ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍
ସମ୍ବଲପୁର: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିଭିନ୍ନ ଠିକଣା ଉପରେ ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ବଲପୁର, ଭୁବନେଶ୍ୱର, ପୁରୀ ଏବଂ ଖୋର୍ଦ୍ଧା ସମେତ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଅଧିକାରୀମାନେ ସମ୍ବଲପୁରର ଧନକଉଡ଼ା ସ୍ଥିତ ସନ ସିଟି ଆପାର୍ଟମେଣ୍ଟର ଏକ ୩-ବିଏଚକେ ଫ୍ଲାଟ ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟରେ ଛାନଭିନ୍ କରୁଛନ୍ତି।
ସେହିପରି ଭୁବନେଶ୍ୱରର ନନ୍ଦନକାନନ ରୋଡ୍ ସ୍ଥିତ ନନ୍ଦନ ବିହାରରେ ଥିବା ଏକ ଡୁପ୍ଲେକ୍ସ ଏବଂ ଜଟଣୀର ବରକୁଦା ନିକଟରେ ଥିବା ଇଣ୍ଡସ୍ ଇଞ୍ଜିନିୟରିଂ କଲେଜ ପାଖରେ ଥିବା ଏକ କୋଠାରେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି। ଏହା ବ୍ୟତୀତ ପୁରୀ ଜିଲ୍ଲା ବାଲିଗୁଆଳିର ତୋଟା ବେହେରା ସାହିରେ ଥିବା ଏକ ତିନି ମହଲା କୋଠାରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସୁବାଷ ମାର୍ଗରେ ଥିବା ଏକ ଦୁଇ ମହଲା କୋଠା ଏବଂ ବାଲୁଗାଁର ଅଶୋକ ନଗରରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଛି।
ଏହି ସମ୍ପୂର୍ଣ୍ଣ ଅପରେସନରେ ୮ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଏବଂ ୧୧ ଜଣ ଏଏସଆଇଙ୍କ ସମେତ ମୋଟ ୩୦ ଜଣ ଭିଜିଲାନ୍ସ ଅଧିକାରୀ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଅଧିକାରୀମାନେ ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରେକର୍ଡଗୁଡ଼ିକର ଯାଞ୍ଚ କରୁଛନ୍ତି।
ଚଢ଼ାଉ ବର୍ତ୍ତମାନ ମଧ୍ୟ ଜାରି ରହିଛି ଏବଂ ଆଗାମୀ ସମୟରେ ଜବତ ହୋଇଥିବା ସମ୍ପତ୍ତି ଏବଂ କାଗଜପତ୍ର ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି।






