ମନୋରଞ୍ଜନ
ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ
ଭୁବନେଶ୍ୱର: ଆଜି କୋଟିଆ ଗସ୍ତରେ ଯିବେ ବିଜେଡିର ପ୍ରତିନିଧି ଦଳ । ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପର ବିରୋଧ କରିବା ଉଦେ୍ଦଶ୍ୟରେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜେଡିର ଏକ ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କୋଟିଆ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଦଳର ଏକ ୧୫ ଜଣିଆ ପ୍ରତିନିଧିଦଳକୁ କୋଟିଆ ଗସ୍ତ କରି ତାଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପ୍ରତିନିଧି ଦଳରେ ବିଧାୟକ ମନୋହର ରନ୍ଧାରୀ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଜଗନ୍ନାଥ ସାରକା, ରବିନାରାୟଣ ନନ୍ଦ , ପୂର୍ବତନ ସାଂସଦ ଝିନ ହିକକା ଓ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ପ୍ରଭୁ ଜାନି, ମାନସ ମାଡକାମୀ, ରଘୁରାମ ପଡାଲ, ପ୍ରଫୁଲ ପାଙ୍ଗି, ପ୍ରିତମ ପାଢ଼ୀ, ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜେଡି ଆଦିବାସୀ ସେଲ ସାଧାରଣ ସମ୍ପାଦକ କୌଶଲ୍ୟା ହିକକା, କୋରାପୁଟ ଜିଲ୍ଳା ପରିଷଦ ସଭାପତି ସସ୍ମିତା ମେଲେକା ଓ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରମୁଖ ରହିଛନ୍ତି। ଏହି ପ୍ରତିନିଧି ଦଳ କୋଟିଆ ଅଞ୍ଚଳର ଲୋକମାନଙ୍କ ସହ ଆଲୋଚନା କରିବା ସହ ଉପାନ୍ତ ଅଞ୍ଚଳ ପରିଦର୍ଶନ କରିବ ଏବଂ ଜିଲ୍ଳା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବ।
କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଗତ ୧୯ ତାରିଖରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏପରି ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। କୋଟିଆ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ନବୀନ ଦାବି କରିଥିଲେ। ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ଓଡ଼ିଆ ସ୍ୱାଭିମାନ ଉପରେ ଏପରି ଆକ୍ରମଣ ତଥା ଓଡ଼ିଶାର ସ୍ୱାର୍ଥ ରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଡ଼ା ଉଦବେଗ ପ୍ରକାଶ କରିଥିଲେ ଶ୍ରୀ ପଟ୍ଟନାୟକ। ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିଲେ କୋଟିଆ ସମସ୍ୟାର ସବୁଦିନ ପାଇଁ ସମାଧାନ କରାଯିବ। ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷିତ ରଖାଯିବ ଏବଂ ଓଡିଆ ସ୍ୱାଭିମାନ ଫେରାଇ ଅଣାଯିବ। କିନ୍ତୁ ଏବେ ସେ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ପ୍ରଶ୍ନ କରିଥିଲେ। କୋଟିଆ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ ଉତ୍ତର ପାଇବା ଓିଡ଼ଶାବାସୀଙ୍କର ଅଧିକାର । ତେଣୁ ବିଜେପି ସରକାର ତାଙ୍କ ପ୍ରତିଶ୍ରୁତି ଉପରେ ଉତ୍ତର ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ ନବୀନ ଉଲ୍ଲେଖ କରିଥିଲେ।






