ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ
ବରଗଡ଼: ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ତଥା ବିଜ୍ଞାନ ଶିକ୍ଷକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ସେ ଜଣେ ନାବାଳକ ଛାତ୍ରଙ୍କୁ ଟ୍ୟୁସନ ବାହାନାରେ ହୋଟେଲ ରୁମ୍କୁ ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଛାତ୍ର ଜଣକ ଅଭିଯୁକ୍ତ ଶିକ୍ଷକଙ୍କ ନିକଟରେ ଟ୍ୟୁସନ ପଢ଼ୁଥିଲେ। ଏକ କନଫରେନ୍ସରେ ଯୋଗଦେବା ବାହାନାରେ ତାଙ୍କୁ କୋଚିଂ ସେଣ୍ଟରରୁ ବରଗଡ଼କୁ ଅଣାଯାଇ ପରେ ଏକ ହୋଟେଲର ରୁମ୍କୁ ନିଆଯାଇଥିଲା। ପାଠ ପଢ଼ାଇବା ପାଇଁ ରାତିରେ ସେଠାରେ ରହିବାକୁ ପଡ଼ିବ ବୋଲି ପରିବାର ଲୋକଙ୍କୁ କୁହାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ହୋଟେଲ ରୁମ୍ରେ ଥିବା ସମୟରେ ଛାତ୍ର ଜଣକ କୌଶଳକ୍ରମେ ପରିବାର ଲୋକଙ୍କୁ ମେସେଜ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ଲୋକେ ପୁଲିସକୁ ଖବର ଦେବାରୁ ଟାଉନ ଥାନା ପୁଲିସ ହୋଟେଲରେ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିଥିଲା। ପରେ ଛାତ୍ରଙ୍କ ବାପାଙ୍କ ଏତଲାକ୍ରମେ ବରଗଡ଼ ଟାଉନ ଥାନା ପୁଲିସ ଦେବଦତ୍ତ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜିଲା କାରାଗାରକୁ ପଠାଯାଇଛି।






