ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି
ଭୁବନେଶ୍ୱର/ପଟାଙ୍ଗି: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଜେଡିର ଏକ ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି। ସେମାନେ ଫାଟୁସିନେରି, ନେରେଡିଭାଲାସା, ଗଞ୍ଜେଇପଦର ଓ ଅନ୍ୟାନ୍ୟ ଗ୍ରାମର ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରତିନିଧି ମଣ୍ଡଳୀ କହିଛି ଯେ ଯଦି ଟ୍ରିପଲ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ହେବ ନାହିଁ ଏବଂ ଆନ୍ଧ୍ର ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରିବ, ଏହାଠୁ ବଡ଼ ଅପମାନ ଓଡ଼ିଶା ପାଇଁ କିଛି ହୋଇନପାରେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶା ସରକାର ଆନ୍ଧ୍ର ସରକାର ଆଗରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାର କୋଟିଆ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ନ୍ୟାୟ ଭିକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ରାଜ୍ୟ ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି ବୋଲି ପ୍ରତିନିଧ ଦଳ କ୍ଷୋଭ ପ୍ରକାଶ କରିଛି।
ବିଜେଡି ପକ୍ଷରୁ କୁହାଯାଇଛି ଯେ କୋଟିଆ ଓଡ଼ିଶାର ଥିଲା ଓ ଓଡ଼ିଶାର ହେଇକି ରହିବ। ଆନ୍ଧ୍ର କୋଟିଆକୁ ଛଡ଼ାଇ ନେଇପାରିବ ନାହିଁ। ଏହି ନିର୍ବାଚନ ବନ୍ଦ କରିବା ପାଇଁ ବିଜେଡି ଶତ ପ୍ରତିଶତ ଉଦ୍ୟମ କରିବ। କୋଟିଆବାସୀ ଅନୁଭବ କରିସାରିଲେଣି ବିଜେଡି ସରକାର ସମୟରେ ଏଭଳି ଅବସ୍ଥା କେବେ ହୋଇନଥିଲା । ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ ବିଜେପି ସରକାର ଦାୟୀ। ଫାଟୁସିନେରି ଗ୍ରାମ ଗସ୍ତ ସମୟରେ ପ୍ରତିନିଧି ମଣ୍ଡଳୀ ଦେଖିବାକୁ ପାଇଥିଲା ଯେ ଏହି ଅଞ୍ଚଳରେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ୱାଇଏସ୍ଆର୍ସିପି)ର କର୍ମୀମାନେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ପ୍ରଚାରକୁ ପ୍ରତିନିଧିମଣ୍ଡଳୀ ବିରୋଧ କରିବା ପରେ କର୍ମୀମାନେ ସେଠାରୁ ଚାଲିଯାଇଥିଲେ। ଏହି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟା ଜାରି ଥିବା ସତ୍ତେ୍ୱ ଓଡ଼ିଶା ପ୍ରଶାସନର କୌଣସି ପ୍ରତିକ୍ରିୟା ନଥିବା ପ୍ରତିନିଧି ଦଳ ଅନୁଭବ କରିଛି। ଏହି ଗସ୍ତର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ନବୀନ ପଟ୍ଟନାୟକଙ୍କୁ ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିବେ। ଯାହା ଉପରେ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ସାଂସଦ ଝିନ୍ନ ହିକକା ଓ ପ୍ରଦୀପ ମାଝୀ, ବିଜେଡିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ପ୍ରଭୁ ଜାନି, ରଘୁରାମ ପଡାଲ, ପ୍ରଫୁଲ୍ଲ ପାଙ୍ଗୀ ଓ ପ୍ରୀତମ ପାଢ଼ୀ, ବିଜେଡି ଆଦିବାସୀ ସେଲର ସାଧାରଣ ସମ୍ପାଦିକା କୌଶଲ୍ୟା ହିକକା, କୋରାପୁଟ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସସ୍ମିତା ମେଲେକା ଏବଂ କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରମୁଖ ସାମିଲ ଥିଲେ।






