ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା

Madhusudan Das Picture
Published On

ନୂଆଦିଲ୍ଲୀ: ଗୃହିଣୀମାନଙ୍କ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ଦିନ ଏକ ବଡ଼ ରାୟ ଶୁଣାଇଛନ୍ତି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଗୃହିଣୀମାନଙ୍କ ପାଇଁ କ୍ଷତିପୂରଣ ଆକଳନ କରିବା ସମୟରେ, ସେମାନଙ୍କର ବିନା ଦରମାରେ କରୁଥିବା ଘରୋଇ କାର୍ଯ୍ୟର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା ଭାବରେ ଗଣନା କରାଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି। ଏଥିସହ ପରିବାର ଏବଂ ସମାଜରେ ମହିଳାମାନଙ୍କର କେନ୍ଦ୍ରୀୟ ଭୂମିକାକୁ ଗୁରୁତ୍ୱ ଦେଇ ଗୃହିଣୀମାନଙ୍କୁ 'ରାଷ୍ଟ୍ର ନିର୍ମାତା' ଭାବରେ ସ୍ୱୀକୃତି ମିଳିବା ଉଚିତ୍ ବୋଲି ଖଣ୍ଡପୀଠ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ବିଚାରପତି ସଞ୍ଜୟ କାରୋଲ ଏବଂ ଏନ୍ କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୂର୍ବରୁ ଦେଶରେ ଗୃହିଣୀମାନଙ୍କ ଆୟକୁ କୁଶଳୀ ଶ୍ରମିକଙ୍କ ମଜୁରୀ ସହିତ ସମାନ ଭାବେ ଗଣନା କରାଯିବାର ନ୍ୟାୟିକ ପ୍ରଥା ରହିଥିଲା। ତେବେ ଏହି ପୁରୁଣା ନିୟମକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଛନ୍ତି। କୋର୍ଟ ଦର୍ଶାଇଛନ୍ତି ଯେ ଏପରି ଆଭିମୁଖ୍ୟ ଘରୋଇ କାର୍ଯ୍ୟର ପ୍ରକୃତ ଅର୍ଥନୈତିକ ଏବଂ ସାମାଜିକ ମୂଲ୍ୟକୁ ଠିକ୍‌ ଭାବେ ଆକଳନ କରିବାରେ ବିଫଳ ହୋଇଥାଏ। ବିଚାରପତି କାରୋଲ କହିଛନ୍ତି ଯେ, କୋର୍ଟ ଏକ ନୂତନ ନିୟମ ଲାଗୁ କରିଛନ୍ତି, ଯାହା ଅନୁଯାୟୀ ଘରୋଇ ଯତ୍ନର କ୍ଷତି ପାଇଁ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ଆକଳନ କରାଯିବ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ପଞ୍ଜାବର ଏକ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଆବେଦନର ଶୁଣାଣି ବେଳେ ଏହି ରାୟ ଆସିଛି। ନଭେମ୍ବର ୨୦୦୧ ମସିହାରେ ପଞ୍ଜାବର ରେଶମା ନାମକ ଜଣେ ମହିଳାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଏବଂ ତିନି ପିଲା କ୍ଷତିପୂରଣ ଦାବି କରି ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୦୩ ରେ ଟ୍ରିବ୍ୟୁନାଲ କ୍ଷତିପୂରଣ ପ୍ରଦାନ କରିଥିଲେ ମଧ୍ୟ ଏହି ମାମଲା ବର୍ଷ ବର୍ଷ ଧରି ନ୍ୟାୟାଳୟରେ ପଡ଼ିରହିଥିଲା। ଶେଷରେ ଡିସେମ୍ବର ୨୦୨୪ ରେ, ଅର୍ଥାତ୍ ଦୁର୍ଘଟଣାର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ଆବେଦନ ଉପରେ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

କ୍ଷତିପୂରଣ ମାମଲାରେ ଏତେ ବର୍ଷର ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାଧାରଣତଃ ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବିର ଶୁଣାଣି ସାଧାରଣତଃ ଗୋଟିଏ ବର୍ଷ ମଧ୍ୟରେ ଶେଷ ହେବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ଏଭଳି ମାମଲା ଉପରେ ନଜର ରଖିବାକୁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଯେପରି ଶୁଣାଣି ଶେଷ ହେବ, ସେଥିପାଇଁ ଉପଯୁକ୍ତ ପ୍ରଶାସନିକ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟ ଅନୁରୋଧ କରିଛନ୍ତି। ଯଦି ପୀଡ଼ିତ ପରିବାରକୁ ନ୍ୟାୟ ପାଇଁ ଦଶନ୍ଧି ଦଶନ୍ଧି ଅପେକ୍ଷା କରିବାକୁ ପଡ଼େ, ତେବେ ମୋଟର ଯାନ ଆଇନର କଲ୍ୟାଣକାରୀ ଉଦ୍ଦେଶ୍ୟ ବିଫଳ ହେବ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିଥିବା ଏହି ନୂତନ ମାନଦଣ୍ଡଟି ୨୦୧୭ ମସିହାରେ କୋର୍ଟଙ୍କ ସାମ୍ବିଧାନିକ ପୀଠ ଦ୍ୱାରା ଦିଆଯାଇଥିବା ପ୍ରଣୟ ସେଠୀ ମାମଲାର ରାୟ ସହିତ ମିଳିତ ଭାବେ କାର୍ଯ୍ୟକାରୀ ହେବ। ପୂର୍ବରୁ ମଧ୍ୟ କୋର୍ଟ ସ୍ପଷ୍ଟ କରିଥିଲେ ଯେ ଗୃହିଣୀମାନେ ମାସିକ ଦରମା ପାଉନଥିବାରୁ ସେମାନଙ୍କ ସେବାକୁ କେବେ ମଧ୍ୟ ମୂଲ୍ୟହୀନ ବୋଲି ବିବେଚନା କରାଯାଇପାରିବ ନାହିଁ। ବର୍ତ୍ତମାନର ଏହି ନୂଆ ଐତିହାସିକ ରାୟ ଦ୍ୱାରା ଦେଶବ୍ୟାପୀ ମୋଟର ଦୁର୍ଘଟଣା ମାମଲାରେ ଗୃହିଣୀମାନଙ୍କ ମୃତ୍ୟୁ ହେଲେ, ମିଳିବାକୁ ଥିବା କ୍ଷତିପୂରଣ ରାଶି ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର