ଜଗନ୍ନାଥ ଧାମ, ବଳକା ଦାରୁରେ ବିଗ୍ରହ ନିର୍ମାଣ ବିବାଦ; ‘ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ହୋଇପାରିବ ନାହିଁ’
ପୁରୀ: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ବିବାଦ ତେଜିଛି। ଦୀଘାରେ ମନ୍ଦିର ନିର୍ମାଣ, ସେଠାରେ ଜଗନ୍ନାଥ ଧାମ ଲେଖାଯିବା ଏବଂ ନବକଳେବର ବଳକା ଦାରୁରେ ବିଗ୍ରହ ନିର୍ମାଣ ହେବାକୁ ନେଇ ଉପୁଜିଥିବା ବିବାଦ ଏବେ ଓଡ଼ିଶାରେ ଜୋର୍ ଧରିଛି। ଏହାକୁ ନେଇ ଚାରିଆଡ଼େ ଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଶୁକ୍ରବାର ଆଇନ ମନ୍ତ୍ରୀ ଅନୁସନ୍ଧାନ କରି ସତ୍ୟାସତ୍ୟ ଜନସମାଜକୁ ଆଣିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ […]
ପୁରୀ: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ବିବାଦ ତେଜିଛି। ଦୀଘାରେ ମନ୍ଦିର ନିର୍ମାଣ, ସେଠାରେ ଜଗନ୍ନାଥ ଧାମ ଲେଖାଯିବା ଏବଂ ନବକଳେବର ବଳକା ଦାରୁରେ ବିଗ୍ରହ ନିର୍ମାଣ ହେବାକୁ ନେଇ ଉପୁଜିଥିବା ବିବାଦ ଏବେ ଓଡ଼ିଶାରେ ଜୋର୍ ଧରିଛି। ଏହାକୁ ନେଇ ଚାରିଆଡ଼େ ଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଶୁକ୍ରବାର ଆଇନ ମନ୍ତ୍ରୀ ଅନୁସନ୍ଧାନ କରି ସତ୍ୟାସତ୍ୟ ଜନସମାଜକୁ ଆଣିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କୁ ଚିଠି କରିଥିଲେ। ଶନିବାର ମୁଖ୍ୟ ପ୍ରଶାସକ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ତିନୋଟି ପର୍ଯାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇଥିଲେ। ମୁଖ୍ୟତଃ ବଳକା ଦାରୁ ଏବଂ ଜଗନ୍ନାଥଧାମ ଉପରେ ବିଶେଷ ଫୋକସ ରଖାଯାଇଥିଲା। ଏଥିରେ ସେବାୟତଙ୍କ ମତ ନେଇଥିବା ବେଳେ ଏ ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ।
ପ୍ରଥମ ବୈଠକରେ ଦେଉଳକରଣ, ତଢ଼ାଉକରଣ, ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ହୋଇଥିଲା। ରାଜ୍ୟ ସରକାର ଏହି ସଙ୍ଗୀନ ଧାର୍ମିକ ବିବାଦୀୟ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିବାକୁ ସେବାୟତମାନେ ମତ ଦେଇଥିଲେ। ଯେକୌଣସି ସେବାୟତ ମହାପ୍ରଭୁଙ୍କୁ ନେଇ ବିବାଦୀୟ ମତ ରଖିବା ଏବଂ କାର୍ଯ୍ୟ କରିବା ନିନ୍ଦନୀୟ। ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ସେଠାରେ ଉଭୟ ପଥର ଓ ନିମ କାଠ ମୂର୍ତ୍ତି ବିଜେ କରିବା ରାଜ୍ୟ ତଥା ଦେଶ ପ୍ରତି ବିପଦ ସୃଷ୍ଟି କରିବ। ଭାରତର ଚାରିଗୋଟି ଧାମ ମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ଭାବେ ପରିଚିତ। ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମତ ରଖିଥିଲେ।
ପରେ ଦ୍ୱିତୀୟ ପର୍ଯ୍ୟାୟରେ ବାଡ଼ଗ୍ରାହୀମାନଙ୍କ ସହ ବୈଠକ ବସିଥିଲା। ବୈଠକରେ ଚାରି ବାଡ଼ଗ୍ରାହୀ ମଧ୍ୟରୁ ତିନି ବାଡଗ୍ରାହୀ ଉପସ୍ଥିତ ରହିଥିଲେ। ମୁଖ୍ୟ ପ୍ରଶାସକଙ୍କୁ ଦେଇଥିବା ମତ ସମ୍ପର୍କରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଭାରତରେ ଚାରି ଧାମ ଓ ଚାରି ଶଙ୍କରାଚାର୍ଯ୍ୟ ଅଛନ୍ତି। ଅନ୍ୟ କେଉଁଠାରେ ଧାମ ହୋଇପାରିବ ନାହିଁ। ଶ୍ରୀମନ୍ଦିର ଭିତରୁ ଦାରୁ ନେବାର ସୁଯୋଗ ନାହିଁ। ପ୍ରସ୍ତର ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଶାସ୍ତ୍ର ବିରୋଧୀ। ପ୍ରତିଷ୍ଠା ଉତ୍ସବକୁ ଦଇତାପତି ଯିବା କଥା ନୁହେଁ। ଯଦି ଦଇତାପତି ନିଯୋଗ ସମ୍ପାଦକ ଦାରୁ ନେଇଥିବେ, କେବେ ଓ କିପରି ନେଲେ ତାଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚାରାଯାଉ ବୋଲି ମୁଖ୍ୟ ପ୍ରଶାସକଙ୍କୁ କହିଥିଲେ। ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିର ଧାମ ନୁହେଁ। ଏଣୁ ଧାମକୁ କାଟିବା ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଲିଖିତ ଭାବେ ଜଣାଇବା ଦରକାର। ଗୋଟିଏ ସ୍ଥାନରେ ପଥର ମୂର୍ତ୍ତି ଓ କାଠ ମୂର୍ତ୍ତି ପୂଜିତ ହେବା ଶାସ୍ତ୍ରବିରୋଧୀ ବୋଲି ବାଡ଼ଗ୍ରାହୀମାନେ ମୁଖ୍ୟ ପ୍ରଶାସକଙ୍କୁ ସ୍ପଷ୍ଟ ଭାବେ କହିଥିଲେ।
ତୃତୀୟ ପର୍ଯାୟରେ ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା। ବୈଠକ ପରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି, ଆମେ ଦୃଢ଼ ଭାବେ ଜଣାଇଛୁ ନବକଳେବର ବଳକା କାଠରେ ମୂର୍ତ୍ତି ନିର୍ମାଣ ଅସମ୍ଭବ। ବିଗ୍ରହ ନିର୍ମାଣ ସରିବା ପରେ ତାହା ଦଇତାପତି ନିଯୋଗଙ୍କ ହେପାଜତରେ ରହିଥାଏ। ବଳକା କାଠରେ କୌଣସି ମୂର୍ତ୍ତି ନିର୍ମାଣ ମିଥ୍ୟା କଥା। ସେ ବାହାରୁ କେଉଁଠୁ ମୂର୍ତ୍ତି କିଣି ନେଇଥିବେ ବୋଲି ଅନୁମାନ କରୁଛୁ। ମୋଟାମୋଟି ବଳକା ରହିଥିବା କାଠରେ ବିଗ୍ରହ ନିର୍ମାଣ ସମ୍ଭବ ନୁହେଁ ବୋଲି ବିଶ୍ୱକର୍ମା ମହାରଣାମାନେ ମୁଖ୍ୟ ପ୍ରଶାସକଙ୍କୁ ସେମାନଙ୍କର ମତାମତ ଦେଇଥିଲେ।
ଅନ୍ୟପକ୍ଷରେ ଏହି ବିବାଦ ସମ୍ପର୍କରେ ରବିବାର ଅପରାହ୍ଣ ୫ଟା ସୁଦ୍ଧା ମତାମତ ଦେବା ପାଇଁ ସମସ୍ତ ନିଯୋଗକୁ ଚିଠି ମାଧ୍ୟମରେ ନିବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ। ନୀତି ପ୍ରଶାସକ ନିଯୋଗର କାର୍ଯ୍ୟକର୍ତ୍ତାମାନଙ୍କୁ ଏହି ଚିଠି ଲେଖିଛନ୍ତି। ଶୁକ୍ରବାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।






