ଆନ୍ଧ୍ର ଉପକୂଳରେ ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ: ଦୁର୍ବଳ ହୋଇ ଆଜି ରାତିରେ ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ସାମୁଦ୍ରିକ ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଗତକାଲି ରାତି ପ୍ରାୟ ୨ଟାରୁ ଆରମ୍ଭ ହୋଇ ବୁଧବାର ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୬ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା। ପ୍ରତିକୂଳ ବାୟୁମଣ୍ଡଳୀୟ ପରିସ୍ଥିତି ଯୋଗୁଁ ବାତ୍ୟାଟି ପ୍ରାୟ ଏକ ଘଣ୍ଟା ଧରି ଏକପ୍ରକାର ସ୍ଥିରାବସ୍ଥାରେ ରହିବା କାରଣରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସାମାନ୍ୟ ବିଳମ୍ବିତ ହୋଇଥିଲା।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ସ୍ଥଳଭାଗ ମଧ୍ୟକୁ ଅଗ୍ରସର ହେବା ସହିତ ଏହି ବାତ୍ୟା କ୍ରମଶଃ ଦୁର୍ବଳ ହେବ। ଏହା ଏକ ଗଭୀର ଅବପାତ (ଡିପ୍ ଡିପ୍ରେସନ)ରେ ପରିଣତ ହୋଇ ଆଜି ରାତି ସୁଦ୍ଧା ଓଡ଼ିଶାର ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରି ଛତିଶଗଡ଼ ମୁହାଁ ହେବା ନେଇ ସମ୍ଭାବନା ରହିଛି।
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିଛି। ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କୋରାପୁଟର ପଟ୍ଟାଙ୍ଗୀରେ ୧୮୮ ମିଲିମିଟର ଏବଂ ଗଜପତିର ମୋହନାରେ ୧୬୮.୮ ମିଲିମିଟର ବର୍ଷା ହୋଇଛି। ରାଜ୍ୟର ୨୩ଟି ସ୍ଥାନରେ ପ୍ରବଳ ଏବଂ ୧୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୧ରୁ ୧୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ସହିତ ପ୍ରବଳ ପବନ ବହିବାର ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ଏବଂ ଝଟକା ପବନର ବେଗ ୮୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ପ୍ରଭାବରେ ସମ୍ବେଦନଶୀଳ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।






