍ୟକ।





